ବିବାହ ଭୋଜିରୁ ଗଲା ନିରୀହ ଜୀବନ, ଟ୍ରକ୍‌କୁ ପିଟିଲା କାର୍‌, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

road accident kills five members of a family on spot

ଓଡ଼ିଆ ଗସିପ ବ୍ୟୁରୋ : ବଲାଙ୍ଗୀରରେ ମଧ୍ୟରାତ୍ରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେଇ ଫେରୁଥିଲେ ସପରିବାର । ରାସ୍ତାରେ ଜଗିଥିଲା ମୃତ୍ୟୁ । ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ ଛୁଇବନ୍ଧ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା କାର୍ ।

ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ପୁରୁଷ, ଜଣେ ମହିଳା ଓ ୨ ଶିଶୁ ରହିଛନ୍ତି ।

ବଲାଙ୍ଗିର ସହର ଜଗନ୍ନାଥପଡାର ଆତ୍ମଜ ନାଏକ, ମା ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ , ଇପ୍ସିତାଙ୍କ ଝିଅ ରିଆ, ସଦାଇପାଲିର ଦିପ୍ତିରଞ୍ଜନ ସାଏ, ଦିପ୍ତିରଞ୍ଜନଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସୀମନ୍ତିନୀ ସାଏ ମୋଟ୍ ୭ଜଣ ଆଗଲପୁର ବ୍ଲକ ଡୁଡୁକାରୁ ସମ୍ପର୍କୀୟ ବାହାଘର ସାରି ବଲାଙ୍ଗିର ଫେରୁଥିଲେ ।

ଅଧିକ ପଢନ୍ତୁ : ସାଙ୍ଘାତିକ ଦୁର୍ଘଟଣା: ଲେବଲ୍‌ କ୍ରସିଂ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ; ମା’-ଝିଅ ମୃତ, ପୁଅ ଗୁରୁତର

ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆତ୍ମଜ, ଇପ୍ସିତା, ଶ୍ରୀନିକା, ଦୀପ୍ତିରଞ୍ଜନ ଓ ରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି ।

Share this story