World Odia Language Conferene

ଲାଗୁ ହେବ ନୂଆ ଆଇନ: ପ୍ରଶ୍ନପତ୍ର ଲିକ୍‌ କଲେ ଆଜୀବନ ଜେଲ୍‌, ୧୦ କୋଟି ଟଙ୍କା ଜରିମାନା

exam paper leak new rules one cannot break

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଶ୍ନପତ୍ର ପ୍ରଘଟ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର କଠୋର ଆଇନ ଆଣିଛନ୍ତି । ସରକାର ନକଲ ବିରୋଧୀ ଆଇନର ଅଧ୍ୟାଦେଶ ଜାରି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ (ସୋନି) ଶୁକ୍ରବାର ‘ଉତ୍ତରାଖଣ୍ଡ କମ୍ପିଟେଟିଭ ଏକ୍ଜାମ ଅଧ୍ୟାଦେଶ-୨୦୨୩’କୁ ମଞ୍ଜୁରି ଦେଇଛନ୍ତି ।

କୌଣସି ପ୍ରିଣ୍ଟିଂ ପ୍ରେସ, କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ପରିଚାଳନା କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଆଜୀବନ ଜେଲ୍‌ଦଣ୍ଡ ହେବ । ୧୦ କୋଟି ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ସିରିଜ୍‌ ଦୁର୍ଘଟଣା; ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ଏହି ଅଧ୍ୟାଦେଶ ଲାଗୁ ହେବାପରେ ଯଦି ଛାତ୍ରଛାତ୍ରୀ ପରୀକ୍ଷାରେ ନକଲ କରନ୍ତି କିମ୍ବା ନକଲ କରି ଧରାପଡ଼ନ୍ତି ତେବେ ୩ ବର୍ଷର ଜେଲ୍‌ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଛାତ୍ର ଦ୍ବିତୀୟ ଥର ଧରାପଡ଼ିଲେ ୧୦ ବର୍ଷ ଜେଲ୍‌ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ।

ପରୀକ୍ଷା ସମୟରେ ନିଷିଦ୍ଧ ସାମଗ୍ରୀ ବ୍ୟବହାର କଲେ ସମ୍ପତ୍ତି ଜବତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏହି ଆଇନ କାର୍ଯ୍ୟକାରୀ ହେବ । ଏହି ଆଇନ ଦ୍ବାରା ନକଲ ଉପରେ ଅଙ୍କୁଶ ଲାଗିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ: ଜଗିଛନ୍ତି ସୁଟର, ମାରିଦେବେ ଗୁଳି : ନବଙ୍କ ମର୍ଡର ପରେ ପଡିବ କି ସୁଶାନ୍ତଙ୍କ ପାଳି ?

ଏହି ଅଧ୍ୟାଦେଶକୁ ମଞ୍ଜୁରି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଏହାକୁ ଦେଶର ସବୁଠାରୁ କଡ଼ା ନକଲ ବିରୋଧୀ ଅଧ୍ୟାଦେଶ କହିଛନ୍ତି । ରାଜ୍ୟରେ ହେଉଥିବା ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହି ଆଇନ ଲାଗୁ ହେବ । ଯୁବଗୋଷ୍ଠୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନକଲ ମାଫିଆଙ୍କର ମୂଳୋତ୍ପାଟନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ନିଯୁକ୍ତି ଦୁର୍ନୀତି ବିରୋଧରେ ଯୁବ ଗୋଷ୍ଠୀ ରାଜଧାନୀ ଡେରାଡୁନରେ ହଙ୍ଗାମା କରିଥିଲେ । ସେମାନେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ । ଏହି ସମୟରେ ପୁଲିସ ଯୁବ ବର୍ଗଙ୍କ ଉପରେ ଲାଠିମାଡ଼ ମଧ୍ୟ କରିଥିଲା । ପ୍ରତିବାଦରେ ସେମାନେ ପଥର ମାଡ଼ କରିଥିଲେ । ଯୁବ ବର୍ଗ ନିଯୁକ୍ତି ରଦ୍ଦ, ପରୀକ୍ଷା ସ୍ବଚ୍ଛତା ଏବଂ ନକଲ ବିରୋଧୀ ଆଇନ ଆଣିବାକୁ ଦାବି କରିଥିଲେ ।

Share this story