ହୋସ ଉଡ଼ାଇଲା ଗୟା ସାନ୍ତରାଙ୍କ ସମ୍ପତ୍ତି ଗଣିବା, ଗଣି ଗଣି ଭିଜିଲାନ୍ସ ନୟାନ୍ତ, କୋଟି କୋଟି ଟଙ୍କା ଠାବ...

idcol dm gaya santara in vigilance net over Rs 1 crore cash and crores of deposits found

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡ୍‍କଲ ଅମ୍ପାଭାଲି ଲାଇମ୍‍ ଷ୍ଟୋନ୍‍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଚଢ଼ଉ ବେଳେ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇପଡ଼ିଥିଲେ । ଖାଲି ବ୍ୟାଙ୍କ ଖାତାରେ ୪.୧୯ କୋଟି ଟଙ୍କାର ଜମା ଦେଖି ଚମକି ପଡ଼ିଥିଲେ ତଦନ୍ତକାରୀ ଦଳ ।

ଖାଲି ସେତିକି ନୁହେଁ; ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସେକ୍ଟର-ଏ ପ୍ଲଟ୍‍ ନଂ୬୩/ଏ ରେ ଥିବା ୩ ତାଲା ବିଲ୍ଡିଂ, ଜୟଦେବବିହାର ପ୍ଲଟ୍‍ ନଂ-୨୯୫/୨୩୧୫ରେ କାମ ଚାଲିଥିବା ୪ ତାଲା ବିଲ୍ଡିଂ, କୋରାପୁଟ ଶୁଙ୍କି ଗେଟ୍‍ ନିକଟରେ ଥିବା ଭଡ଼ା ଘର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଗ୍ଲୋବାଲ ଇଂଞ୍ଜିନିୟରିଂ କଲେଜ ପରିସରରେ ଥିବା ଘର, ନୟାଗଡ଼ ପାଟନା ସାହିରେଥିବା ପୈତୃକ ଘର ଏବଂ ରାୟଗଡ଼ା ଜିଲ୍ଲା ପାଇକ ଷ୍ଟ୍ରିଟ୍‌ରେ ଥିବା ଶଶୁରଙ୍କ ଘରେ ମଧ୍ୟ ଚଢ଼ଉ ହୋଇଛି ।

ଜୟଦେବ ବିହାର ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା କୋଠା ଫାଇବ୍‍ ଷ୍ଟାର ହୋଟେଲଠାରୁ କିଛି କମ୍‍ ନୁହେଁ । ଏହା ସହିତ ଗୟାଙ୍କ ନାମରେ ଥିବା ୧୩ଟି ପ୍ଲଟ୍‍ ଠାବ କରାଯାଇଛି । ଭୁବନେଶ୍ୱର,ଯାଜପୁର ଏବଂ ନୟାଗଡ଼ରେ ୧୩ଟି ପ୍ଲଟ୍‍ ରହିଛି । ଭୁବନେଶ୍ୱର ବୋତଣ୍ଡା, ଜଟଣୀ, ବାଲିଅନ୍ତା, ଗାଡ଼କଣ, ପୋଖରୀପୁଟ, ଜୋହଳ, ଝାରପଡ଼ା, ଯାଜପୁର, ଡୋଲିପୁରରେ ୨ଟି, ଖଇରାଡିହିରେ ୩ଟି, ନୟାଗଡ଼ ଜିଲ୍ଲା କୋମାଣ୍ଡରେ ଗୋଟିଏ ପ୍ଲଟ୍‍ ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତି ବିଶେଷ ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବା ଉଚିତ

ଗୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୧୬ଟି ବ୍ୟାଙ୍କ୍‍ ଆକାଉଣ୍ଟ ଥିବା ଠାବ କରାଯାଇଛି । ୧୬ଟି ବ୍ୟାଙ୍କ୍‍ ଆକାଉଣ୍ଟରୁ ୪ଟି ଆକାଉଣ୍ଟରେ ଥିବା ୪.୧୯ କୋଟି ଟଙ୍କା ଠାବ କରାଯାଇଛି । ବାକି ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ । ଚଢ଼ାଉ ବେଳେ ଜବତ ହୋଇଥିଲା ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ଟଙ୍କା ଜବତ ହୋଇଥିଲା । ଏହାସହ ୧ କେଜି ୮୩ ଗ୍ରାମର ସୁନା ଓ ପାଖାପାଖି ୭ କେଜିର ରୁପା ଅଳଙ୍କାର ଜବତ ହୋଇଛି ।

ତାଙ୍କର ୨ଟି ଦାମୀ ଚାରି ଚକିଆ ଗାଡ଼ି (ଗ୍ରାଣ୍ଡ ଆଇ-୧୦ ଏବଂ ହୁଣ୍ଡାଇ କ୍ରେଟା) ଠାବ କରାଯାଇଥିବା ବେଳେ ୪ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍‍ ତାଙ୍କର ସମସ୍ତ ସମ୍ପତ୍ତି ତାଲିକା ପ୍ରସ୍ତୁତି ଚାଲିଥିଲା । ତାଙ୍କର ସମ୍ପତ୍ତି ୧୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଠାବ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ଗୟା କିଛି ହିସାବ ଦେଇ ପାରି ନ ଥିଲେ । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଆସନ୍ତାକାଲି ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ଚଢ଼ଉରେ ୭ ଜଣ ଡିଏସ୍‍ପି, ୪ ଜଣ ଇନ୍ସପେକ୍ଟର, ୧ ଏସ୍‍ଆଇ, ୭ ଜଣ ଏଏସ୍‍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ୍‍ ହୋଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ନୂଆ ବାହା ହୋଇଥିବା ବୋହୂ କାହିଁକି ଉଠି ପାରନ୍ତିନି ସକାଳୁ? କାରଣ ଜାଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ 

ଓଡ଼ିଶା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଚତୁର୍ଥ ସର୍ବାଧିକ ମୋଟ ନଗଦ ଟଙ୍କା ଜବତ:

ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି । ଏହା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଜବତ ହୋଇଥିବା ଚତୁର୍ଥ ସର୍ବାଧିକ ନଗଦ ।

ଏହି ବର୍ଷ ଏପ୍ରିଲ ମାସରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭଞ୍ଜନଗର ଲଘୁ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଚଢ଼ାଉ ପରେ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ, ଯାହା କି ଏ ପର୍ଯ୍ୟନ୍ତ ସର୍ବାଧିକ ନଗଦ ପରିମାଣ ହୋଇ ରହିଛି ।

ଏ ବର୍ଷ ହିଁ ମାର୍ଚ୍ଚରେ ମାଲକାନଗିରି ଆରଡବ୍ଲୁ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢ଼ାଉ କରି ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ, ଯାହା କି ଦ୍ୱିତୀୟ ସର୍ବାଧିକ ପରିମାଣର ଜବତ ଟଙ୍କା ।

ଏ ବର୍ଷ ଫେବ୍ରୁଆରୀରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କ ଘରେ ଚଢ଼ାଉରୁ ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା, ଯାହା କି ତୃତୀୟ ସର୍ବାଧିକ ଜବତ ନଗଦ ପରିମାଣ ।

Share this story