ଚୌକି ପାଇଁ 'ସମାଜ'ରେ ବିଷର ବୀଜ, ସଭାପତି, ସମ୍ପାଦକ ଦୌଡ଼ରେ କିଏ?
ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜରେ ଦୀର୍ଘ ବର୍ଷ ହେଲା ବିଷର ବୀଜ ବୁଣି ଚାଲିଥିବା କିଛି ସ୍ବାର୍ଥନ୍ବେଷୀ କ୍ଷମତାନ୍ଧ କର୍ମକର୍ତ୍ତାଙ୍କ ଚୌକି ମୋହ ଏହି ଅନୁଷ୍ଠାନ ପାଇଁ ନୂଆ କଥା ନୁହଁ । କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଉକ୍ତ ଅନୁଷ୍ଠାନ ବହୁବାର ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଥାନା ପୁଲିସ କୋର୍ଟ ଯାଏଁ ବହୁ ମାମଲା ଗଡ଼ୁଛି । ଗୋପଵନ୍ଧୁଙ୍କ ନୀତି ଆଦର୍ଶରେ ଠିଆ ହୋଇଥିବା ସମାଜ ଅନୁଷ୍ଠାନର କରିତକର୍ମା କର୍ମକର୍ତ୍ତା, ପରିଚାଳନା ମଣ୍ଡଳୀ କର୍ତ୍ତୃପକ୍ଷଙ୍କ ତଥାପି ଚେତା ପଶୁନି ।
ପିଢି ପରେ ପିଢି ଲୋକମାନେ ଆସି ସମାଜରେ ଯୋଗଦେବା ପରେ ଦୁର୍ନୀତିରେ ଛନ୍ଦି ହୋଇ ଦିଲ୍ଲୀରୁ ପଲ୍ଲି ଯାଏଁ ତୋଷାମଦ କରି ଅନୁଷ୍ଠାନକୁ ରସାତଳଗାମୀ କରିବାକୁ ପଛାଉ ନାହାନ୍ତି । ସମାଜରେ ନୀତି ଆଦର୍ଶ କମ ବରଂ ଦୁର୍ନୀତି ହିଁ ଏକମାତ୍ର ଆଦର୍ଶରେ ପରିଣତ ହୋଇଛି କହିଲେ ଭୁଲ ହେବ ନାହିଁ । ଗୋପବନ୍ଧୁଙ୍କ ଭଳି ବୃହତ୍ତ ଚିନ୍ତାଧାରା ସମ୍ପନ୍ନ ଏହି ଅନୁଷ୍ଠାନ ସମ୍ପ୍ରତି କିଛି କ୍ଷୁଦ୍ର ମାନସିକଧାରୀଙ୍କ ଗନ୍ତାଘର ପାଲଟିଛି । ଫଳରେ ସମାଜର ଲକ୍ଷାଧିକ ଓଡ଼ିଆ ପାଠକପାଠିକା ଏବଂ ଗୋପବନ୍ଧୁଙ୍କ ନୀତି ଆଦର୍ଶ ପାଇଁ ଏହା କୁଠାରାଘାତ ହୋଇଛି ।
ସଦ୍ୟ ପ୍ରଘଟିତ ବୋର୍ଡ଼ ମେମ୍ବରଙ୍କ ମଣ୍ଢା କଳିକୁ ନେଇ ସମାଜ ପୁଣି ଚର୍ଚ୍ଚାରେ ରହିଛି । ଦିଲ୍ଲୀସ୍ଥିତ ଲୋକସେବକ ମଣ୍ଡଳର ସଭାପତି ଏବଂ ସମ୍ପାଦକ ପଦ ପାଇଁ ତାଙ୍କ ତାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ବୟସର ସୟାହ୍ନରେ ରହିଥିବା ଜଣେ ଭଣ୍ଡବ୍ୟକ୍ତିଙ୍କୁ ସମାଜର ମୋହ ଏତେ ଘାରିଛି ଯେ, ସେ ଲୋକସେଵକ ମଣ୍ଡଳରୁ ଆରମ୍ଭ କରି ଓଡ଼ିଶା ପରିଚାଳନା ବୋର୍ଡ଼ ଓ ସମାଜ ଅନୁଷ୍ଠାନର ୮ଟି ପଦ ମାଡ଼ି ବସିଛନ୍ତି ।
ଅଧିକ ପଢ଼ନ୍ତୁ : ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ ଇତିଶ୍ରୀ, ବିଜେପିକୁ ଲାଗିବ କି ଶକ୍ତ ଧକ୍କା ?
ପଶ୍ଚିମ ଓଡ଼ିଶାର ରାଉରକେଲା ସଂସ୍କରଣରେ ଜଣେ କର୍ମକୁଢିଆ ଭଣଜାକୁ ବସାଇ ସେଠାରେ ବି ନିଜ ପତିଆରା ଜାହିର କରିବାର ହୀନ ଉଦ୍ୟମ ଚଳାଇଛନ୍ତି । କଂସ ମାମାର ଭଣଜା ପ୍ରୀତି ଏତେ ଯେ, ସେଥିପାଇଁ ରାଉରକେଲା ସଂସ୍କରଣର ଜଣେ ଶାଖା ପରିଚାଳକକୁ ବହିଷ୍କାର, ଜଣେ କର୍ମଚାରୀକୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ଦୁଇଜଣ କର୍ମଚାରୀଙ୍କୁ ସେଠାରୁ ବଦଳି କରାଯାଇଛି ।
ଗେରୁଆ ଅଙ୍ଗବସ୍ତ୍ର ଭିତରେ ନଣ୍ଡା ମୁଣ୍ଡକୁ ଲୁଚାଇବା ପାଇଁ ପଗଡ଼ି ବାନ୍ଧି ବୁଲୁଥିବା ଏହି ଭଣ୍ଡ ବାବାଙ୍କ ମହିଳା ପ୍ରୀତି ବି କିଛି କମ ନୁହଁ । କେହି କେହି ତାଙ୍କୁ ସମାଜର ବାପୁ ଆଶାରାମ କହିବାକୁ ପଛାନ୍ତି ନାହିଁ । ସମ୍ପାଦକ ପଦରେ ଅବସ୍ଥାପିତ ହୋଇ ସମାଜ ଭଳି କାଗଜରେ ଗୁରୁତର ବିଭ୍ରାଟ କରି ଏବେ ପଦରୁ ବିତାଡ଼ିତ ହେବା ପରିସ୍ଥିତି ଏହି ଭଣ୍ଡ ପାଇଁ ଉପନୀତ । ତେଣୁ ସମ୍ପାଦକ ଚୌକିକୁ ନିଜ ହସ୍ତମୁଦି ମହାଲ ପରି ରଖିବା ପାଇଁ ନିଜର ଜଣେ ଲୋକଙ୍କୁ ସମ୍ପାଦକ ପଦରେ ବସାଇବା ପାଇଁ ଭଣ୍ଡବାବା ଜୋରଦାର ଲବି ଆରମ୍ଭ କରିଛନ୍ତି ।
ଅପରପକ୍ଷରେ ଅନ୍ୟ ସକ୍ରିୟ ଗୋଷ୍ଠୀ ଭଣ୍ଡବାବାର ମୁଖାକୁ ଖୋଲିବା ପାଇଁ ଯତପରନାସ୍ତି ଉଦ୍ୟମ ଜାରି କରିଛନ୍ତି । ଲୋକ ସେବକ ମଣ୍ଡଳର ସଭାପତି ଓ ତାଙ୍କ ସମର୍ଥନରେ ରହିଥିବା ଆଉ ଦୁଇ ଜଣ ସଭ୍ୟଙ୍କ ସହ ମୋଟ ତିନିଜଣ ଭଣ୍ଡ ବାବାକୁ ଓଡ଼ିଶା ପରିଚାଳନା ବୋର୍ଡ଼ର ଅଧ୍ୟକ୍ଷ, ସମାଜ ସମ୍ପାଦକ ପଦରୁ ହଟାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ସେହିଭଳି ଭଣ୍ଡବାବା ସମର୍ଥନରେ ତାଙ୍କ ଚେଲାଚାମୁଣ୍ଡ ଯୋଡ଼ି ୫ଜଣ ମେମ୍ବର, ଲୋକ ସେବକ ମଣ୍ଡଳ ସଭାପତିଙ୍କୁ ହଟାଇବା ପାଇଁ ଚକ୍ରାନ୍ତ ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଭୟଙ୍କର ଭୂସ୍ଖଳନ; ବିରାଟ ପଥର ତଳେ ଚାପି ହୋଇଗଲା ୩ କାର, ମୃତକଙ୍କ ସଂଖ୍ୟା ଅସ୍ପଷ୍ଟ...
ତେବେ ସଭାପତିକୁ ହଟାଇବା ପାଇଁ ତିନି ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ଥିବାରୁ ୬ଜଣ ସଭ୍ୟଙ୍କ ସମର୍ଥନ ବିନା ଲୋକସେବକ ମଣ୍ଡଳର ସଭାପତିଙ୍କୁ ପଦରୁ ହଟାଇବା ଅସମ୍ଭବ ବ୍ୟାପାର । ଯାହାକି ଏବେ ଭଣ୍ଡ ଗୋଷ୍ଠୀ ପାଇଁ ବେକର କଣ୍ଟା ସଦୃଶ ହୋଇଛି । ଏପଟେ ସମାଜ ପରିଚାଳନା ବୋର୍ଡ଼ ଭାଙ୍ଗିବା ପାଇଁ ଭଣ୍ଡ ବାବା ବିରୋଧି ଗୋଷ୍ଠୀ ବି ଲାଗିଛନ୍ତି । ଏପରି ହେଲେ ବାବାଙ୍କ ସମସ୍ତ କର୍ତ୍ତୁତ୍ବ ହାତରୁ ଖସିଯିବ ।
ଏଭଳିସ୍ଥିତିରେ ଏହି ଚକ୍ରବ୍ୟୁହନରୁ ସେ କେମିତି ମୁକୁଳିବେ ଅନ୍ୟୋପାୟ ନହୋଇ ନିଷ୍କପଟ ମହାପ୍ରବନ୍ଧକଙ୍କ ଉପରେ ଚାପ ପ୍ରୟୋଗ କରି ସମାଜ ନିରୀହ କର୍ମଚାରୀ ଉପରେ ବହୁବିଦ୍ଧ କଟକଣା ଜାରି କରିଥିବା ଶୁଣିବାକୁ ମିଳିଛି । ବାବା ଅନୁମତିରେ ସମାଜରେ ଯେଭଳି ପତ୍ର ବି ନହେଲେ ତାର ସମସ୍ତ ବ୍ୟବସ୍ଥା କରୁଥିବା ଆଲୋଚନା ହୁଏ । ସମାଜର ଲାଭାଂଶ ଓଡ଼ିଶାବାସୀଙ୍କ ପାଇଁ ନା ପରିଚାଳନା ମଣ୍ଡଳୀ ଓ ଏହାର କର୍ମକର୍ତାଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନ ଏବେ ସର୍ବତ୍ତ୍ର ଉଙ୍କି ମାରୁଛି । ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ପବିତ୍ର ଅନୁଷ୍ଠାନକୁ ଉଦ୍ଧାର କରିବା ସହ ଦୁର୍ନୀତିରେ ଛନ୍ଦି ହୋଇଥିବା ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।