ମିଶନ ଶକ୍ତି ମହିଳା ସଦସ୍ୟଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି ବିଜେପି ନେତା: ବିଜେଡି

BJP workers demoralize SHG women workers shame

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ): ମିଶନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜିମାନେ ଓଡିଶାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଭାରତ ଏବଂ ବିଶ୍ୱ ପାଇଁ ସଫଳ ମହିଳା ଏସଏଚଜି ଆନ୍ଦୋଳନର ଉଜ୍ଜ୍ୱଳ ଉଦାହରଣ ପାଲଟିଥିବା ବେଳେ ରାଜ୍ୟର ବିଜେପି ନେତୃତ୍ୱ କିନ୍ତୁ ଏହାକୁ ସହ୍ୟ କରିପାରୁ ନାହାନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ୬ ଲକ୍ଷ ମହିଳା ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳାଙ୍କ ସହିତ ମିଶନ୍ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି ଯାହା କି ଓଡିଶାର ମହିଳାମାନଙ୍କୁ ରୋଷେଇ ଘରର ଚାରି କାନ୍ଥ ଅତିକ୍ରମ କରାଇ ସମାଜ ପରିବର୍ତ୍ତନକାରୀରେ ପରିଣତ ହୋଇପାରିଛି ।

ତେବେ ମହିଳା ଏସଏଚଜି ଓଡିଶାରେ ସମସ୍ତ ପ୍ରକାର ଭଲ କାର୍ଯ୍ୟ କରୁଥିବା ସତ୍ତ୍ୱେ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡିଶା ବିଜେପି ନେତାମାନେ ମହିଳା ଏସଏଚଜି ସଦସ୍ୟଙ୍କୁ ପ୍ରତିଦିନ ଅପମାନିତ ଏବଂ ଅସମ୍ମାନିତ କରୁଛନ୍ତି । ସେମାନଙ୍କ ମିଥ୍ୟା ଅଭିଯୋଗ ଦେଖିଲେ ଲାଗୁଛି ଯେପରି ସେମାନେ ଏଥିପାଇଁ ଟଙ୍କା ନେଉଛନ୍ତି ।

ଅଧିକ ପଢ଼ନ୍ତୁ : ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ

ଏହା ଓଡିଶା ବିଜେପି ନେତାଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଆଚରଣ । ଏହା ଦର୍ଶାଉଛି ଯେ ଓଡିଶାରେ ଚାଲିଥିବା ମହିଳାଙ୍କ ସଶକ୍ତିକରଣ ଏବଂ ସମାଜକୁ ପରିବର୍ତ୍ତନ କରିବାର ପ୍ରୟାସ ପ୍ରତି ସେମାନେ ଅତ୍ୟନ୍ତ ଅସହିଷ୍ଣୁ ହୋଇ ପଡିଛନ୍ତି । ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଓଡିଶା ବିଜେପି ନେତାମାନେ ଚାହୁଁଛନ୍ତି ଓଡିଶାର ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହିବା ଉଚିତ୍‍ । ସେମାନେ ଚାହାଁନ୍ତି ନାହିଁ ଯେ ମହିଳାମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ଓଡିଶାର ବିକାଶକୁ ଆଗକୁ ବଢାନ୍ତୁ ।

କେବଳ ମିଶନ ଶକ୍ତି ଗୋଷ୍ଠୀର ମହିଳା ନୁହଁନ୍ତି ବରଂ ସାଧାରଣ ଜୀବନକୁ ଆସୁଥିବା ମହିଳାମାନଙ୍କୁ ମଧ୍ୟ ଓଡିଶା ବିଜେପିର ନେତାମାନେ ଟାର୍ଗେଟ କରୁଛନ୍ତି । ଆମେ ସମସ୍ତେ ଦେଖିଲୁ ଯେ ଓଡିଶା ବିଜେପି କିପରି ପଦ୍ମପୁର ଏବଂ ଝାରସୁଗୁଡାରେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ଅପମାନିତ ଏବଂ ଅସମ୍ମାନ କରିଛି, ଯେଉଁମାନେ ପିତାଙ୍କୁ ହରାଇଛନ୍ତି ଏବଂ ସାଧାରଣ ଜୀବନରେ ପ୍ରବେଶ କରୁଛନ୍ତି ।

ଅଧିକ ପଢ଼ନ୍ତୁ : ଏହି ରାଶିର ଲୋକଙ୍କଠୁ ରୁହନ୍ତୁ ସାବଧାନ; ନଚେତ ଆଜି ଖରାପରେ କଟିବ ଦିନ

ଓଡ଼ିଶାବାସୀଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ଓଡ଼ିଶା ବିଜେପି ଏଥିରୁ କିଛି ଶିଖିବାକୁ ଚାହୁଁନାହିଁ ଏବଂ ଓଡ଼ିଶାବାସୀ ଏବଂ ଓଡ଼ିଶାର ମହିଳାମାନଙ୍କୁ ଅପମାନିତ ଓ ଅସମ୍ମାନିତ କରିବା ଜାରି ରଖିଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ।

Share this story