କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଜବାବ- ‘ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବେ ବୋଲି ଲେଖନ୍ତୁ’

5T chairman VK Pandian visit to Ranapur

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟର ସବୁଠୁ ବଡ ଯୋଜନା ବିଏସକେୱାଇ (BSKY)କୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ । ନୟାଗଡ଼ ଜିଲ୍ଲାର ରଣପୁରଠାରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବଡ଼ ଆହ୍ୱାନ ମଧ୍ୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ କ୍ୟାବିନେଟ ପାହ୍ୟାର କେନ୍ଦ୍ରମନ୍ତ୍ରୀ ଅର୍ଥାତ ଧର୍ମେନ୍ଦ୍ର ପ୍ରଧାନ ବରାବର ନିନ୍ଦା ଓ ସମାଲୋଚନା କରି ଆସୁଛନ୍ତି । ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଉଦ୍ଧାର କରିଥିଲେ କାର୍ତ୍ତିକ ପାଣ୍ଡିଆନ । ବିଏସକେୱାଇ ଏକ ପ୍ରହସନ । ବିଏସକେୱାଇ କାର୍ଡ କିଛି କାମରେ ଆସୁନାହିଁ, ଏହାକୁ ନେଇ ଲୋକେ ହଇରାଣ ହେଉଛନ୍ତି ଏବଂ ଏଭଳି ଯୋଜନା ଓଡିଶାବାସୀଙ୍କ ପାଇଁ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର ସଭାରେ କହିଥିଲେ ।

ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ପାଣ୍ଡିଆନ ଉତ୍ତର ରଖିବା ସହ ନମ୍ରତାର ସହ ଏକ ଚାଲେଂଜ ମଧ୍ୟ କରିଛନ୍ତି । ଯଦି ଏହି ଯୋଜନା ଏତେ ଖରାପ ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶ ହେବାକୁ ଥିବା ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇକୁ ବନ୍ଦ କରିବା ଲାଗି ଘୋଷଣା କରନ୍ତୁ । ଇସ୍ତାହାରର ପ୍ରଥମ ପଏଣ୍ଟରେ ଲେଖନ୍ତୁ ଯେ, ରାଜ୍ୟରେ ବିଜେପି ସରକାରକୁ ଆସିଲେ ବିଏସକେୱାଇ ଯୋଜନାକୁ ବନ୍ଦ କରିବେ ।

ଅଧିକ ପଢ଼ନ୍ତୁ: ପେଟ୍ରୋଲ ଦର ଛୁଇଁବ ୧୩୫ ଓ ଡିଜେଲ ହେବ ୧୨୦ ଟଙ୍କା ! ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ରିପୋର୍ଟ...

ବିଏସକେୱାଇକୁ ନିନ୍ଦା ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇ ବିଏସକେୱାଇ କାର୍ଡର ଉପଯୋଗିତା ବିଷୟରେ ବଖାଣିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଏସକେୱାଇ ମାଧ୍ୟମରେ ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଦେଇଛନ୍ତି । ଏହି ଯୋଜନା ଦ୍ବାରା ବଡ଼ ବଡ଼ ହସ୍ପିଟାଲରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଛି । ଏହା କାହିଁକି ଆପଣଙ୍କ ଦେହରେ ଯାଉନି ଓ ଆପଣ କାହିଁକି ଏତେ ରାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଇଂଗିତ କରି ସେ କହିଥିଲେ ଯେ, ପ୍ରକୃତ ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ହେବ । ନିଦରେ ଶୋଇଥିବା ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ । ତେବେ ଜନତା ଜୋରରେ କହିଲେ ସେମାନେ ଉଠିବେ। ଲୋକେ ବିଏସକେୱାଇକୁ ନେଇ ଖୁସିରେ ଅଛନ୍ତି । ବିଏସକେୱାଇକୁ ନିନ୍ଦାର ଜବାବ ଓଡିଶାବାସୀ ଦେବେ ବୋଲି ମଧ୍ୟ ସେ କହିଥିଲେ।

ନୟାଗଡ଼ ରଣପୁରଠାରେ ଆୟୋଜିତ ଏହି ସଭାରେ ରଣପୁର ବିକାଶର ହିସାବ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଥିଲେ ଯେ ସେ ଗତ ଜୁଲାଇ ୨୦ରେ ରଣପୁର ଆସିଥିଲେ ଜ୍ଝ ଲୋକେ ତାଙ୍କୁ ୩୫୦ଟି ଦରଖାସ୍ତ ଦେଇଥିଲେ । ମିଳିଥିବା ଦରଖାସ୍ତ ମଧ୍ୟରୁ ଇତି ମଧ୍ୟରେ ୩୦୦ ଦରଖାସ୍ତର ସମାଧାନ ହୋଇଛି । କୌଣସି କାରଣରୁ ଯାହାବି ବାକି ରହିଛି ସେସବୁର ଉତ୍ତର ମିଳିଯିବ।

ରଣପୁର ନିର୍ବାଚନମଣ୍ଡଳୀ ପାଇଁ ଗତ ୪ମାସ ଭିତରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ମଂଜୁର କରିଛନ୍ତି । ୧୧୫ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ଲୋକେ ଅନୁରୋଧ କରିଥିଲେ ଜ୍ଝ ଏଥିଲାଗି ମୁଖ୍ୟମନ୍ତ୍ରୀ ୧୦ କୋଟି ୧୫ ଲକ୍ଷ, ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ମନ୍ଦିର କାମ ଚାଲିଛି ଓ ଏହା ଆସନ୍ତା ଜୁନ ସୁଦ୍ଧା ଶେଷ ହେବ। ନୂଆ ରୂପ ପାଇବ ଏହି ମନ୍ଦିର । ମଣିନାଗ ମନ୍ଦିର ରୂପାନ୍ତର ଲାଗି ୩ କୋଟି,। ତଳ ମଣିନାଗ ମନ୍ଦିର ଲାଗି ୨ କୋଟି, ଶରଣକୁଳର ଲଡୁବାବା ମନ୍ଦିର ଲାଗି ୫ କୋଟି, ରାଜସୁନାଖଳା କଲେଜର ରୂପାନ୍ତରଣ ପାଇଁ ୧ କୋଟି, ରଣପୁର ଡିଗ୍ରୀ କଲେଜର ରୂପାନ୍ତରଣ ପାଇଁ ୧ କୋଟି ମଂଜୁର ହୋଇଛି ।

ଅଧିକ ପଢ଼ନ୍ତୁ: 'ସୁନ୍ଦରଗଡକୁ ବିଶ୍ବସ୍ତରରେ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ; ଦୁଇ ମାସରେ ସୁନ୍ଦରଗଡର ସବୁ ପଂଚାୟତରେ ହେବ ବ୍ୟାଙ୍କ': କାର୍ତ୍ତିକ ପାଣ୍ଡିଆନ

ରଣପୁର ପୂର୍ବରୁ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରର ମା ଭଗବତୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର‌୍ୟ୍ୟର ସମୀକ୍ଷା କରିଥିଲେ ପାଣ୍ଡିଆନ । ମା ଭଗବତୀଙ୍କ ଦର୍ଶନ ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ତାଙ୍କୁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସ୍ବାଗତ କରିଥିଲେ । ଘଣ୍ଟ, ଘଣ୍ଟା, ମୃଦଙ୍ଗ ବଜାଇ ଫାଇଭ ଟି ଅଧ୍ୟକ୍ଷଙ୍କୁ ଭଗବତୀଙ୍କ ମନ୍ଦିରରୁ ପଲଟଣ ପଡିଆ ପର୍ଯ୍ୟନ୍ତ ସାଧାରଣ ଜନତା ପାଛୋଟି ନେଇଥିଲେ । ପଲଟଣ ପଡିଆଠାରେ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

ପଲଟଣ ପଡିଆରେ ଆୟୋଜିତ ସଭାରେ ବୀର ପାଇକ ମାଟିକୁ ପ୍ରଣାମ ଜଣାଇ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରଖିଥିଲେ । ପାଣ୍ଡିଆନ କହିଥିଲେ ଯେ ଗତ ୪ମାସ ଭିତରେ ଚିଲିକା ନିର୍ବାଚନମଣ୍ଡଳିର  ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟପାଇଁ ମୁଖ୍ୟମନ୍ତ୍ରୀ ୯୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ମା ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ଲାଗି ୩୩କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଚନ୍ଦନେଶ୍ବର ଶିବ ମନ୍ଦିରର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଣପୁରର ଗୋଦବରୀଶ  ମହାବିଦ୍ୟାଳୟକୁ ଫାଇଭ ଟିରେ ଅନ୍ତର୍ଭୁକ୍ତ କରି ତାର ଉନ୍ନୟନ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଲୁଗାଁ ମହାବିଦ୍ୟାଳୟର ଉନ୍ନତି ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଂଚଳରେ ରହିଥିବା ଡ୍ରେନ ଓ ରାସ୍ତା ପାଇଁ ୨୬କୋଟି ଟଙ୍କାର ଆକଳନ ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏହି ଅନୁଦାନ ମିଳିବ ବୋଲି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ବାଣପୁର ସଭାରେ ସୂଚନା ଦେଇଛନ୍ତି।

ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଏସକେୱାଇ କାର୍ଡକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସେ ଯେଉଁଭଳି ସଚେତନତା ସୃଷ୍ଟି କରୁଛନ୍ତି ସେହି ଢାଂଞ୍ଚାରେ ଏଠାରେ ମଧ୍ୟ କହିଥିଲେ । ଗ୍ରାମାଞ୍ଚଳର ଯେଉଁମାନେ ସ୍ବାସ୍ଥ୍ୟ କାର୍ଡ ପାଇ ନାହାନ୍ତି ତୁରନ୍ତ ନାମ ପଞ୍ଜିକରଣ କରିବାକୁ ଆହ୍ବାନ ଦେଇଥିଲେ । ୬ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ସେ ସୂଚନା ଦେଇଥିଲେ । ଆସନ୍ତା ଫେବ୍ରୁଆରୀ ମାସରୁ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ ଗଡିବ ଓ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କର ଶାଖା ଖୋଲିବ ବୋଲି ସେ କହିଥିଲେ । ସେହିଭଳି ଭତ୍ତା ବଢାଇବା ନେଇ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି । ଖୁବଶୀଘ୍ର ଖୁସୀ ଖବର ମିଳିବ ବୋଲି ପାଣ୍ଡିଆନ କହିଥିଲେ । ବାର୍ଦ୍ଧକ୍ୟ ଭତ୍ତାଠାରୁ ଭିନ୍ନକ୍ଷମ ଭତ୍ତା  ଭଳି ସବୁ ଭତ୍ତା ବଢିବ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ଅଂଗନବାଡି, ଆଶାକର୍ମୀ, ସ୍ବଚ୍ଛସାଥୀ, ଜଳସାଥୀ ସମସ୍ତଙ୍କ ଭତ୍ତା ବୃଦ୍ଧି ହେବ ବୋଲି ସେ ସୂଚନା ଦେଇଥିଲେ । ନୂଆ ଓଡିଶା ତଥା ସଶକ୍ତ ଓଡିଶା ଗଠନ କରିବା ମୂଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ସେଥିରେ ସହଯୋଗ କରିବାକୁ ସମସ୍ତଙ୍କୁ ସେ ଆହ୍ବାନ ଦେଇଥିଲେ । ଅଭିଭାଷଣ ଆରମ୍ଭରେ ପାଣ୍ଡିଆନ କହିଥିଲେ ଯେ, ସେ ଗତ ଅଗଷ୍ଟମାସରେ ବାଣପୁର ଆସିଥିଲେ । ସେତେବେଳେ ତାଙ୍କୁ ୪୭୦ଟି ଦରଖାସ୍ତ ମିଳିଥିଲା । ୪ମାସ ଭିତରେ ଏ ସବୁ ଦରଖାସ୍ତ ମଧ୍ୟରୁ ୪୦୦ଟି ଦରଖାସ୍ତର ସମାଧାନ ହେବା ସହ ଅର୍ଥ ମଞ୍ଜୁର ହୋଇଛି । ଆଜି ମଧ୍ୟ ଯେଉଁସବୁ ଦରଖାସ୍ତ ମିଳିଛି ତା ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଭିତ୍ତିକ ଯେଉଁ ଦରଖାସ୍ତ ଥିବ ତାକୁ ତୁରନ୍ତ ବିଚାରକୁ ନିଆଯିବ ଏବଂ ଆସନ୍ତା ୨୦ ତାରିଖ ସୁଦ୍ଧା ଦରଖାସ୍ତକାରୀମାନେ ଖୁସୀ ଖବର ପାଇବେ । ଅନ୍ୟ ଦରଖାସ୍ତ ଗୁଡିକ ସମ୍ପର୍କରେ ସଂପୃକ୍ତ ଦରଖାସ୍ତକାରୀଙ୍କୁ ଜିଲ୍ଲା ପ୍ରଶାସନ ଟିକିନିଖି ଉତ୍ତର ପ୍ରଦାନ କରିବେ ବୋଲି ପାଣ୍ଡିଆନ କହିଥିଲେ । ଚିଲିକା ନିର୍ବାଚନ ମଣ୍ଡଳିକୁ ମିଳିଥିବା ୯୦କୋଟିର ଅନୁଦାନକୁ ପ୍ରଥମ କିସ୍ତି ବୋଲି କହିଛନ୍ତି ପାଣ୍ଡିଆନ। ଭଲ କାମ କଲେ ପରବର୍ତ୍ତୀ କିସ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଣପୁର ପରେ ରଣପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ କାର୍ତ୍ତିକ ପାଣ୍ଡିଆନ ।

Share this story