ଗଞ୍ଜେଇ ଖିଆ ମାମଲାରେ ଶାହାରୁଖ ଖାନ୍ ପୁଅକୁ ମିଳିଲା ବଡ଼ ଆଶ୍ୱସ୍ତି; ବିଦେଶ ଯିବାକୁ ମିଳିଲା ପାସପୋର୍ଟ

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍ ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟାନ୍ ଖାନ୍ଙ୍କୁ କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନ୍ସିବିି ନିକଟରୁ କ୍ଲିନ୍ଚିଟ୍ ମିଳିବା ପରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ ତାଙ୍କର ପାସ୍ପୋର୍ଟ ଫେରସ୍ତ ପାଇଁ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଡ୍ରଗ୍ସ ମାମଲାରେ ଗତବର୍ଷ ଅକ୍ଟୋବର ମାସରେ ଆର୍ୟାନ୍ ଗିରଫ ହୋଇଥିବା ବେଳେ ଜାମିନ୍ ସର୍ତ୍ତ ମୁତାବକ ସେ ତାଙ୍କ ପାସ୍ପୋର୍ଟ ଜମା କରିଥିଲେ।
ଏବେ କ୍ଲିନ୍ଚିଟ୍ ମିଳିବା ପରେ ସେ ତାଙ୍କ ପାସ୍ପୋର୍ଟ ଫେରସ୍ତ ପାଇଁ ଆବେଦନ କରିବାକୁ ଚାହାନ୍ତି। ଗତ ମେ ମାସରେ ଏନ୍ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍ରେ ଆର୍ୟାନଙ୍କ ନାଁ ନ ରହିଥିବା ବେଳେ ଆର୍ୟାନ୍ ଏହି ମାମଲାରୁ ମୁକ୍ତ ହୋଇଥିଲେ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୨୧ ମସିହା ଅକ୍ଟୋବର ମାସ ଆରମ୍ଭରେ ‘କ୍ରୁଜ୍ ଜାହାଜ’ରେ ଚଢ଼ାଉ ବେଳେ ଆର୍ୟାନ ଖାନ୍ ଡ୍ରଗ୍ସ ମାଲାରେ ସାମିଲ୍ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଏହି ମାମଲାକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଥିଲା। ପରେ ଆର୍ୟାନଙ୍କୁ ଗିରଫ କରାଯାଇଥିଲା।
ପରେ ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍ ରୋଡ୍ ଜେଲ୍ରେ ଥିବା ଆର୍ୟାନ୍ଙ୍କୁ କିଛି ସର୍ତ୍ତ ଭିତ୍ତିରେ ବମ୍ବେ କୋର୍ଟ ଜାମିନ ମଞ୍ଜୁର କରିଥିଲେ। ୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍ୟନ୍ଙ୍କ ଜାମିନ ମଞ୍ଜୁର କରିଥିଲେ। ସେହି ସର୍ତ୍ତଗୁଡ଼ିକ ମଧ୍ରରୁ ଗୋଟାଏ ଥିଲା ପୁଲିସକୁ ନ ଜଣାଇ ଆର୍ୟାନ୍ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ।