ପରାଜୟ ଭୟରେ ବିଜେଡି ମିଥ୍ୟା ବିଜ୍ଞାପନର ସାହାରା ନେଉଛି: ବିଜେପି

ପରାଜୟ ଭୟରେ ବିଜେଡି ମିଥ୍ୟା ବିଜ୍ଞାପନର ସାହାରା ନେଉଛି: ବିଜେପି
ପରାଜୟ ଭୟରେ ବିଜେଡି ମିଥ୍ୟା ବିଜ୍ଞାପନର ସାହାରା ନେଉଛି: ବିଜେପି

ଭୁବନେଶ୍ୱର: ପରାଜୟ ଭୟରେ ବିଜେଡି ଏବେ ମିଥ୍ୟା ବିଜ୍ଞାପନର ସାହାରା ନେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିଥ୍ୟା ବିଜ୍ଞାପନ ଦେଇ ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଜେଡି କରୁଥିବା ପ୍ରୟାସ କେବେ ସଫଳ ହେବ ନାହିଁ । ମିଛକୁ ଯେତେ ବଡ ପାଟିରେ ଚିତ୍କାର କରି କହିଲେ ମଧ୍ୟ ମିଥ୍ୟା କେବେ ସତ ହେବ ନାହିଁ କି ଓଡିଶାର ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ।

ବାରିପଦା ମେଡିକାଲ କଲେଜରେ ନାମ ଲେଖାରେ କେନ୍ଦ୍ର ସରକାର ବାଧକ ସାଜୁଥିଲେ ବୋଲି ବିଜେଡି ଆଜି ଅନେକ ଖବର କାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ଦେଇଛି । ହେଲେ ବାସ୍ତବରେ କେନ୍ଦ୍ର ସରକାରଙ୍କର ଅନୁଦାନରେ ହିଁ ବାରିପଦା ସମେତ ବାଲେଶ୍ୱର, କୋରାପୁଟ, ପୁରୀ ଓ ବଲାଙ୍ଗୀରରେ ମେଡିକାଲ କଲେଜ ସ୍ଥାପନା ହୋଇପାରିଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଏକ ଅଧା ଚିଠିକୁ ବିଜେଡି ଦେଖାଇ ନିଜର ଅପାରଗତା ଓ ବିଫଳତାକୁ ଲୁଚାଇବାର ପ୍ରୟାସ କରିଛି । ନବୀନ ବାବୁ ତାଙ୍କ ଅପାରଗତା ଓ ବିଫଳତାକୁ ଲୁଚାଇବାର ଯେତେ ପ୍ରୟାସ କଲେ ବି ଓଡିଶା ଲୋକ ସବୁ ବୁଝି ସାରିଲେଣି, ଏହାର ଜବାବ ଲୋକେ ଏବେ ଭୋଟ ମାଧ୍ୟମରେ ଦେଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଶାସକ ବିଜେଡି ତାର ବିଜ୍ଞାପନରେ ଏକ ସରକାରୀ ଚିଠିକୁ ଅଧା ଦେଖାଇ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଉଲଘଂନ କରୁଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ ବିଜୁ ଜନତା ଦଳ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

ଶ୍ରୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ୬୦% ଅନୁଦାନରେ ରାଜ୍ୟରେ ୫ଟି ମେଡିକାଲ କଲେଜ ନିର୍ମାଣ ହୋଇଛି । ଏହା ସହିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଆଉ ୨ଟି ମେଡିକାଲ କଲେଜ ନିର୍ମାଣ ହୋଇଛି । ମୋଦି ସରକାର ୫ ବର୍ଷରେ ୭ଟି ମେଡିକାଲ କଲେଜ ଓଡିଶାକୁ ଦେଇଛନ୍ତି ଯାହା ଆଗରୁ କେଉଁ ସରକାର ସମୟରେ ହୋଇନଥିଲା । ଓଡିଶାରେ ମେଡିକାଲ କଲେଜ ହେଉ ଏଥିପାଇଁ କେନ୍ଦ୍ର ସରକାର ହାତଖୋଲା ଅନୁଦାନ ଦେଇଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ ଦ୍ୱାରା ତାଳଚେରରେ ନିର୍ମିତ ମେଡିକାଲ କଲେଜ ନିର୍ମାଣ ସରିଛି । ହେଲେ ସମ୍ପୃର୍ଣ୍ଣ ଇନଫ୍ରାଷ୍ଟ୍ରକଚର ଥାଇ ବି ରାଜ୍ୟ ସରକାର ସେଥିରେ ନାମଲେଖା ପାଇଁ ଉଦ୍ୟମ ଆରମ୍ଭ କରୁନାହାନ୍ତି କାହିଁକି ତାହା ସବୁଠାରୁ ବଡ ପ୍ରଶ୍ନ ।

ଓଡିଶାରେ ବିଜେପି ସରକାର ଆସିଲେ ମେଡିକାଲ କଲେଜ ନଥିବା ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ହେବ । ଏକଥା ବିଜେପି ତାର ସଙ୍କଳ୍ପ ପତ୍ରରେ ଘୋଷଣା କରିଛି । ବିଜେପି ରାଜ୍ୟରେ ମେଡିକାଲ କଲେଜ ନଥିବା ୨୦ଟି ଜିଲ୍ଲାରେ ନିଶ୍ଚିନ୍ତ ମେଡିକାଲ କଲେଜ ନିର୍ମାଣ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Share this story