ଦୁର୍ଘଟଣାସ୍ଥଳରେ ଆତ୍ମୀୟଙ୍କ ଆର୍ତ୍ତ ଚିତ୍କାର; ବାଜୁଛି ଫୋନ, ଉଠାଇବାକୁ ନାହାଁନ୍ତି ମଣିଷ

train passenger relative fails to contact their close ones

ଓଡ଼ିଆ ଗସିପ ବ୍ୟୁରୋ : ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ଏବେ ମୃତ୍ୟୁବରଣ କରିଥିବା ସେମାନଙ୍କ ଆତ୍ମୀୟ ମାନେ ବାରମ୍ବାର ଫୋନ ନମ୍ବର ରେ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଗତକାଲି ସନ୍ଧ୍ୟା ସମୟରେ ବାହାନଗା ବଜାର ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା ଲୌହ ଦାନବର ରକ୍ତଭୋଜି ।

ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲଗାଡି ଟ୍ରେନ ମଧ୍ୟରେ ଦୁର୍ଘଟଣା ଯୋଗୁ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ହେଲାଣି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଜଣାପଡିଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମୟ ଗଡ଼ିବା ସହ ମୃତ୍ୟୁ ସଂଖ୍ୟା ବଢିଚାଲିଛି ।

ଏବେବି ଟ୍ରେନ୍‌ ବଗି ତଳୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଛି । ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଚାହିଁଲେ ଖାଲି କୁଢ଼ କୁଢ଼ ମୃତଦେହ ଦେଖିବାକୁ ମିଳୁଛି । ଦୁର୍ଘଟଣାରେ ଆତ୍ମୀୟଙ୍କୁ ହରାଇଥିବା ସମ୍ପର୍କୀୟମାନଙ୍କର କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଷ୍ଟେସନ୍‌ ।

ଅଧିକ ପଢ଼ନ୍ତୁ : ଓଡ଼ିଶାର ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗର ସତର୍କବାଣୀ

ତେବେ ଦୁର୍ଘଟଣା ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଆତ୍ମୀୟ ସ୍ବଜନଙ୍କଠାରୁ ମେଳାଣି ନେଇ ଆସିଥିବା ବ୍ୟକ୍ତିଟିଏ ପାଲିଟି ଯାଇଛି ଶବ । ଆଉ କିଏ ପୁଣି ଆଇସିୟୁରେ ମୃତ୍ୟୁ ସହ କରୁଛି ସଂଗ୍ରାମ । କିଏ ଏହି ଶହ ଶହ ଅଚିହ୍ନା ଶବ ଭିତରେ ନିଜ ଭାଇକୁ ଖୋଜୁଛି ତ କିଏ ନିଜ ପରିବାରକୁ । ଅନେକ ସେମାନଙ୍କ ନିଜର ଲୋକକୁ ନ ପାଇ ଚେତାଶୂନ୍ୟ ହୋଇ ପଡୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

ତେବେ ଏହାରି ଭିତରେ ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତବ୍ୟକ୍ତିଙ୍କ ପକେଟରେ ବାରମ୍ୱାର ଫୋନ୍ ବାଜୁଥିଲା । ଜଣେ ସ୍ଥାନୀୟ ଲୋକ ପକେଟ୍ରୁ ଫୋନ୍ କାଢ଼ି କହିଲେ, ଆପଣ ଯାହାକୁ ଖୋଜୁଛନ୍ତି ସେ ଆଉ ନାହାନ୍ତି । ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି । ତେବେ ଆପଣ ଯାହାକୁ ଫୋନ୍ କରିଛନ୍ତି, ତାଙ୍କ ନାଁ କ’ଣ ?ବାସ୍ ଆରପଟରୁ ଜଣେ ମହିଳାଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଇଥିଲା ।

ଅଧିକ ପଢ଼ନ୍ତୁ : ଏମାନେ ହେବେ ଓଲିୟୁଡର ଆଗଧାଡିର ହଟ୍, ହଟେଷ୍ଟ ଓ ବୋଲ୍ଡ ବିୟୁଟି

ସେହିଭଳି ଆଉ ଜଣେ ବ୍ୟକ୍ତି ଦୁର୍ଘଟଣାର ଖବର ପାଇ ତାଙ୍କ ଭଣଜାକୁ ଫୋନ୍ କରିଥିଲେ । ବହୁତ ସମୟ ଫୋନ୍ ରିଂ ହୋଇଥିଲା । କିଛି ଜବାବ ଆସିନଥିଲା, ପରବର୍ତ୍ତୀ ମୁହୂର୍ତ୍ତରେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା ବୋଲି ସେ କହିଛନ୍ତି । ସେ ଆଉ କାଳ ବିଳମ୍ବ ନକରି ସିଧା ଧାଇଁ ଆସିଥିଲେ ବାହାନଗା ଷ୍ଟେସନ୍କୁ । ଏବେ ସେ ଶହ ଶହ ଶବ ଭିତରେ ଖୋଜୁଛନ୍ତି ନିଜ ଭଣଜାକୁ ।

ଏଭଳି ଶହ ଶହ ଲୋକ ଅଛନ୍ତି ଯାହାଙ୍କ ଖୋଜ ଖବର କିଛି ମିଳୁନାହିଁ । କିନ୍ତୁ ସେମାନଙ୍କ ଆତ୍ମୀୟ ସ୍ବଜନମାନେ ଫୋନ୍ କରି ଚାଲିଛନ୍ତି । କିଏ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ତ କାହାର ମୃତ୍ୟୁ ହୋଇ ସାରିଛି । ସେମାନଙ୍କ ସହ ଗତକାଲି ସେହି କାଳରାତ୍ରୀରେ କ’ଣ ଘଟିଛି କେହି ଜାଣି ପାରୁନାହାଁନ୍ତି ।

Share this story