‘ରାଜ୍ୟ ସରକାର ଡାହାଣୀ ହୋଇ ଗଛ କାଟିଲେ ଆଉ ଗୁଣିଆ ହୋଇ ତଦନ୍ତ କରିବେ’


ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ବଳରାମପୁରରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ୱେ ରାଜ୍ୟସରକାର ଜୋର ଜବରଦସ୍ତ ଭାବେ ସେଠାରେ ଏକ ବୃହତ ବିୟର ଫାକ୍ଟ୍ରି ନିର୍ମାଣ କରିବା ପାଇଁ ଅନୁମତି ଦେବା ସହ ସମସ୍ତ ପ୍ରକାର ସହଯୋଗ ଦେଉଛନ୍ତି । ଯେବେଠାରୁ ଏଠାରେ ମଦ କାରଖାନା ପାଇଁ ରାଜ୍ୟସରକାର ଘୋଷଣା କରିବା ସହ ଅନୁମତି ଦେଲେ ସେବେଠାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ଆସୁଥିବା ବେଳେ ସରକାର କିପରି ସ୍ଥାନୀୟ ଲୋକଙ୍କ ସହ ବିନା ଆଲୋଚନାରେ ସେଠାରେ ମଦ କାରଖାନା ବସାଇବାକୁ ଯାଉଛନ୍ତି ତାହା ଏକ ବଡ ପ୍ରଶ୍ନ ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ।
ଗତକାଲି ବିଜେପି ପକ୍ଷରୁ ବିଧାନସଭାରେ ଏକଥା ଉଠାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ରାତିରେ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଗଛ କାଟି ସାରିଲା ପରେ ଏହି ଆରଡିସି ତଦନ୍ତ କେଉଁ କାମକୁ ? ସାଧାରଣ ଲୋକଙ୍କୁ ଭୁୟାଁ ବୁଲାଇବା ପାଇଁ ଏହି ଆରଡିସି ତଦନ୍ତ କରାଯାଉଛି । ମେକ ଇନ ଓଡିଶାର ପ୍ରଥମ ଉପହାର ହେଉଛି ଏହି ମଦ କାରଖାନା ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସ୍ଥାନୀୟ ଲୋକ ରାଜ୍ୟ ସରକାରଙ୍କର ସେହି ଜଙ୍ଗଲ କଟା ନିଷ୍ପତି ବିରୋଧରେ ଏନଜିଟିରେ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି । ହେଲେ ତା ଆଗରୁ ରାଜ୍ୟ ସରକାର କାହିଁକି ଗଛ କାଟିବାର ନିଷ୍ପତି ନେଲେ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପୁରୋହିତ କହିଛନ୍ତି ଯେ, ଗଛ କାଟିବାକୁ ବିରୋଧ କରୁଥିବା ସାଧାରଣ ନୀରିହ ଲୋକଙ୍କୁ ପୋଲିସ କାହିଁକି ବେଆଇନ ଭାବେ ଗିରଫ କରିଛି, ସେମାନଙ୍କର କି ଦୋଷ ଥିଲା । ସେମାନେ ତ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଆସିଥିିଲେ । ହେଲେ ଯେଉଁଭଳି ଢଙ୍ଗରେ ପୋଲିସ ସେମାନଙ୍କ ଗିରଫ କଲା ତାହା ସମ୍ପୃର୍ଣ୍ଣ ଅଗଣତାନ୍ତ୍ରିକ ।
ଢେଙ୍କାନାଳ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାରେ ପ୍ରଦୁଷଣର ମାତ୍ରା ରାଜ୍ୟରେ ସର୍ବାଧୀକ ଥିଲା ବେଳେ ୧୨ ଏକରର ଘଂଚ ଜଙ୍ଗଲ କାଟିବାକୁ ବନ ବିଭାଗ ଅନୁମତି ଦେଲା କିପରି । ସେହି ଜଙ୍ଗଲରେ ହାତୀମାନେ ରୁହନ୍ତି । ଏବେ ସେଠାରେ ଜଙ୍ଗଲ କାଟି ଦେଲେ ହାତୀମାନେ ଜନପଦ ଆଡକୁ ଆସିବେ ଯାହା ଫଳରେ ଆଗାମୀ ଦିନରେ ମଣିଷ ହାତୀ ଲଢାଇ ବଢିବ । ବିଦ୍ୟୁତ ବିଭାଗ ଏବଂ ବନ ବିଭାଗର ଅପାରଗତା ପାଇଁ ହାତୀ ମରୁଥିବା ବେଳେ ଏବେ ହାତୀ-ମଣୀଷ ଲଢେଇରେ ଉଭୟ ହାତୀ ଓ ମଣିଷ ମରିବେ ସେପରି ପରିସ୍ଥିତି ରାଜ୍ୟ ସରକାର ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।