ବିଷାକ୍ତ ସାପର ଭୟ, ସର୍ପାଘାତରେ ଦୁଇ ଶିଶୁକନ୍ୟାଙ୍କର ମୃତ୍ୟୁ ସନ୍ଦେହ

ଓଡ଼ିଆ ଗସିପ୍ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମର ତିନି ବର୍ଷର ଶିଶୁକନ୍ୟାର ସର୍ପ।ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଉକ୍ତ ଗ୍ରାମର ହିତୁଡ଼ ବିନ୍ଧାଣୀଙ୍କ ତିନି ବର୍ଷ ବୟସର ଝିଅ ତନୁ ବିନ୍ଧାଣୀ ଆଜି ଘର ପାଖରେ ବୁଲାବୁଲି କରି ଘରକୁ ଫେରିବା ପରେ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଥିଲା । ଘର ଲୋକେ ଜାଣିବା ବେଳକୁ ଝିଅର ଗୋଡ଼ରୁ ରକ୍ତ ବାହାରୁଥିଲା । ତେବେ ପରିବାର ଲୋକେ ସଙ୍ଗେସଙ୍ଗେ ଝିଅକୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମୋରଡା ଡାକ୍ତରଖାନାକୁ ନେଇଯାଇଥିଲେ ।ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଝିଅଟି ଜିଭ କାମୁଡି ଅଚେତ ହୋଇପଡିଥିଲା ଏବଂ ଝିଅଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ ।
ଖବର ପାଇ ଘଟଣାସ୍ଥଳରେ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାପଡିଛି । ଯାହାକୁ ନେଇ ମୋରଡା ଥାନାରେ ୨୬/୨୩ ରେ ଏକ ଅପମୃତ୍ୟୁ ରୁଜୁ କରାଯାଇଥିବା ଜଣାପଡିଛି। ତେବେ ତନୁଶ୍ରୀଙ୍କୁ ବିଷାକ୍ତ ସାପ କାମୁଡି ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।
ଅଧିକ ପଢନ୍ତୁ :- ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର
ଅନ୍ୟ ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଟିଆସିଁ ଗ୍ରାମର ଚାରି ବର୍ଷର ଶିଶୁକନ୍ୟାର ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ସର୍ପାଘାତରେ ମୃତ୍ୟୁ ଘଟିଥିବାର ଆଶଙ୍କା ସୃଷ୍ଟି ହୋଇଛି । ଶିଶୁକନ୍ୟାଟି ଘର ପାଖରେ ବୁଲାବୁଲି କରି ଘରକୁ ଫେରିବା ପରେ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଥିଲା । ଏହା ଦେଖି ଝିଅ ଭୂମିକା ନାୟକଙ୍କୁ ବାପା ଭଗ ନାୟକ ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ଭୂମିକାଙ୍କୁ ମୃତ ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ
ଘଟଣାସ୍ଥଳରେ ମୋରଡା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏନେଇ ମୋରଡା ଥାନାରେ ୨୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ। ତେବେ ଭୂମିକାଙ୍କୁ ବିଷାକ୍ତ ସାପ କାମୁଡି ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଉଭୟ ଘଟଣା ସାପ କାମୁଡିବା ପରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।