ଖୁବଶୀଘ୍ର ନବୀନ ଟିମରେ ଦେଖା ଦେବେ ନୂଆ ଚେହେରା; ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚାହିଁ ରହିଛନ୍ତି ନେତା

ଖୁବଶୀଘ୍ର ନବୀନ ଟିମରେ ଦେଖା ଦେବେ ନୂଆ ଚେହେରା; ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚାହିଁ ରହିଛନ୍ତି ନେତା

ଓଡ଼ିଆ ଗସିପ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାକୁ ନେଇ ଚହଳ ପଡିଛି । ନବୀନ ଟିମରେ ଦେଖା ଦେବେ ନୂଆ ଚେହେରା । ମୁଣ୍ଡ ତ ଗଡ଼ିବ ହେଲେ କିଏ ବଳି ପଡିବେ ସେନେଇ ଏବେ ଚିନ୍ତା ଘାରିଛି ଅନେକ ବିଜେଡି ନେତାଙ୍କ ମନରେ । ସମସ୍ତେ ନୂଆ ପଦକୁ ପାଇବା ପାଇଁ ଚାହିଁ ରହିଛନ୍ତି ।

ମନ୍ତ୍ରୀ ଅଦଳ ବଦଳରେ କେମିତି ହେଲେ ସ୍ଥାନ ମିଳିଯାନ୍ତା କି ? ନବୀନଙ୍କ କୃପାଦୃଷ୍ଟିକୁ ଏମିତି ଚାହିଁ ରହିଛନ୍ତି ବହୁ ବିଜେଡି ବିଧାୟକ । କାହା ଭାଗ୍ୟରେ ସୁନା କଳସ ଢାଳି ହେବ ତାକୁ ଚାହିଁ ରହିଛନ୍ତି ବହୁ ନେତା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଆକ୍ସନମୋଡରେ ରହିଥିବା ରାଜନୈତିକ ଭୀତରୀ ମହଲରୁ ଜଣାପଡିଛି । ଦଳର ସଙ୍ଗଠନକୁ ବଳୁଆ କରିବା ସହ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକରେ ନୂଆ ମନ୍ତ୍ରୀ ଫୁଙ୍କିଛନ୍ତି । ସଙ୍ଗଠନିକ କାର୍ଯ୍ୟ ସାରିବା ପରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ମନ୍ତ୍ରିମଣ୍ଡଳର ଅସ୍ତ୍ରୋପ୍ରଚାର କରିବେ ବୋଲି ଦଳୀୟ ମହଲରୁ ସୂଚନା ମିଳୁଛି । ଏ ଅସ୍ତ୍ରୋପ୍ରଚାର ବେଳେ କିଛି ମନ୍ତ୍ରୀ ପଦ ହରାଇବେ, ଆଉ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହୋଇପାରେ ବୋଲି କୁହାଯାଇଛି । ଏବେ ସମସ୍ତଙ୍କ ନଜର ନବୀନଙ୍କ ଉପରେ ରହିଛି ।

ଦଳର ବରିଷ୍ଠ ମହଲର ସୂତ୍ରକୁ ଯଦି ବିଶ୍ୱାସ କରାଯାଏ, ତେବେ ପ୍ରାୟ 7\8 ଜଣ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ମୁଖ୍ୟମନ୍ତ୍ରୀ ଆଦୌ ଖୁସି ନାହାନ୍ତି । ଏହି ମନ୍ତ୍ରୀ ମାନଙ୍କ ରିପୋଟ କାର୍ଡ ଅତି ନିରାଶ ଜନକ । ତେଣୁ ସେମାନଙ୍କ ବଦଳରେ ନୂଆ ଦକ୍ଷ ଚେହେରାକୁ ଧରି ମନ୍ତ୍ରିମଣ୍ଡଳକୁ ଅଧିକ କ୍ରିୟାଶୀଳ କରିବାକୁ ନବୀନ ବିଚାରବିମର୍ଶ କରୁଛନ୍ତି । ଏପରିକି କିଛି ମନ୍ତ୍ରୀଙ୍କୁ ସଂଗଠନର ଚାବି ମଧ୍ୟ ଧରାଇ ପାରନ୍ତି ।

ଦଳୀୟ ସଙ୍ଗଠନକୁ ବେଶ ପ୍ରଭାଵୀ ଢଙ୍ଗରେ ମୁଖ୍ୟମନ୍ତ୍ରୀ କ୍ରିୟାଶୀଳ କରିଛନ୍ତି । ସମାନ ଢଙ୍ଗରେ ସରକାରରେ ମନ୍ତ୍ରୀମାନେ ଦକ୍ଷତାର ସହ କାମ କଲେ ହିଁ ଯାଇ ଦଳ ଲୋକଙ୍କ ନିକଟରେ ଅଧିକ ଗ୍ରହଣୀୟ ହୋଇପାରିବ । ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ଦଳ ସକ୍ଷମ ହେବ ।

ଏପଟେ ମୁଣ୍ଡ ଉପରେ ପୌର ଓ ପଞ୍ଚାୟତ ନିର୍ବାଚନ । ସହଯୋଗୀ ବାଛିବା ବେଳେ ସେ ଦିଗକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଫୋକସ କରିବେ । ରାଜନୈତିକ ମହଲର ଆକଳନ, ମୁଖମନ୍ତ୍ରୀ ପୁଣି ଚମକାଇବେ । ତାଙ୍କ ସରକାରର ଚେହେରା ବଦଳାଇବାକୁ ଆରମ୍ଭ କରିବେ ସକ ଟ୍ରିଟମେଣ୍ଟ । ନବୀନଙ୍କ 5ମ ପାଳିରେ ମନ୍ତ୍ରୀ ପଗଡି ପିନ୍ଧିବାକୁ ବିକଳ ହୋଇ ରହିଥିବା ଦଳର ବହୁ ବିଧାୟକ ଏବେ ଦିନ ଗଣୁଛନ୍ତି । ମନ୍ତ୍ରୀ ପଦ ପାଇବାକୁ ସମସ୍ତେ କୁଆଡେ ଲବିରେ ଥିବା ଶୁଣିବାକୁ ମିଳିଛି । 

Share this story