ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ କରିବ ଆମେରିକାର ତଦନ୍ତକାରୀ ସଂସ୍ଥା FBI, ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯିବନାହିଁ: ମୁଖ୍ୟମନ୍ତ୍ରୀ

Odisha police prays FBI to investigate into the murder of Naba Das

ଓଡ଼ିଆ ଗସିପ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଉଛନ୍ତି । ମାନ୍ୟବର ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ଜଣେ ଜଜ୍ ନିଯୁକ୍ତ କରିବା ପରେ ପୁରା ପୁଲିସର ତଦନ୍ତ ନ୍ୟାୟିକ ତଦାରଖ କରାଯାଉଛି ।

ତେବେ ରାଜ୍ୟର ବିରୋଧୀ ଦଳ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ନେଇ ଗତ କିଛି ଦିନ ହେବ ରାଜନୀତିର ରୁଟି ସେକୁଥିବା ବେଳେ, ଆଜି ଏନେଇ ବିଧାନସଭାରେ ନିଜ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବିବୃତିରେ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି ।

ଆହୁରି ପଢ଼ନ୍ତୁ : ଚଳନ୍ତା ଟ୍ରେନ୍‌‌ରୁ ଡେଇଁପଡ଼ିଲେ ଯୁବକ, ମୃତ୍ୟୁ ମୁହଁରୁ ଟାଣି ଆଣିଲେ ଆରପିଏଫ୍‌ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ, ଦେଖନ୍ତୁ ଭିଡ଼ିଓ...

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି ।

ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇ ଅଛି । ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇ ଅଛି ।

ଅଭିଯୁକ୍ତ ଠାରୁ ସତ୍ୟ କାଢିବା ତଥା ଅଧିକ ତଥ୍ୟ ବାହାର କରିବା ପାଇଁ ଗୁଜୁରାଟ ଗାନ୍ଧିନଗରରେ ରାଜ୍ୟ ଫରେନସିକ୍‌ ଲ୍ୟାବରେ ବିଶେଷଜ୍ଞଙ୍କ ଦ୍ବାରା କରାଯାଇଅଛି । ହତ୍ୟା କାଣ୍ଡର ପକୃତ ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ :

ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ : ଆପଣ ପାଇଁ ପ୍ରଶ୍ନ: ଅସ୍ତ୍ରୋପଚାର ସମୟରେ ଡାକ୍ତର କାହିଁକି ପିନ୍ଧନ୍ତି ସବୁଜ ରଙ୍ଗର ପୋଷାକ ?

ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ ଏଫବିଆଇର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ । ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏ ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ନବ ଦାସ ହତ୍ୟା ଘଟଣାର ତଦନ୍ତ ପାଇଁ ଯାହା ବି କିଛି ଆବଶ୍ୟକ ତାହା ନିଶ୍ଚିତ କରାଯିବ । ମୁଖ୍ୟମନ୍ତ୍ରୀ ଗୃହକୁ ପୁନଃ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ । ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା । ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share this story

World Odia Language Conferene