ବିକଳ ହୋଇ ଖୋଜି ବୁଲୁଥିଲେ ବାପା ମା', ଦୁଇଦିନ ପରେ ମିଳିଲେ କିନ୍ନରଙ୍କ ଘରୁ ଉଦ୍ଧାର ହେଲେ ପୁଅ ‘ସାଇପ୍ରସାଦ’

Tenth students traced from kinnars house in Bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ଶହୀଦନଗରରୁ ନିଖୋଜ ହୋଇଥିବା ଛାତ୍ର ସାଇପ୍ରସାଦ ପଣ୍ଡା (୧୬) ଘରକୁ ଫେରିଲେ । ଦୁଇଦିନ ଖୋଜାଖୋଜି ପରେ ଆଜି (ଶୁକ୍ରବାର) ତାଙ୍କୁ ବଡଗଡ ବ୍ରିଟକଲୋନୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ତାଙ୍କୁ ଜଣେ କିନ୍ନର (ପୂଜା ପୃଷ୍ଟି) ଘରେ ଆଶ୍ରୟ ଦେଇଥିଲେ ।

ପୁଅ ମିଳିବା ପରେ ତାଙ୍କ ପରିବାରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ସେ ରେଜଲ୍ଟ ଖରାପ ହେବା ଭୟରେ ଘରୁ ପଳାଇଥିବା ଜଣାପଡିଛି । ସାଇ ପ୍ରସାଦ ନିଖୋଜ ପରେ ତାଙ୍କ ପରିବାର, ସମ୍ପର୍କୀୟମାନେ ଖୋଜାଖୋଜି କରି ଏକ ପ୍ରକାର ନିରାଶ ହୋଇପଡିଥିଲେ । ଆଜି ସକାଳେ ହଠାତ ଏକ ଅଜଣା ନମ୍ବରରୁ ତାଙ୍କ ବାପା ଅରୁପ ପଣ୍ଡାଙ୍କୁ ଏକ କଲ ଆସିଥିଲା ।

କିନ୍ନର ପୂଜା ପୃଷ୍ଟି ଏହି କଲ କରି ସାଇ ତାଙ୍କ ପାଖରେ ସୁରକ୍ଷିତ ଥିବା କହିଥିଲେ । ପରେ ତାଙ୍କ ପରିବାର ଲୋକେ ଓ ପୋଲିସ ବଡଗଡସ୍ଥିତ ପୂଜାଙ୍କ ଘରକୁ ଯାଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ପୁଅକୁ ଦେଖିବା ପରେ ସେଠାରେ ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ କାହିଁକି ଓ କ’ଣ ପାଇଁ ଘରୁ ପଳାଇଥିଲେ, ଏହାକୁ ନେଇ ନାନାଦୀ ଚର୍ଚ୍ଚା ହେଉଥିବା ବେଳେ ସାଇ ଏସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ପାଇଁ ଅଧାରେ ରହିଗଲା ସାବିତ୍ରୀ ବ୍ରତ , ସାବିତ୍ରୀ ବ୍ରତରେ ପୁଅକୁ ହରାଇଲା ମା'...

ଏନେଇ ସାଇ ପ୍ରସାଦ କହିଛନ୍ତି, ମାଟ୍ରିକ ରେଜଲ୍ଟ ଆସିବା କଥା ଶୁଣିବା ପରେ ତାଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇଥିଲା । ମନେ ମନେ ଏହି ଭୟ ତାଙ୍କୁ ଘାରିବାରେ ଲାଗିଥିଲା । ଘଟଣାଦିନ ସେ ଟିଉସନରୁ ଘରକୁ ଫେରୁଥିବା ବେଳେ ହଠାତ କେଉଁଆଡେ ପଳାଇବାକୁ ନିଷ୍ପତ୍ତି ନେଇଥିଲେ । ଶହୀଦନଗର ମହର୍ଷି କଲେଜ ପାଖରୁ ଫେରି ମାଷ୍ଟରକ୍ୟାଣ୍ଟିନ ଓ କଳ୍ପନା ଦେଇ ପୁରୀ ପଳାଇଥିଲେ । ରାତି ସାଡେ ୧୦ଟା ବେଳେ ସେ ସାକ୍ଷୀଗୋପାଳ ଛକରେ ପହଞ୍ଚିଥିଲେ ।

ସନ୍ଧ୍ୟାରୁ କିଛି ଖାଇନଥିବାରୁ ଅସୁସ୍ଥ ଅନୁଭବ କରି ସେଠାରେ ଥିବା ଏକ ଦୋକାନ ପାଖରେ ରାତ୍ରିଯାପନ କରିଥିଲେ । ପରଦିନ ଭୋରୁ ସେ ପୁରୀ ପଳାଇଥିଲେ । ପୁରୀ ମନ୍ଦିର ବୁଲାବୁଲି ସାରି ସେଠାରେ କେଉଁଠି ରହିବେ ଚିନ୍ତା କରିଥିଲେ । କିଛି ଉପାୟ ମୁଣ୍ଡକୁ ନଆସିବରେୁ ସେ ପୁଣି ଭୁବନେଶ୍ୱର ଅଭିମୁଖେ ପଳାଇଆସିଥିଲେ ।

ଦିନ ପ୍ରାୟ ଗୋଟାଏ ବେଳେ ପୁରୀ-ବାଇପାସ ରୋଡରେ ଥିବା ଏକ ଦୋକାନ ପାଖରେ ଥକ୍କା ମାରିଥିଲେ । ଏହି ସମୟରେ ସେଠାରେ ତାଙ୍କର କିନ୍ନର ପୂଜା ପୃଷ୍ଟି ସହିତ ଦେଖା ହୋଇଥିଲା । ସେ ଘରୁ ପଳାଇ ଆସିଥିବା ଜାଣିବା ପରେ ପୂଜା ତାଙ୍କୁ ନେଇ ଘରେ ରଖିଥିଲେ । ରାତିରେ ସୋସିଆଲ ମିଡିଆରେ ସାଇଙ୍କ ନିଖୋଜ ସମ୍ପର୍କରେ ଭିଡ଼ିଓ ଦେଖିବା ପରେ ସକାଳୁ ତାଙ୍କ ବାପାଙ୍କ ସହ ଯୋଗାଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ଏନେଇ ପୂଜା କିନ୍ନର କହିଛନ୍ତି, ପିଲାଟି ଘର ଛାଡିଥିବା ଜାଣିବା ପରେ ମୁଁ ତାକୁ ନେଇ ଆସିଥିଲି । କାରଣ ମୁଁ ମଧ୍ୟ ଘରୁ ପଳାଇଆସିଥିଲି । ସେ ଦୁଃଖ ଓ ଯନ୍ତ୍ରଣା ମୁଁ ବେଶ ଭଲ ଭାବେ ଅନୁଭବ କରିଛି । ସେହିଦିନ ଠାରୁ ମୁଁ ସମାଜ ସେବା କରିବାକୁ ନିଷ୍ପତ୍ତି ନେଇଥିଲି । ସାଇଙ୍କ ସୁରକ୍ଷିତ ଭାବେ ତା’ ବାପା-ମା’ଙ୍କ ପାଖରୁ ଫେରାଇ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ତେବେ ମୋର ସବୁ ଅଭିଭାବମାନଙ୍କୁ ଅନୁରୋଧ ପିଲାମାନଙ୍କୁ ଅତ୍ୟଧିକ ମାନସିକ ଚାପ ଦିଅନ୍ତୁ ନାହିଁ ।

ସାଇଙ୍କ ବାପା ଅରୁପ ପଣ୍ଡା କହିଛନ୍ତି, ପୂଜା ନେଇ କାମ କରିଛନ୍ତି, ତାଙ୍କୁ ମୁଁ ଜୀବନସାରା ଭୁଲିପାରିବି ନାହିଁ । ସେ ମୋ ଅମୂଲ୍ୟ ରତ୍ନକୁ ମୋତେ ଫେରାଇ ଦେଇଛନ୍ତି । ମୁଁ ଆଜି ଏତେ ଖୁସି ତାହା କହିବା ମୋ ପାଇଁ ସମ୍ଭବ ନୁହେଁ । ମୋ ପୁଅକୁ ଫେରି ପାଇବାରେ ସମସ୍ତଙ୍କ ଉଦ୍ୟମ ରହିଛି । ହେଲେ ପୂଜାଙ୍କ ସହଯୋଗ ସବୁଠାରୁ ଅପୂରଣୀୟ ହୋଇ ରହିଛି । ତେବେ ଆଜି ସାବିତ୍ରୀ ଅମାବାସ୍ୟା ଥିବାରୁ ଅରୁପ କିନ୍ନର ପୂଜାଙ୍କୁ ସାଢୀ ଓ ଫଳ ଆଦି ଦେଇ ଭାଉ-ଭଉଣୀର ସମ୍ପର୍କ ଗଢିଥିଲେ ।

Share this story

World Odia Language Conferene