ପରୀକୁ ନେଇ ବଢୁଛି ପଲିଟିକ୍ସ ପାରା; ବିଜେଡି-ବିଜେପି ମଧ୍ୟରେ ଓଃ କି ପଲିଟିକ୍ସ!

ପରୀକୁ ନେଇ ବଢୁଛି ପଲିଟିକ୍ସ ପାରା; ବିଜେଡି-ବିଜେପି ମଧ୍ୟରେ ଓଃ କି ପଲିଟିକ୍ସ!

ଓଡ଼ିଆ ଗସିପ୍ ବ୍ଯୁରୋ: ହାସଟାଗ ଜଷ୍ଟିସ ଫର୍ ପରୀ କେତେବେଳେ ଯେ, ପଲିଟିକ୍ସର ପାଲରେ ପଶିଗଲା ତାହା ଜଣାପଡ଼ିଲାନି । ପଶିଲା ଯେ ପଶିଲା ଆଉ ବାହାରକୁ ବାହାରିବାର ନା ଗନ୍ଧ ନେଲାନି । ଶେଷରେ ରାଜ୍ଯରେ ଏବେ ରାଜନୈତିକ ପାରା ଢେର୍ ଉପରକୁ ଉଠିଛି । ଭୁବନେଶ୍ୱରରୁ ନୟାଗଡ଼ର ଯଦୁପୁରକୁ ପଦଯାତ୍ରା କରିଥିବା ବିଜେପି ଟିମ୍ ଗତକାଲି ପରୀ ଗାଁରେ ପହଞ୍ଚିଥିଲା  ।

ପରୀକୁ ନ୍ଯାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଆଜି ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ  ଏବଂ ଘର ଘରକୁ ଦଳ ନେବ ବୋଲି କହିଛି । ଗତକାଲି ଇଟାମାଟିରୁ ଯାତ୍ରା ଆରମ୍ଭ କରିଥିବା ବିଜେପି ସାରେ ଯଦୁପୁର ଗାଁରେ ପହଁଚିଥିଲା ।

ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ବିଜେପି ନେତା ଓ କର୍ମୀ । ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ବାପାଙ୍କୁ ଭେଟିଥିଲେ । ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପିର ତୁଙ୍ଗ ନେତା ଓ ତାଙ୍କ ସାଙ୍ଗରେ ଥିବା ଦଳୀୟ ପଦାଧିକାରୀ ।

ଏଥି ସହିତ ନାବାଳିକାଙ୍କ ହତ୍ଯାର ଅସଲ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ । ପରୀର ବାପା ମା ନାଁ ନେଇଥିବା ଲୋକଙ୍କୁ ପୋଲିସ କାହିଁକି ପଚରାଉଚରା କରୁନି ବୋଲି ବିଜେପି ପ୍ରଶ୍ନ କରିଛି ।

ଏପଟେ ଯଦୁପୁରରେ ନନ୍ଦିଘୋଷ ଟିଭି ଚ୍ଯାନେଲ୍ର କ୍ଯାମେରା ଟିମ୍ଙ୍କୁ ଏକ ବିଜେପି କର୍ମୀଙ୍କ ଆକ୍ରମଣ ଅଭିଯୋଗକୁ ନେଇ ନୟାଗଡ଼ ଟ୍ରାଫିକ୍ ଛକରେ ରାସ୍ତାରୋକ ସହ ଧାରଣା ଦିଆଯାଇଥିଲା । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେଡିର ସମର୍ଥକମାନେ ଲୋକେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିବା ସହ ଧାରଣାରେ ବସିଥିଲେ ।  

Share this story