'ସୁନ୍ଦରଗଡକୁ ବିଶ୍ବସ୍ତରରେ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ; ଦୁଇ ମାସରେ ସୁନ୍ଦରଗଡର ସବୁ ପଂଚାୟତରେ ହେବ ବ୍ୟାଙ୍କ': କାର୍ତ୍ତିକ ପାଣ୍ଡିଆନ

Bank will open in every panchayat in Sundargarh district soon

ଓଡ଼ିଆ ଗସିପ ବ୍ୟୁରୋ: ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ସୁନ୍ଦରଗଡ ବାସୀ ହକିକୁ ଭଲ ପାଆନ୍ତି ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ହକିକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଏ ଭଲପାଇବା ଆହୁରି ମଜବୁତ ହୋଇଛି । ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ବିଶ୍ବସ୍ତରରେ ନୂଆ ପରିଚୟ ଦେଇଛନ୍ତି । ଦୁଇଦିନିଆ ସୁନ୍ଦରଗଡ ଗସ୍ତରେ ଯାଇଥିବା ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡର କିରେଇ ଓ ବାଲିଶଙ୍କରାଠାରେ ସାଧାରଣ ସଭାକୁ ଉଦବୋଧନ ଦେବା ବେଳେ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସୁନ୍ଦରଗଡ଼ ହେଉଛି ଓଡିଶା ହକିର ରାଜଧାନୀ । ଯେଉଁଥିପାଇଁ ୨୦୧୯ ହକି ବିଶ୍ବକପ ଆୟୋଜନ ପାଇଁ ଯେତେବେଳେ ଓଡିଶାକୁ ଚୟନ କରାଯାଇଥିଲା ସେ ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ଭୁବନେଶ୍ବର ଓ ସୁନ୍ଦରଗଡରେ ବିଶ୍ବକପର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସେ ସମୟରେ ହକି ବିଶ୍ବକପ ଆୟୋଜନ ପାଇଁ ସୁନ୍ଦରଗଡରେ ଆବଶ୍ୟକ ଭିତ୍ତିଭୂମୀ ନଥିଲା । ବିଶ୍ବସ୍ତରୀୟ ଖେଳାଳୀଙ୍କ ପାଇଁ ହକି ଗ୍ରାଉଣ୍ଡ ନଥିଲା, ବିମାନବନ୍ଦର ନଥିଲା କି ଭଲ ହୋଟେଲ ନଥିଲା । ମାତ୍ର ଚାରି ବର୍ଷ ମଧ୍ୟରେ ଏତେବଡ ଭିତ୍ତିଭୂମୀ ବିକାଶ କରାଯାଇପାରିବ କି ନାହିଁ ସେନେଇ ଏଫଆଇଏଚ ସନ୍ଦେହ ପ୍ରକାଶ କରିଥିଲା ।

ଅଧିକ ପଢ଼ନ୍ତୁ: ଅଶୁଭ ବୁଧବାର, ପୁଣି ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୪ ମୃତ, ୨୭ ଆହତ

କିନ୍ତୁ ସୁନ୍ଦରଗଡ ହକିର ଏନ୍ତୁଡିଶାଳ ହୋଇଥିବାରୁ ସେଠାରେ ବିଶ୍ବକପର ଆୟୋଜନ ସୁନ୍ଦରଗଡ ପାଇଁ ଥିଲା ସମ୍ମାନର କଥା । ତେଣୁ ମୁଖ୍ୟମନ୍ତ୍ରୀ ଦିନରାତି ଏକ କରି କିଭଳି ସୁନ୍ଦରଗଡରେ ହକି ବିଶ୍ବକପ ହେବ ସନେଇ ଲାଗିପଡିଥିଲେ । ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ । ତାଭିତରେ ପୁଣି ଦେଢ ଦୁଇ ବର୍ଷ କୋଭିଡ ମହାମାରି ପାଇଁ କାମ ବନ୍ଦ ହେଲା । ମାତ୍ର ୧୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଲାନ୍ତ ଉଦ୍ୟମ ଓ ସୁନ୍ଦରଗଡବାସୀଙ୍କ ସହଯୋଗରୁ ତିଆରି ହେଲେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ । ସ୍ବାଧୀନତା ସଂଗ୍ରାମୀ ତଥା ଜନଜାତିଙ୍କ ଜନନାୟକ ବିର୍ଶାମୁଣ୍ଡାଙ୍କ ନାଁରେ ଏହି ଷ୍ଟାଡିଅମର ନାଁ ରଖାଗଲା । ରାଉଲକେଲାରେ କାର୍ଯ୍ୟକ୍ଷମ ହେଲା ବିମାନବନ୍ଦର । ଏଥିସହ ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ଷ୍ଡାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଫାଇଭ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ।

ମାର୍ଚ୍ଚ ମାସରେ ସେ ସୁନ୍ଦରଗଡବାସୀଙ୍କଠାରୁ ୨୫୦ରୁ ଅଧିକ ଆବେଦନପତ୍ର ଗ୍ରହଣକରିଥିଲେ । ୮ ମାସ ପରେ ସେସବୁ ପ୍ରତିଶୃତି ପାଳନର ହିସାବ ଦେଇଥିଲେ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ଫାଇଭ ଟି ଅଧ୍ୟକ୍ଷ ସୁନ୍ଦରଗଡ ନିର୍ବାଚନମଣ୍ଡଳୀର କିରେଇ ଇଂଜିନିୟରିଂ କଲେଜ ପଡିଆ ଓ ତଳସରା ନିର୍ବାଚନମଣ୍ଡଳୀର ବାଲିଶଙ୍କରା ଠାରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ । ଦୁଇଟି ଯାକ ସଭାରେ ସେ ସୁନ୍ଦରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲପାଇବା ଓ ପ୍ରତିଶୃତି ପାଳନର ହିସାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ କେବଳ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ସେ କହିଥିଲେ ଯେ, ଏ ସରକାର ଲୋକଙ୍କ ସରକାର, ତେଣୁ ଲୋକଙ୍କ ପ୍ରତିଟି ସମସ୍ୟା ଓ ଆପତ୍ତିର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଦୀର୍ଘ ୫୦ବର୍ଷ ପରେ ଦୁର୍ଲଭ ଯୋଗ, ୪ରାଶିର ବଦଳିଯିବ ଭାଗ୍ୟ !

କିରେଇ ଇଂଜିନିୟରିଂ କଲେଜ ପଡିଆରେ ତାଙ୍କୁ ସୁନ୍ଦରଗଡବାସୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ । ଆଉ କିଏ କିଏ ତାଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କିତ ଆବେଦନପତ୍ର ବି ବଢାଇଥିଲେ । ଭିଡ ଭିତରେ ସବୁ ସବୁ ଆବେଦନପତ୍ର ବେଶ ଉତ୍ସାହର ସହ ଗ୍ରହଣ କରିଥିଲେ । ମଂଚରେ “ଆପଣ ମାନେ କେନ୍ତା ଅଛନ୍” କହି ଲୋକଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହାପୂର୍ବରୁ ଗତ ମାର୍ଚ୍ଚ ୧୨ ତାରିଖରେ ସେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀକୁ ଆସିଥିଲେ। ସେ ସମୟରେ ତାଙ୍କୁ ୧୬୦ଟି ଦରଖାସ୍ତ ମିଳିଥିଲା । ସେମଧ୍ୟରୁ ୧୪୦ଟି ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆବେଦନକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତର ପଠାଯାଇଥିବା କହିଥିଲେ । କେବଳ ଜମିଜମା ସମ୍ପର୍କିତ ଆବେଦନର ସମାଧାନ ହୋଇନି । ସେସବୁର ସମାଧାନ ଖୁବଶୀଘ୍ର ହୋଇଯିବ ବୋଲି ସେ ଆଶ୍ବାସନା ଦେଇଥିଲେ ।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ସହାୟତା ରାଶି ମଂଜୁର କରିଛନ୍ତି । ବିକାଶମୂଳକ କାମରେ ସେ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି । ସମସ୍ତଙ୍କ ସହଯୋଗରେ ସ୍ବଚ୍ଛତାର ସହ କାମ କଲେ ମୁଖ୍ୟମନ୍ତ୍ରୀ ଆବଶ୍ୟକତା ପଡିଲେ ଆହୁରି ଅଧିକ ଆର୍ଥିକ ସହାୟତା କରିବେ । ଗତ ଗସ୍ତ ସମୟରେ ମିଳିଥିବା ଦାବି ଅନୁଯାୟୀ ହେମଗିରି ବ୍ଲକରେ ଥିବା ଉଚ୍ଚମାଧ୍ୟମିକ ସ୍କୁଲରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ଖୋଲିବା ଦାବିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ସେ କହିଛନ୍ତି। ଏଇ ବର୍ଷ କଲେଜରେ ଦୁଇ ଏହି ଦୁଇଟି ଷ୍ଟ୍ରିମ ଖୋଲାଯିବ । ଇବ୍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ୍ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିଲାଗି ୨୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ଟାଙ୍ଗରପାଲି ପାଇଁ ୧ କୋଟି ୭୦ ଲକ୍ଷ, ସମଲେଇ ମନ୍ଦିର ରୂପାନ୍ତରଣ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ଅଘରିଆ ଭବନ ପାଇଁ ୧ କୋଟି ଟଙ୍କା, ହେମହିରି ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତର ପାଇଁ କୋଟିଏ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୮ ମାସ ମଧ୍ୟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀ ପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । କିରେଇରେ ନଗର ବନ ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କା ମଂଜୁର କରାଯାଇଛି ।

ଅଧିକ ପଢ଼ନ୍ତୁ: ସୁସମ୍ବାଦ ମିଳିବା ସହ ଏହି ରାଶି ଲୋକଙ୍କ ଧନପ୍ରାପ୍ତି ଯୋଗ ରହିଛି, ପଢନ୍ତୁ ଆଜିର ରାଶିଫଳ 

ଆଠମାସ ତଳେ ସୁନ୍ଦରଗଡବାସୀଙ୍କ ଦାବି ଅନୁଯାୟୀ ହୋଇଥିବା କାର୍ଯ୍ୟର ହିସାବ ଦେବା ସହ ଆଜି ଆସିଥିବା ସବୁ ଆବେଦନ ଉପରେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, ଓ କମ୍ୟୁନିଟ ସେଣ୍ଟର ପାଇଁ ମିଳିଥିବା ଆବେଦନର ୧୦ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଅନ୍ୟ ବିଷୟକୁ ନେଇ ହୋଇଥିବା ଆବେଦନର ମାସେ ଭିତରେ ଜିଲ୍ଲାପାଳଙ୍କଠାରୁ ଉତ୍ତର ପାଇବେ । ଏହି ଅବସରରେ ସେ ସୁନ୍ଦରଗଡ ପାଇଁ ଆଗକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଦୁଇ ମାସରେ ସୁନ୍ଦରଗଡର ସବୁ ପଞ୍ଚାୟତରେ ମିଳିବି ବ୍ୟାଙ୍କ ସୁବିଧା । ମିଶନ ଶକ୍ତି ମା ଓ ଭତ୍ତା ପାଉଥିବା ହିତାଧିକାରୀ ଏହାଦ୍ବାରା ଉପକୃତ ହେବେ । ଫେବ୍ରୁଆରୀ ମାସରେ ସୁନ୍ଦରଗଡ଼ରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା । ଆସନ୍ତା ୬ ତାରିଖରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଆବେଦନ ଆରମ୍ଭ ହେଉଛି । ଗ୍ରାମାଞ୍ଚଳରେ ଯେଉଁମାନେ ବିଏସକେୱାଇ ଯୋଜନାରୁ ବଂଚିତ ହେଉଛନ୍ତି ସେମାନେ ବିଏସକେୱାଇ-ନବୀନ କାର୍ଡ ପାଇଁ ଆବେଦନ କରିପାରିବେ ।

କିରେଇ ଗସ୍ତ ପରେ ବାଲିଶଙ୍କରାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ତଳସରା ନିର୍ବାଚନମଣ୍ଡଳୀରେ ୮ ମାସ ମଧ୍ୟରେ ୨୦୦ କୋଟି ଟଙ୍କା ମଂଜୁର କରିଛନ୍ତି ରାଜ୍ୟ ସରକାର। ଏଥିରେ ରହିଛି ଫୁଲବାରୀ ସଫେଇ ନଦୀ ଉପରେ ୧୨୩ କୋଟି ଟଙ୍କାର ନନ୍ଦୀବନ୍ଧ ଯୋଜନା। ରାଜବାହାଲ-ଉଷାକୋଠୀ ରାସ୍ତା ଲାଗି ୨୬ କୋଟି ଅନୁମୋଦନ ହୋଇଛି । ଜୋର ନାଲା ରସରାଜପୁର ବ୍ରିଜ ପାଇଁ ୩ କୋଟି ଏବଂ କାରିଆଖମନ ବ୍ରିଜ ଲାଗି ୪ କୋଟି ସହ ଅନ୍ୟ ପ୍ରକଳ୍ପ ଲାଗି ମଧ୍ୟ ଅର୍ଥ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ତଳସରାରେ ମିଳିଥିବା ୯୩ ଦରଖାସ୍ତରୁ ୮୦ ଦରଖାସ୍ତର ସମାଧାନ ହୋଇଛି। ଜମିଜମା ସମ୍ପର୍କିତ ଆବେଦନକୁ ବାଦ ଦେଇ ଅନ୍ୟସବୁ ଆବେଦନର ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀ ଯେମିତି କଥା କମ ଆଉ କାମ ବେଶୀ କରନ୍ତି ସେଇ ଆଦର୍ଶରେ ସେ ନିଜେ ଅନୁପ୍ରାଣୀତ ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ ।

Share this story