ସୌମ୍ୟଙ୍କ ବିସ୍ଫୋରକ ବୟାନ, ନବୀନଙ୍କ ଯୋଗାଯୋଗରେ କଂଗ୍ରେସର ୯ ବିଧାୟକ

MLA Soumyaranjan Patnaiks statement create political game in state

ଓଡ଼ିଆ ଗସିପ ବ୍ୟୁରୋ: ‘ରାଜ୍ୟରେ କଂଗ୍ରେସ ଓ ବିଜେପି ଆଉ ଦଳ ହୋଇ କି ନାହିଁ । ଆମେ (ବିଜେଡ଼ି) ଓଡ଼ିଶାରେ ଏକମାତ୍ର ଦଳ । କେବଳ ଆମ ନେତାଙ୍କୁ ( ନବୀନଙ୍କୁ) ଓଡ଼ିଶାବାସୀ ଭଲ ପାଆନ୍ତି । ତାଙ୍କୁ ଆଖିବୁଜା ସମର୍ଥନ କରନ୍ତି । ସେ ଥିବା ପର୍ଯ୍ୟନ୍ତ ତୁମେ ଆମ ଉପରେ ଟିପ ଦେଇପାରିବ ନାହିଁ । ବିରୋଧୀ ଦଳ କାହାନ୍ତି ଯେ ଆମକୁ ହରାଇବେ ?’

ଗତକାଲି ଜୟଦେବ ଭବନରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଏପରି କଟାକ୍ଷ କରିଛନ୍ତି ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସେ କହିଛନ୍ତି ଏବେ ରାଜନୀତିର ପରିଭାଷା ବଦଳି ଯାଇଛି । ନରେନ୍ଦ୍ର ମୋଦି ହୁଅନ୍ତୁ, ମମତା ବାନାର୍ଜୀ ହୁଅନ୍ତୁ କି ନବୀନ ପଟ୍ଟନାୟକ, ଭିନ୍ନ ଏକ ରାଜନୀତି ଆମେ ସବୁ କରୁଛେ । ସେ ରାଜନୀତି ହେଲା ଯେ କୌଣସି ଉପାୟରେ ଆମକୁ ଜିତିବାକୁ ପଡ଼ିବ । କ୍ଷମତାକୁ ଆସିବା ପାଇଁ କୌଣସି ମୂଲ୍ୟବୋଧର ଆବଶ୍ୟକତା ନାହିଁ । କୌଣସି ଚିନ୍ତାଧାରା ବା ବିଚାରଧାରା ଆଜି ଆଉ ବଞ୍ଚି କି ରହିନାହିଁ ।

ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ନିର୍ବାଚନ ଜିତିବାକୁ ହେଲେ କେବଳ ପଇସା, ପଇସା ଓ ପଇସା । ସେହିପରି ଏବେ ଚର୍ଚ୍ଚା ହେଉଛି କଂଗ୍ରେସର ୯ ବିଧାୟକ ବିଜେଡିରେ ମିଶିଯିବେ । ବିରୋଧୀ ଦଳ ନେତାଙ୍କଠୁ ଆରମ୍ଭ କରି ଶେଷଯାଏ ସମସ୍ତେ ବି ମିଶିବେ । ମୋକିମ୍ ବାବୁଙ୍କୁ ଇସାରା କରି କହିଲେ, ଆଜି ଏଠି ମୋକିମ୍ବାବୁ ସରକାରଙ୍କ ବିରୋଧରେ କହିବେ । ସନ୍ଧ୍ୟାବେଳକୁ ତାଙ୍କ ପାଖରେ ଖବର ପହଞ୍ଚିବ, କାହିଁକି ବିରୋଧ କରୁଛନ୍ତି, ଆମ ଦଳକୁ ଚାଲିଆସନ୍ତୁ ଜିତିବେ ବାସ୍ ତା’ପରେ କଥା ସରିଯିବ ।

ଆହୁରି ପଢ଼ନ୍ତୁ : କିଛି କାମରେ ଘରୁ ବାହାରିଲା ବେଳେ ବିଲେଇ ଆଗରେ ପାର ହେଲେ ଏହା ଶୁଭ ନା ଅଶୁଭ ?

୮୦ ଦଶକର କଂଗ୍ରେସ ସରକାରର ଜାନକୀ-ବସନ୍ତ ଚର୍ଚ୍ଚିତ ଯୋଡ଼ିକୁ ନେଇ ଆୟୋଜିତ ହୋଇଥିଲା ଆଲୋଚନାଚକ୍ର । ଶୀର୍ଷକ ଥିଲା, ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି - ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ । କଂଗ୍ରେସର ଏହି ତୁଙ୍ଗ ନେତାଙ୍କ ନାମରେ ଆୟୋଜିତ ଆଲୋଚନାଚକ୍ରରେ ଏମିତି ଆଲୋଚନାକୁ ନେଇ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।

ଜୟଦେବ ଭବନରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ବରିଷ୍ଠ କଂଗ୍ରେସ ନେତା ଚିରଂଜୀବ ବିଶ୍ଵାଳ କହିଥିଲେ, ବିଧାନସଭାରେ ଏବେ କଂଗ୍ରେସର ୯ ବିରୋଧୀ ଜଣ ବିଧାୟକ ଅଛନ୍ତି । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ଅଶାୟୀ ବାହାରିଲେଣି । ଦିନକୁ ଦିନ ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି । କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ । ଯୁବକମାନେ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି ।

ଯେଉଁ ଯୁବକମାନେ କଂଗ୍ରେସରେ ସକ୍ରିୟ ହୋଇ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ସୁଯୋଗ ଦିଆଯାଉ ନାହିଁ । କଂଗ୍ରେସର ବଡ଼ ରୋଗ ହେଉଛି, ଜଣେ ଲୋକ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ସୁଦୃଢ଼ କରିବ, କିନ୍ତୁ ଅନ୍ୟ ଜଣେ ଟିକେଟ୍‌ ନେଇଯିବ । ମୋତେ ଏବେ ସନ୍ଦେହ ହେଉଛି, ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଠିକ୍ ପ୍ରାର୍ଥୀ ମିଳିବେ କି ନାହିଁ । ଶ୍ରୀ ବିଶ୍ଵାଳ କହିଛନ୍ତି ଯେ ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା ।

ଆହୁରି ପଢ଼ନ୍ତୁ : ୪ ରାଶି ପାଇଁ ଅଭିଶାପ ସଦୃଶ ! ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିଫଳ

ସେହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ବହୁ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ । ଫଳରେ ୧୯୮୦ ମସିହାରେ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ବରେ କଂଗ୍ରେସ ସରକାର ଆସିଥିଲା । ତେବେ ୧୯୭୭ ମସିହାରେ କଂଗ୍ରେସ ଯେଉଁ ଭଳି ପରିସ୍ଥିତିରେ ଥିଲା, ତା’ଠାରୁ ଆହୁରି କାହାନ୍ତି... ଖରାପ ପରିସ୍ଥିତିରେ ଏବେ ରହିଛି । ଆମ ଦଳର ଗୋଟିଏ ପୁରୁଣା ରୋଗ ଅଛି, ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ ।

ପିସିସି ସଭାପତି ନହେବା ଯାଏଁ ସବୁ ଠିକ୍ ହୋଇଗଲା ପରେ ବଦଳି ଯାଆନ୍ତି ବୋଲି ଶ୍ରୀ ବିଶ୍ବାଳ କ୍ଷୋଭ ପ୍ରକାଶ କରିଥିଲେ । ଆଲୋଚନାଚକ୍ରରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ, ସନ୍ଦୀପ ସାହୁ, ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଅଂଶଗ୍ରହଣ କରି ମତ ରଖିଥିଲେ । ଡ. ଗୋବିନ୍ଦ ଭୂୟାଁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିକୁଞ୍ଜ ପଶାୟତ ଧନ୍ୟବାଦ ଦେଇଥିଲେ ।

Share this story

World Odia Language Conferene