ଆଜିି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳର ପର୍ବ ଅକ୍ଷୟ ତୃତୀୟା

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୁରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି।
ଏହିଦିନ କୃଷକମାନେ ଭଲ ସମୟ ଦେଖି ଅଖିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭଦାୟକ ହୋଇଥିବାରୁ, ପ୍ରାୟତଃ ଏହିଦିନ ଗୃହନିର୍ମାଣ, ଗୃହପ୍ରତିଷ୍ଠା, ନିର୍ବନ୍ଧ, ବିବାହ, ଉପନୟନ ଆଦି ଶୁଭ କର୍ମମାନ ଅନୁଷ୍ଠିତ ହୁଏ। ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ତ୍ୱ ଯଥେଷ୍ଟ ଅଧିକ ।
ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି । ଅକ୍ଷୟ ତୃତୀୟାରେ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ। ଏହି ଦିନ ସ୍ବର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରିଦିଅନ୍ତି ବୋଲି ବିଶ୍ବାସ ଅଛି। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରାଯାଏ। ‘ଗୀତଗୋବିନ୍ଦ’ର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ।
ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ
ବଦ୍ରି-ନାରାୟଣ କପାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ ଅବତରଣ କରିଥିଲେ ବୋଲି କିମ୍ବଦନ୍ତୀ କୁହେ। ଅକ୍ଷୟ ତୃତୀୟା ଦିନ ସକାଳେ ଶଙ୍ଖ ଓ ହୁଳହୁଳି ଧ୍ବନି ମଧ୍ୟରେ ଚାଷୀମାନେ ହଳଦୀ, ଚନ୍ଦନ ଓ ସିନ୍ଦୂର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣି ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠାପଣାକୁ ମୁଣ୍ଡରେ ଥୋଇ, ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଯାଏ।
ଏହାପରେ ସେହି ଭୋଗକୁ କ୍ଷେତର ଈଶାଣ କୋଣରେ ପୋତି ହଳ ବୁଲାଯାଏ ଓ ମୁଠାମୁଠା ବିହନ କିଆରିରେ ବୁଣାଯାଏ, ଯାହାକୁ ଅଖିମୁଠି ବୋଲି କୁହାଯାଏ। ସଧବା ମହିଳାମାନେ ଏହିଦିନ ଷଠୀଦେବୀଙ୍କ ପୂଜା କରିଥାନ୍ତି। ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ ପାଇଁ ଅନୁକୂଳ କରାଯାଏ।
ବିଧି ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢ଼ି ଲଗାଇ ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ଦେଉଳ ପୁରୋହିତ, ରାଜଗୁରୁ ଓ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବନଜାଗ ପୂଜା ସମ୍ପାଦନା କରିଥାନ୍ତି।
ଅଧିକ ପଢନ୍ତୁ : ନଖରୁ ଜାଣନ୍ତୁ ଆପଣଙ୍କ ଲିଭର୍ ଠିକ୍ ଅଛି କି ନାହିଁ ? ନଖର ରଙ୍ଗ ଏସବୁ ଗମ୍ଭୀର ରୋଗର ଦିଏ ସଙ୍କେତ...
ରୂପକାର, କମାର, ଚିତ୍ରକର, ଭୋଇ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢ଼ିବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ । ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି।
କୃଷି ଓ କୃଷକଙ୍କୁ ଉପଯୁକ୍ତ ସମ୍ମାନ ଦେବା ତଥା ସମସ୍ତ ଚାଷୀଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦ୍ଦେଶ୍ୟ। କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜୀବିତ ରହିଛି । ଏହି ପବିତ୍ର ଦିନରେ ଯେକୌଣସି ଧର୍ମକାର୍ଯ୍ୟ କଲେ କ୍ଷୟ ନ ହୋଇ ଅକ୍ଷୟ ହୋଇ ରହିଥାଏ ବୋଲି ବିଶ୍ବାସ ରହିଛି।
ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍...