ତାଲିବାନ ରାଜରୁ ଆମେରିକାକୁ ଘାରିଲା ଅଲକାଏଦାର ଭୟ

Taliban

ଓଡ଼ିଆ ଗସିପ ବ୍ୟୁରୋ:ଆମେରିକା ଆଫଗାନିସ୍ତାନରୁ ନିଜର ସେନା ପ୍ରତ୍ୟାହାର କରି ଏହି ପ୍ରସଙ୍ଗରେ ନିଜ ହାତ ଟେକି ଦେଇଛି। ତଥାପି ଏବେ ନିଜକୁ ବିପଦ ଅନୁଭବ କରୁଛି ଆମେରିକା। କାରଣ ଦୁଇ ଦଶନ୍ଧି ପୂର୍ବେ ଆତଙ୍କବାଦୀ ହିଁ ତା ଉପରେ ଆକ୍ରମଣ କରିଥିଲେ।

ଆମେରିକାର ଶୀର୍ଷ ଜେନେରାଲ କହିଛନ୍ତି, ତାଲିବାନୀ କବଜାରେ ଥିବା ଆଫଗାନିସ୍ତାନରୁ ଏବେ ତାଙ୍କ ଦେଶ ପ୍ରତି ପୁଣି ଥରେ ଆତଙ୍କବାଦୀ ଆକ୍ରମଣର ବିପଦ ଆଶଙ୍କା ସୃଷ୍ଟି ହୋଇଛି। ଜେନେରାଲଙ୍କ ଏହି ସତର୍କବାଣୀ ଏମିତି ସମୟରେ ହୋଇଛି, ଯେବେ ଆମେରିକା ଗୁଇନ୍ଦା ଏଜେନ୍ସି ଅନୁମାନଠୁ ଢେର ଅଧିକ ଏବଂ ଦ୍ରୁତ ଗତିରେ ତାଲିବାନ ଆଫଗାନିସ୍ତାନକୁ କବଜା କରିଛି।

ଗୋଟିଏ ସପ୍ତାହ ପୂର୍ବେ  ଆମେରିକା ସେନା ଆକଳନ କରିଥିଲେ ଯେ, ବିଦ୍ରୋହୀ ୩୦ ଦିନରେ କାବୁଲ୍‌କୁ ଘେରି ପାରନ୍ତି ଏବଂ ୯୦ ଦିନ ଭିତରେ ଏହା ଉପରେ କବଜା କରି ପାରନ୍ତି। ମାତ୍ର ରବିବାର ହିଁ ଦୁନିଆରକୁ ଚକିତ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସଶସ୍ତ୍ର ତାଲିବାନ ଆତଙ୍କୀ ରାଷ୍ଟ୍ରପତି ଭବନକୁ ପ୍ରବେଶ କରିଥିଲେ ଏବଂ ନିଜର ପତାକା ଲଗାଇଥିଲେ। ଏଥିସହ ତାଲିବାନ ପୂରା ଆଫଗାନିସ୍ତାନକୁ ନିଜର କ୍ଷମତାକୁ ଆଣିଛି।

ଜୁନରେ ପେଣ୍ଟାଗନର ଶୀର୍ଷ ଅଧିକାରୀ କହିଥିଲେ, ଏବେ ଆଫଗାନିସ୍ତାନରେ ଅଲକାଏଦା ପରି ଆତଙ୍କବାଦୀ ସଂଗଠନର ପୁର୍ନଜନ୍ମ ଘଟିପାରେ। ଆମେରିକା ସୈନିକଙ୍କ ପ୍ରତ୍ୟାହାରର ଦୁଇ ବର୍ଷ ଭିତରେ ଆମେରିକା ମାଟିରେ ଆତଙ୍କୀ ବିପଦ ସୃଷ୍ଟି ହୋଇପାରେ।

୨୦୦୧ରେ ଅଲକାଏଦା ଆମେରିକାରେ ୯/୧୧ ଆତଙ୍କବାଦୀ ଘଟଣା ଘଟାଇଥିଲେ। ଏହି ଆକ୍ରମଣକୁ କେବଳ ଆମେରିକା ନୁହେଁ  ବରଂ ସମଗ୍ର ଦୁନିଆ ପାଇଁ ସବୁଠୁ ଭୟାବହ ଆତଙ୍କବାଦୀ ଆକ୍ରମଣ କୁହାଯାଏ। ଅଲକାଏଦାର ଆତଙ୍କବାଦୀ ବିମାନକୁ ହାଇଜ୍ୟାକ୍ କରି  ବିଶ୍ଵ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ।

ବାଣିଜ୍ୟ କେନ୍ଦ୍ରର ଦୁଇଟି କୋଠା ଉପରେ ବିମାନକୁ ଧକ୍କା କରାଇଥିଲେ। ଏଥିରୁ ଗୋଟିଏ ବିମାନ ପେଣ୍ଟାଗନ ମୁଖ୍ୟାଳୟରେ ଖସିଥିଲା। ଏହି ଆକ୍ରମଣରେ ତିନି ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏହା ପରେ ତାଲିବାନକୁ ସମୂଳ ଧ୍ଵଂସ କରିବା ପାଇଁ ଆମେରିକା ଆଫଗାନିସ୍ତାନରେ ନିଜର ସୈନିକ ପଠାଇଥିଲା।

ବିଶେଷଜ୍ଞଙ୍କ ଅନୁଯାୟୀ, ଦୁଇ ଦଶନ୍ଧି ପରେ ଆମେରିକା ସୈନିକଙ୍କ ପ୍ରତ୍ୟାହାର ପରେ ତାଲିବାନ ଓ ଅଲକାଏଦା  ପୁଣି ଥରେ ମେଣ୍ଟ କରିପାରନ୍ତି। ଏପରିକି ଆଫଗାନିସ୍ତାନରେ ଅନ୍ୟ ହିଂସକ ଆତଙ୍କୀ ଗୋଷ୍ଠୀକୁ ସୁରକ୍ଷିତ ଆଶ୍ରୟସ୍ଥଳୀ ମିଳିପାରେ। ଜନୈକ ଅଧିକାରୀ କହିଛନ୍ତି, ଅଲକାଏଦା ପରି ଆତଙ୍କୀ ସଂଗଠନ ଆଶାଠୁ ଅଧିକ ଦ୍ରୁତ ଗତିରେ ନିଜର ଶକ୍ତି ବଢାଇ ପାରନ୍ତି। ଆଉ ଏଥିରେ ଅଲକାଏଦାଠୁ ପୁଣି ଥରେ ଆମେରିକା ପ୍ରତି ବିପଦ ରହିଛି। ଏପରିକି ପୁନର୍ବାର ୯/୧୧ ଘଟଣାକୁ ଏଡାଇ ଦିଆଯାଇନପାରେ ବୋଲି  ବିଶେଷଜ୍ଞ କହିଛନ୍ତି।

Share this story