ଓଡ଼ିଶାରେ ପ୍ରଭାବ ପକାଇଲା 'ଲଘୁଚାପ'; ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା
ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଜନହିତରେ ସୂଚନା ଜାରି କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଲଘୁଚାପର ପ୍ରଭାବ ସାରା ଓଡ଼ିଶାରେ ପଡ଼ିବ । ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ସବୁଠାରୁ ଅଧିକ ରହିବ । ଯେହେତୁ ଲଘୁଚାପ କ୍ଷେତ୍ରର ସୀମା ପଶ୍ଚିମବଙ୍ଗ ଉପକୂଳ ଠାରୁ ରହିଛି ତେଣୁ ଆଶଙ୍କା କରାଯାଇପାରେ ଯେ, ବାଲେଶ୍ୱର ଓ ଏହାର ପଡ଼ୋଶୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହେବ ।
ସେପଟେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ବିସ୍ତୃତି ବର୍ଷା ହେବ । ଆଜି କିଛି ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ( ୭ ରୁ ୨୦ ସେମି) ବର୍ଷା ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ (୨୦ ସେମିରୁ ଅଧିକ) ବର୍ଷା ର ସମ୍ଭାବନା ରହିଛି ।
ସୃଷ୍ଟି ହେଲା #ଲଘୁଚାପ
— Meteorological Centre, Bhubaneswar (@mcbbsr) June 25, 2023
ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି | pic.twitter.com/o32IJOHJvP
ଅଧିକ ପଢ଼ନ୍ତୁ : ମୌସୁମୀ ଆସୁ ଆସୁ ଓଡ଼ିଶାକୁ ଆସିଲା ଜଳ ପ୍ରଳୟ ଭୟ: କାଲି ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ
ମିଳିଥିବା ଖବର ଅନୁସାରେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ । କଟକ ଓ ଭୁବନେଶ୍ୱରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ ବର୍ଷା ସମ୍ଭାବନା ନେଇ ଆଉ କିଛି ଜିଲ୍ଲାକୁ ମଧ୍ୟ ଆଲର୍ଟ କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ଢେଙ୍କନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିର ।
କେବଳ ସେତିକି ନୁହେଁ ମତ୍ସ୍ୟଜୀବୀଙ୍କୁ ଦୁଇଦିନ ବାରଣ ମଧ୍ୟ କରାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଦୁଇ ଦିନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି ।