ରାଜଧାନୀବାସୀଙ୍କୁ ବାଈ କରିଛି ପବ୍ ଏବଂ ଡ୍ୟାନ୍ସ ବାର, ଏହି ୬ଟି କାରଣ ପାଇଁ ପରିବର୍ତ୍ତନ ହେଉଛି ସହରୀ ଲୋକଙ୍କ ଜୀବନଶୈଳୀ

These are six reason why Bhubaneswar denizens used to spend time in pub and dance bar

ଓଡ଼ିଆ ଗସିପ ବ୍ୟୁରୋ: ମେଟ୍ରୋ ସିଟି ଭଳି ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ଆଧୁନିକୀକରଣର ପ୍ରଭାବ ବଢ଼଼ିବାରେ ଲାଗିଛି । ମାୟାନଗରୀ ମୁମ୍ବଇ, ନୂଆଦିଲ୍ଲୀ ଭଳି ଆମ ସହରରେ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି । ସହରର ଯୁବପିଢ଼ିଙ୍କର ଏହି ଆବଶ୍ୟକତାକୁ ନଜରରେ ରଖି ଅନ୍ୟ ସହର ଭଳି ଭୁବନେଶ୍ୱରରେ ପବ୍‌‌ମାନ ଗଢ଼ିଉଠିଛି । ଏଠାରେ ମନୋରଞ୍ଜନର ଭରପୂର ସୁବିଧା ଥିବାରୁ ଯୁବପିଢ଼ି ଏଥିପ୍ରତି ଆକର୍ଷିତ ହେଉଛନ୍ତି ।

ଝିଲ୍‌‌ମିଲ୍‌‌ ଆଲୁଅ ସହ ଇଚ୍ଛାମୁତାବକ ଗୀତର ତାଳେ ତାଳେ ନିଶାରେ ମତୁଆଲା ଯୁବପିଢ଼ି ମନ ଖୋଲା ନାଚନାଚି ଖୁସୀ ଅନୁଭବ କରୁଛନ୍ତି । ଅନେକ ଅବସାଦ ମେଣ୍ଟାଇବା ପାଇଁ ମଧ୍ୟ ପବ୍‌‌ ଯାଉଥିବା ବେଳେ ଅନେକ ଏହାକୁ ଜୀବନଶୈଳୀ ଭାବେ ଧରି ନେଇଛନ୍ତି । ସେଠାରେ ଖାଦ୍ୟପେୟ ସହ ମୃଦୁ ପାନୀୟ ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ମେଣ୍ଟାଇବାରେ ସହାୟକ ହେଉଛି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରେ ୧୨ଟି ଛୋଟ ବଡ଼ ପବ୍‌‌ ରହିଛି। ତନ୍ମଧ୍ୟରୁ ୪ଟି ବିଳାସପୂର୍ଣ୍ଣ ପବ୍‌‌ ରହିଛି । ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି । ହୁକାଠାରୁ ଆରମ୍ଭ କରି ଖାଇବା ପିଇବା ଏବଂ ଶୀତତାପ ନିୟନ୍ତ୍ରିତ କୋଠରିରେ ଏସବୁ ଉପଭୋଗ କରିବାର ବ୍ୟବସ୍ଥା ରହିଛି। ତେଣୁ ଯୁବଗୋଷ୍ଠୀ ଓ ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ପବ୍‌‌ର ଚାହିଦା ବଢ଼଼ିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ : ସତୀଶ କୌସିକଙ୍କ ମୃତ୍ୟୁରେ ଆସିଲା ବଡ ଟ୍ୱିଷ୍ଟ, ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ପବ୍‌‌ ପାଇଁ ଅନୁମତି : ଅନ୍ୟ ବଡ଼ ସହର ଭଳି ଏଠାରେ ପବ୍‌‌ ପାଇଁ ସ୍ୱତନ୍ତ୍ର ଆଇନ୍‌‌ ବ୍ୟବସ୍ଥା କରିନାହାଁନ୍ତି । ପବ୍‌‌ ପାଇଁ ପ୍ରଥମେ ପୁଲିସ ଠାରୁ ଲାଉଡ୍‌‌ ସ୍ପିକର ଅନୁମତି ଅଣାଯାଏ । ପରେ ସେମାନେ ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ପାଇଁ ଅବକାରୀ ବିଭାଗ ଠାରୁ ଅନୁମତି ଆଣିବାକୁ ପଡ଼ିଥାଏ ।

ପବ୍‌‌ ମାଲିକମାନେ ଅବକାରୀ ବିଭାଗକୁ ବିଭିନ୍ନ ଦେୟ ବାବଦରେ ୧୫ ଲକ୍ଷ ୫୦ ହଜାର ଟଙ୍କା ଦେଇ ବର୍ଷକ ପାଇଁ ଅନୁମତି ନେଇଥାନ୍ତି । ସନ୍ଧ୍ୟା ୮ଟାରୁ ରାତି ୧୨ପର୍ଯ୍ୟନ୍ତ ପବ୍‌‌ ଚାଲିଥାଏ । ଏପରିକି ସ୍ୱତନ୍ତ୍ର ଦିନଗୁଡ଼ିକରେ ଅଧିକ ସମୟ ପବ୍‌‌ ଖୋଲା ରଖିବାକୁ ମାଲିକମାନେ ଅନ୍‌‌ଲାଇନ୍‌‌ରେ ଆବେଦନ କରି ଅନୁମତି ଆଣନ୍ତି । ଏଥିଲାଗି ସେମାନେ ୫ହଜାର ଟଙ୍କା ଅତିରିକ୍ତ ଦେଇଥାଆନ୍ତି ।

ଆକର୍ଷଣରେ ଜନ୍ମଦିନ ପାଳନ : ବିଶେଷ କରି ଏବେ ପବ୍‌‌ରେ ଜନ୍ମଦିନ ପାଳନ କରିବାକୁ ଯୁବପିଢ଼ି ଅଧିକ ପସନ୍ଦ କରୁଛନ୍ତି । ଜନ୍ମଦିନରେ ସାଙ୍ଗସାଥୀଙ୍କୁ ନେଇ ପୁଅ, ଝିଅ ଏକାଠି ନାଚ ଗୀତରେ ମଜ୍ଜି ରହୁଛନ୍ତି । ଏପରିକି ପବ୍‌‌ରେ କରାଯାଇଥିବା ସ୍କ୍ରିନ୍‌‌ରେ ଜନ୍ମଦିନର ଶୁଭେଚ୍ଛା ଲେଖାଯିବା ସହ ସେଥିରେ ତାଙ୍କର ଫଟୋ ଡିସ୍‌‌ପ୍ଲେରେ ଦେଖାଇଥାଏ । ଏପରିକି ସେଠାରେ ମଧ୍ୟ ଜନ୍ମଦିନ ପାଳନ କରୁଥିବା ବ୍ୟକ୍ତି ଗନ୍‌‌ ସଟ୍‌‌ ମଧ୍ୟ କରିପାରିବେ ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ଶେଷରେ ଖାଦ୍ୟ ଖାଇବା ସହ ବିଭିନ୍ନ ବ୍ରାଣ୍ଡର ମଦ ପିଇପାରିବେ । ନିର୍ମାଣ ହୋଇଥିବା ଷ୍ଟେଜ୍‌‌ ନିକଟରେ ପୁଅ, ଝିଅ ପାଦକୁ ପାଦ ମିଳାଇ ନାଚିଥାନ୍ତି । ପବ୍‌‌ ଭିତରେ ସୁରାପାନ ନିମନ୍ତେ ସୁସଜ୍ଜିତ ଟେବୁଲ୍‌‌ ପଡ଼ିଥାଏ । ନିଶାସକ୍ତ ଯୁବପିଢ଼ି ଇଚ୍ଛାମୁତାବକ ଷ୍ଟେଜ୍‌‌ ନିକଟକୁ ଯାଇ ନାଚିଥାଆନ୍ତି । କିନ୍ତୁ ଜନ୍ମଦିନ ପାଇଁ ବିଶେଷ ଅଫର୍‌‌ ରହିଥାଏ । ୨୦ରୁ ୩୦ ହଜାର ଟଙ୍କା ଦେଲେ ଗୋଟିଏ ଦିନ ପାଇଁ ବୁକ୍‌‌ ହୋଇଥାଏ ।

ସ୍ପେଶାଲ ଡେ’ରେ ଅଧିକ ଦାମ୍‌‌ : ପବ୍‌‌ ଭିତରକୁ କେବଳ ପୁଅମାନଙ୍କୁ ଅନେକ ସମୟରେ ବାରଣ କରାଯାଇଥାଏ । କିନ୍ତୁ ଚିହ୍ନା ଜଣାରେ ଭିତରକୁ ଛାଡ଼ିଥାନ୍ତି । କିନ୍ତୁ ସେମାନଙ୍କୁ ମଞ୍ଚ ନିକଟରେ ଯୁବତୀମାନଙ୍କ ସହ ନାଚିବାକୁ ବାରଣ କରାଯାଇଥାଏ । ସେମାନେ କେବଳ ଟେବୁଲରେ ବସି ମଦ ପିଇବାର ସୁଯୋଗ ପାଇଥାଆନ୍ତି । ନାଚିବାକୁ ପାଦ ବଢାଇଲେ ସେଠାରେ ଥିବା ବାଉନ୍ସରମାନେ ସେମାନଙ୍କୁ ବାରଣ କରିଥାଆନ୍ତି ।

ହେଲେ ପ୍ରେମୀ ଯୁଗଳଙ୍କୁ ସେଠାରେ ସାଧାରଣ ଦିନରେ ମୁକ୍ତ ପ୍ରବେଶ ବ୍ୟବସ୍ଥା ଥାଏ । କେବଳ ଶନିବାର ଏବଂ ରବିବାର ପ୍ରବେଶ ଦେୟ ବାବଦରେ ଦୁଇ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିଥାଏ । ଏଥିସହ ପ୍ରେମ ଦିବସ, ନୂଆବର୍ଷ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦିନଗୁଡ଼ିକରେ ପ୍ରବେଶ ଦେୟ ପଡ଼ିଥାଏ । ଅନେକ ପବ୍‌‌କୁ କେବଳ ପୁଅମାନଙ୍କୁ ଭିତରକୁ ଛଡ଼ା ଯାଉଥିଲେ ମଧ୍ୟ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ ।

ହୁକା ପାଇଁ ଅନୁମତି : ପବ୍‌‌ ଭିତରେ କେବଳ ହୁକା ଟାଣିବା ପାଇଁ ଅନୁମତି ରହିଛି । ହେଲେ ହୁକା ବାର୍‌‌ଠାରୁ ପବ୍‌‌ରେ ହୁକାର ଦର ଅଧିକ ରହିଥାଏ । ଥରେ ହୁକା ଟାଣିଲେ ସେମାନେ ୧ହଜାରରୁ ୨ହଜାର ଟଙ୍କା ଅଧିକ ଦେବାକୁ ପଡ଼ିଥାଏ । ପବ୍‌‌ରେ ବିଭିନ୍ନ ଫ୍ଲେଭରର ହୁକା ମିଳିଥାଏ । ଗ୍ରାହକମାନେ ନିଜ ମନ ପସନ୍ଦର ହୁକା ଅର୍ଡର କରି ନେଇଥାନ୍ତି । ହୁକା ସବୁ ଯୁବଗୋଷ୍ଠୀଙ୍କର ପସନ୍ଦର ଜିନିଷ ହୋଇ ନ ଥିଲେ ମଧ୍ୟ ୨୦ରୁ ୨୫ ପ୍ରତିଶତ ଯୁବଗୋଷ୍ଠୀ ହୁକା ପ୍ରତି ଆଗ୍ରହ ଦେଖାଉଛନ୍ତି ।

ଆହୁରି ପଢ଼ନ୍ତୁ : ୧୫ କୋଟି ଟଙ୍କା ପାଇଁ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି; ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା

ନାଚିବା ପାଇଁ ମିଳୁଛି ସାଥୀ : ରାଜଧାନୀରେ ଅନେକ ପବ୍‌‌ରେ ନାଚିବା ପାଇଁ ସାଥୀ ମିଳୁଛନ୍ତି । ଅନେକ ଯୁବକଙ୍କ ପ୍ରେମିକା ନ ଥିବାରୁ ସେମାନେ ପବ୍‌‌ ଯାଇ ପାରୁନାହାନ୍ତି । ସେମାନଙ୍କ ପାଇଁ ଖୁବ୍‌‌ କମ୍‌‌ ପବ୍‌‌ରେ ବ୍ୟବସ୍ଥା ରହିଛି । ପବ୍‌‌ର କର୍ମଚାରୀଙ୍କ ଅନୁମତିରେ ସେମାନେ ଯୁବତୀଙ୍କ ସହ ନାଚିବାର ଅନୁମତି ପାଇଥାନ୍ତି । ସେମାନଙ୍କୁ କିଛି ଖର୍ଚ୍ଚ ଏବଂ ପିଇବା, ଖାଇବା ଦେଲେ ପବ୍‌‌ରେ ସେମାନଙ୍କ ସହ ନାଚିପାରୁଛନ୍ତି । ଅନେକ ସମୟରେ ପବ୍‌‌ ମଧ୍ୟରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳୁଛି ।

ପବରୁ ପ୍ରେମ : ଏବେ ଅନେକ ଯୁବତୀ ପ୍ରେମରେ ବିଫଳ ହେବା ପରେ ପବ୍‌‌ ଯାଉଛନ୍ତି । ସେମାନେ ସେଠାରେ ମଦ ପିଇ ଏକାକୀ ନାଚିବା ସମୟରେ କୌଣସି ଯୁବକଙ୍କ ସହ ପରିଚିତ ହୋଇଥାଆନ୍ତି । ପରେ ସେଠାରେ ସେମାନେ ପରସ୍ପର କଥା ହେବା ପରେ ପ୍ରେମ ସମ୍ପର୍କ ଗଠି ଉଠିଥାଏ । ପରେ ସେମାନେ ନିର୍ଦ୍ଧିଷ୍ଟ ବାରରେ ପବ୍‌‌ ଯାଇ ମନ ଖୁସୀ କରି ନାଚିଥାଆନ୍ତି । ଜଣେ ପବ୍‌‌ ମାଲିକ କହିଛନ୍ତି ଯେ, ତାଙ୍କ ପବ୍‌‌ରେ ୩୦ରୁ ଊର୍ଦ୍ଧ୍ବ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ କରିଛନ୍ତି । ପବ୍‌‌ କଲଚରକୁ ନ କରାତ୍ମକ ମନୋଭାବ ନେଇ ଦେଖାଯିବା ଉଚିତ୍‌‌ ନୁହେଁ । ଆମୋଦପ୍ରମୋଦର ଏହା ଏକ ବଡ଼ ମାଧ୍ୟମ । ସବୁ ବର୍ଗର ଲୋକେ ଏଠାକୁ ଆସୁଛନ୍ତି ଓ ସମୟ ଅତିବାହିତ କରୁଛନ୍ତି । ତେବେ ମାତ୍ରାଧିକ ଯୁବପିଢ଼ି ଆସୁଛନ୍ତି ବୋଲି ସେ କହିଛନ୍ତି ।

Share this story