ନିମାପଡାରେ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବା ସମୟରେ ବୁଲେଟ୍‌ ଚାଳକ, ମହିଳା ସରପଞ୍ଚଙ୍କ ଉପରେ ଚଢ଼ିଗଲା ହାଇୱା, ଚାଲିଗଲା ଜୀବନ...

Hywa truck rammed over mahila sarpanch in Nimapada

ଓଡ଼ିଆ ଗସିପ ବ୍ୟୁରୋ: ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ଓ ମା’ଙ୍କ ସହିତ ବୁଲେଟ୍‌ରେ ଯାଉଥିବା ମହିଳା ସରପଞ୍ଚଙ୍କ ହାଇୱା ଧକ୍କାରେ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା ନିମାପଡ଼ା ଡେଲଟା ଛକରେ ବାଇକ୍‌ ଆରୋହୀଙ୍କୁ ହାଇୱା ଧକ୍କା ଦେବାରୁ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି ।

ଦୁର୍ଘଟଣାର ଶିକାର ହୋଇଛନ୍ତି ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା (୩୨) । ସୂଚନା ଅନୁସାରେ ନିମାପଡ଼ାରୁ ସରପଞ୍ଚ ଦୀପା ବେହେରା ନିଜ ଭାଇ ଓ ମା’ଙ୍କ ସହିତ ଏକ ବୁଲେଟ୍‌ରେ ବୀରରାମଚନ୍ଦ୍ରପୁରକୁ ଯାଉଥିଲେ ।

ନିମାପଡ଼ା ସ୍ଥିତ ଡେଲଟା ଛକ ନିକଟ ନକ୍ଷତ୍ର କଲ୍ୟାଣ ମଣ୍ଡପରେ ପ୍ରାୟ ସାଢ଼େ ୪ଟାରେ ପହଞ୍ଚି ଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟି ଆରୋହୀ ଆସୁଥିଲେ । ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବୁଲେଟ ଚାଳକ ଭାରସାମ୍ୟ ହରାଇଥିଲେ ।

ଆହୁରି ପଢ଼ନ୍ତୁ : କାହିଁକି କାର କିମ୍ବା ବାଇକ୍ ପଛରେ ଗୋଡ଼ାନ୍ତି କୁକୁର? ବିଶେଷଜ୍ଞ କହିଲେ ଏହା ପଛର କାରଣ ଆଉ ଏଥିରେ କେମିତି ବଞ୍ଚିବେ...

ଘଟଣାସ୍ଥଳରେ ମହିଳା ସରପଞ୍ଚ ବୁଲେଟ୍‌ରୁ ତଳେ ପଡ଼ିଯାଇଥିଲେ । ଏହି ସମୟରେ ପାର୍ଶ୍ବ ଦେଇ ନିମାପଡ଼ା ଯାଉଥିବା ହାଇୱାର ପଛ ଚକା ମହିଳା ସରପଞ୍ଚଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସରପଞ୍ଚଙ୍କ ମା’ ଓ ଭାଇଙ୍କର କୌଣସି କ୍ଷତି ହୋଇନାହିଁ ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ହାଇୱା ଜବତ କରିଛି । ହାଇୱା ଚାଳକ ଫେରାର ହୋଇଯାଇଛି । ରିପୋର୍ଟ ଲେଖାଯିବା ବେଳକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କର ଉତ୍ତେଜନା ଜାରି ରଖିଛନ୍ତି । ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି । ଉଭୟ ପାର୍ଶ୍ବରୁ ଶତାଧିକ ଗାଡ଼ି ଅଟକି ରହିଛି ।

Share this story

World Odia Language Conferene