ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚୟ: ଆଫଗାନ ଗଣତନ୍ତ୍ର ମନ୍ଦିରରେ ତାଲିବାନୀ ଆତଙ୍କୀ, ଚଳାଇ ପାରିବେ ତ ସରକାର?

taliban

ଓଡ଼ିଆ ଗସିପ ବ୍ୟୁରୋ: ଓଡିଆରେ ଏକ ଲୋକ କଥା ଅଛି ‘ମାଙ୍କଡ ହାତରେ ଶାଳ ଗ୍ରାମ’ ଦେଲେ ଯାହା ହୁଏ। ଠିକ୍ ସେମିତି ଅବସ୍ଥା ଭୋଗିବାକୁ ଯାଉଛି ଆଫଗାନିସ୍ତାନ। ଆଗାମୀ ଦିନରେ ଆଫଗାନିସ୍ତାନର ଭାଗ୍ୟ କେଉଁ ଦିଗ ଆଡକୁ ଗତି କରିବ ଏବଂ  କେଉଁଭଳି ତାଲିବାନ ଶାସନ ଚଳାଇବ ତାର ଏକ ଝଲକ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଭବନ ସହିତ ସଂସଦ ଭବନକୁ ମଧ୍ୟ ଅକ୍ତିକାର କରିଛନ୍ତି ତାଲିବାନ। କୌଣସି ଗଣତନ୍ତ୍ରରେ ସଂସଦକୁ ପବିତ୍ର ମନ୍ଦିର କୁହାଯାଏ। ହେଲେ ସୋମବାର ଆଫଗାନିସ୍ତାନର ଏହି ଗଣତନ୍ତ୍ର ମନ୍ଦିରରେ ତାଲିବାନୀ ଆତଙ୍କୀ ହତିଆର ସହ ପଶିଛନ୍ତି।

କେବଳ ଏତିକି ନୁହେଁ ହାତରେ ବନ୍ଧୁକ ଧରି ବାଚସ୍ପତିଙ୍କ ଆସନରେ ଯାଇ  ବସି ପଡିଛନ୍ତି। ଉଲ୍ଲେଖନୀୟ ଏହି ସଂସଦ ଭବନର ନିର୍ମାଣ ଭାରତ କରିଥିଲା ଏବଂ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହାର ଉଦଘାଟନ ହୋଇଥିଲା।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ତାଲିବାନୀ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ସଂସଦ ଭବନ ଭିତରେ ଅଛନ୍ତି। କେତେକ ଚୌକିରେ ବସିଥିବା ବେଳେ ଆଉ କିଛି ସଦସ୍ୟ ଛିଡା ହୋଇଛନ୍ତି।

ଏପରିକି ଜଣେ ବନ୍ଧୁକ ଧରି ବାଚସ୍ପତିଙ୍କ ଆସନରେ ଯାଇ ବସି ପଡୁଛି। ବିଡମ୍ବନାର ବିଷୟ ଯେଉଁ ଆସନରେ ଦୁଇ ସପ୍ତାହ ପୂର୍ବେ ଆଫଗାନିସ୍ତାନର ଜନ ପ୍ରତିନିଧି ବସିଥିଲେ ଆଜି ସେଠି ସଂସଦର ମୂଲ୍ୟ  ଜାଣିନଥିବା ଏବଂ ବୁଝିନଥିବା ତାଲିବାନର ଆତଙ୍କୀ ବସି ପଡିଛନ୍ତି।

ରବିବାର ତାଲିବାନ ରାଜଧାନୀ କାବୁଲକୁ ଅକ୍ତିକାର କରିବା ସହ ରାଷ୍ଟ୍ରପତି ଭବନକୁ ନିଜ କ୍ଷମତାକୁ ଆଣିଥିଲେ। ସୋମବାର ଭାଇରାଲ ଏହି ଭିଡିଓର ଦୃଶ୍ୟ ଏହା ଘୋଷଣା କରି ଦେଇଛି ଯେ, ଆଫଗାନିସ୍ତାନରୁ ଆମେରିକା ସୈନିକଙ୍କ ପ୍ରତ୍ୟାହାର ପ୍ରକ୍ରିୟା ପୂରା ହେବା ପୂର୍ବରୁ ବିଦ୍ରୋହୀ ନିଜର ଉଦ୍ଦେଶ୍ୟ ପୂରଣ କରି ପାରିଛନ୍ତି। ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଯିବା ସହ ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହୋଇ ଯାଇଛି।

ରାଜଧାନୀ କାବୁଲ ସହ ଦେଶର ସମସ୍ତ ବଡ ବଡ ସହର ଏବଂ ପ୍ରମୁଖ ସ୍ଥାନରେ ତାଲିବାନ ନିଜର ମୋର୍ଚ୍ଚା ସମ୍ଭାଳିଛି। ଅନ୍ୟପଟେ  ଭୟର ବାତାବରଣ ମଧ୍ୟରେ ଦେଶ ଛାଡିବାକୁ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ଦେଖିବାକୁ ମିଳିଛି। ଆଫଗାନିସ୍ତାନରୁ ଲୋକଙ୍କ ପଳାୟନ ଜାରି ରହିଛି। ଏହାର ନିଚ୍ଛକ ଦୃଶ୍ୟ ସୋମବାର କାବୁଲ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଲୋକେ କେମିତି ନିଜର ଜୀବନ ବାଜିରେ ଲଗାଇ ଦେଶରୁ ଖସି ଯିବାକୁ ଉଦ୍ୟମ କରୁଛନ୍ତି ତାର ସମ୍ବେଦନଶୀଳ ଦୃଶ୍ୟ ଆଜି ବିଶ୍ଵ ସମୁଦାୟ ଦେଖିଛି।

Share this story