ଗଳାକାଟି ଶାଶୁଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୁଲିସ

Daughter-In-Law Held For Elderly Woman’s Murder In Bhubaneswar
ଗଳାକାଟି ଶାଶୁଙ୍କୁ ହତ୍ୟା ଘଟଣା, ବୋହୂ ବୈଶାଖୀଙ୍କୁ ଗିରଫ କଲା ପୁଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ଖଣ୍ଡଗିରି ବାରି ରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ  ବୋହୁ ବୈଶାଖୀ ପଲେଇକୁ ଗିରଫ କରିଛି ଭରତପୁର ପୁଲିସ । ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଛି। ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୁଲିସ ।  ହତ୍ୟାରେ ବ୍ୟବହୃତ ଛୁରି ଖୋଜିବା ପାଇଁ ପାଇଖାନା ଟାଙ୍କି ସଫା କରିଥିଲା ପୁଲିସ। ସେସପୁଲ ଗାଡି ଦ୍ୱାରା ପାଇଖାନା ଟାଙ୍କି ସଫା କରିଥିଲା ଭରତପୁର ପୁଲିସ ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ବୋହୁ ବୈଶାଖୀଙ୍କ ସମ୍ପୃକ୍ତି ନେଇ ପୁଲିସକୁ ଠୋସ ପ୍ରମାଣ ମିଳିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କ ହତ୍ୟା କରାଯାଇଥିଲା । ବୋହୂର ପରକୀୟା ପ୍ରୀତିରୁ ଶାଶୁଙ୍କୁ ଗଳା କାଟି ହତ୍ୟା ନେଇ ପୁଲିସ ସନ୍ଦେହ କରୁଥିଲା । ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡରେ।

ଖବର ଅନୁଯାୟୀ, ବୋହୂ ବୈଶାଖୀ ବାରମ୍ୱାର ବୟାନ ବଦଳାଇବା ପୁଲିସକୁ ବାରମ୍ୱାର ଦ୍ୱନ୍ଦ୍ୱରେ ପକାଇଥିଲା। ବୈଶାଖୀଙ୍କ ବୟାନ ହିଁ ତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଥିଲା। ହତ୍ୟାକାଣ୍ଡରେ ବୈଶାଖୀଙ୍କ ସମ୍ପୃକ୍ତି ଥିବା ଯଦିବା ପୁଲିସ ଅନୁମାନ କରୁଥିଲା କିନ୍ତୁ ତାଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ମିଳିପାରି ନ ଥିଲା। ହତ୍ୟା ହୋଇଥିବା ଘରୁ ଏକ ଛୁରି ମିଳିଥିଲେ ମଧ୍ୟ ସେଥିରେ କାଣିଚାଏ ରକ୍ତ ଛିଟା ଲାଗିନଥିବା ପୁଲିସକୁ ଆହୁରି ଅଡୁଆରେ ପକାଇଥିଲା। 

ଜବତ ହୋଇଥିବା ଛୁରି ହତ୍ୟାକାଣ୍ଡରେ ବ୍ୟବହାର ହୋଇନଥିବା ଅନୁମାନ କରିଥିଲା ପୁଲିସ। ସେପଟେ ହତ୍ୟାକାଣ୍ଡ ଘଟିଥିବା ସମୟରେ ବୈଶାଖୀ ପାଇଖାନା ଘରକୁ ହାତ ଧୋଇବାକୁ ଯାଇଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ତେବେ ଘର ଭିତରେ ଥିବା ପାଇଖାନା ଟାଙ୍କିରେ ହତ୍ୟାରେ ବ୍ୟବହୃତ ଛୁରି ଥିବା ପୁଲିସକୁ ସୁରାକ ମିଳିଥିଲା। ସେଠାରେ ପାଇଖାନା ଟାଙ୍କି ଖୋଳି ଛାନଭିନ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ମଦା ପଲେଇ ଓ ତାଙ୍କ ବୋହୂ ବୈଶାଖୀ ଘରେ ଥିବାବେଳେ ସାନପୁଅ ଓ ଭଉଣୀ ଔଷଧ ଆଣିବା ଲାଗି ଯାଇଥିଲେ। ଔଷଧ ନେଇ ଫେରିବା ବେଳକୁ ମଦାଙ୍କ ଗଳାକାଟି ହତ୍ୟା କରାଯାଇଥିବା ବେଳେ ବୋହୂ ବୈଶାଖୀ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଶାଶୂଙ୍କୁ ହତ୍ୟା କରିଥିବା ବୋହୂ ବୈଶାଖୀ କହିଥିଲେ। ଏହା ପୂର୍ବରୁ ଜୁଲାଇ ୧ ତାରିଖ ଦିନ ମଦା ଓ ତାଙ୍କ ବୋହୂ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ସ୍ଥିତ ପୈତୃକ ଘରେ ଥିବାବେଳେ ସ୍ଥାନୀୟ ଅଞ୍ଚଳର ରିଙ୍କୁ ନାମକ ଜଣେ ଯୁବକ ଚୋରି କରିବାକୁ ଘରେ ପଶିଥିଲା। ମଦା ବିରୋଧ କରିବାରୁ ରିଙ୍କୁ ତାଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ସେବେଠାରୁ ମଦା କଥା କହିପାରୁ ନଥିବାବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ତେବେ ବୋହୂ ବୈଶାଖୀଙ୍କ ଘରଠାରୁ ରିଙ୍କୁର ଘର ମାତ୍ର କେଇମିଟର ଦୂରରେ ହୋଇଥିବାରୁ ଜୁଲାଇ ୧ ତାରିଖ ଘଟଣାର ସତ୍ୟାସତ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ରିଙ୍କୁ ସତରେ ଚୋରି କରିବାକୁ ଆସିଥିଲା ନାଁ ଘଟଣାକୁ ଚୋରି ଭଳି ଚିତ୍ରଣ କରାଯାଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେବେଠାରୁ ମଦା କଥା କହିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପରିବାର ଲୋକେ ଆଶା ରଖିଥିଲେ। ହେଲେ ସେ କିଛି କହିବା ଆଗରୁ ତାଙ୍କର ହତ୍ୟା ହୋଇଯିବା ପୂରା ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଇଥିଲା।
 

Share this story