ସାବଧାନ ! ରାଜଧାନୀରେ ବିକ୍ରି ହେଉଛି ନକଲି ଛେନା, ପନିର୍‌‌

duplicate paneer and milk product is available in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ : ରାଜଧାନୀରେ ନକଲି ଛେନା ଓ ପନିରର ମାତ୍ରା ଖାଉଟିଙ୍କ ଚିନ୍ତା ବଢ଼଼ାଇଛି । ନିମ୍ନମାନର କ୍ଷୀର ପାଉଡରକୁ ବ୍ୟବହାର କରି ଛେନା ଓ ପନିର ପ୍ରସ୍ତୁତ କରାଯାଉଛି । ସେହିଭଳି ରାଜଧାନୀର ମାଳମାଳ ମିଠା ଦୋକାନୀ ଦୁଗ୍ଧ ପାଉଡରରୁ ପ୍ରସ୍ତୁତ ହେଉଥିବା କ୍ଷୀରରୁ ମିଠା ପ୍ରସ୍ତୁତ କରୁଛନ୍ତି ।

ବିବାହ ଓ ବ୍ରତଘର ଇତ୍ୟାଦିରେ ବ୍ୟବହାର ହେଉଥିବା କ୍ୱିଣ୍ଟାଲ୍‌‌ କ୍ୱିଣ୍ଟାଲ ପନିର ମଧ୍ୟ ନକଲି ବୋଲି ଅଭିଯୋଗ ହେଉଛି । ପନିରଗୁଡ଼ିକ ନକଲି ହୋଇଥିବା ସହଜରେ ବାରି ହୋଇପଡ଼ୁଥିବା ବେଳେ ପାଟିକୁ ସୁଆଦ ଲାଗୁନାହିଁ ବୋଲି ଖାଉଟିମାନେ ଅଭିଯୋଗ କରୁଛନ୍ତି ।

ଅନ୍ୟପକ୍ଷରେ ଗୁଣ୍ଡ ପାଉଡର୍‌‌ ଦ୍ୱାରା ଛେନା ପ୍ରସ୍ତୁତ ହୋଇ ଖୋଲାଖୋଲି ଭାବେ ରାଜଧାନୀ ବଜାରରେ ବିକ୍ରି ହେଉଥିଲେ ମଧ୍ୟ ଖାଦ୍ୟ ନିରାପତ୍ତା ଟିମ୍‌‌ ନିରବ ବସିବା ଭଳି ମନେ ହେଉଛି ।

ଆହୁରି ପଢ଼ନ୍ତୁ : ସମ୍ବଲପୁରରେ ବନ୍ଦ ଘର ଭିତରୁ ମା’ଙ୍କ ସହ ପୁଅ ଓ ଝିଅଙ୍କର ମୃତଦେହ ଜବତ, ପୋଲିସ ର ତନାଘନା ଜାରି...

ସୂଚନା ଅନୁଯାୟୀ, ଦୁଗ୍ଧ ପାଉଡରର ବଜାର ଦର ୩୫୦ରୁ ୪୦୦ ଭିତରେ ରହୁଥିବା ବେଳେ ୧ କେଜି ପାଉଡରରୁ ୧୦ ଲିଟର କ୍ଷୀର କିମ୍ବା ୩ରୁ ସାଢ଼େ ତିନି କେଜି ଛେନା ପ୍ରସ୍ତୁତ ହୋଇପାରୁଛି । ଏହି ଅନୁପାତରେ କ୍ଷୀରରୁ ପ୍ରସ୍ତୁତ ଛେନା ଓ ପନିରରେ ଅଧାରୁ କମ୍‌‌ ଲାଭ ହେଉଛି । ଏଣୁ ବ୍ୟବସାୟୀମାନେ ନକଲି ଛେନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ପ୍ରତ୍ୟେହ ଭୁବନେଶ୍ୱରକୁ ୫ଶହ କ୍ୱିଣ୍ଟାଲରୁ ଅଧିକ ଛେନା ଓ ପନିର ଆସୁଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ପିପିଲିରୁ ଆସୁଛି । ବ୍ୟବସାୟୀ ବଡ଼ି ଭୋରରୁ ଦୁଇଚକିଆ ଓ ଚାରିଚକିଆ ଯାନରେ ଛେନା ଓ ପନିର ଲୋଡ୍‌‌ କରି ରାଜଧାନୀକୁ ଆସୁଛନ୍ତି । ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଚାହିଁଲେ, ଛେନାର ମାନ ଯାଞ୍ଚ ହୋଇପାରନ୍ତା ବୋଲି ଭୁବନେଶ୍ୱର ବାସିନ୍ଦା ଦିବ୍ୟଜ୍ୟୋତି ମିଶ୍ର କହିଛନ୍ତି ।

ସେହିଭଳି ବଡ଼ ପରିମାଣର ଦୁଗ୍ଧ ପାଉଡର ମଧ୍ୟ ପିପିଲି ସମେତ ଭୁବନେଶ୍ୱର ଉପକଣ୍ଠକୁ ଆମଦାନୀ ହୋଇ ଆସୁଛି । ଏହା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ବ୍ଲକକୁ ପଠାଯାଉଛି । ଛେନା ପ୍ରସ୍ତୁତକାରୀମାନେ ଦୁଗ୍ଧ ପାଉଡରକୁ ଗରମ ପାଣିରେ ଗୋଳାଇ, ଛେନା ପାଣି ମିଶାଇ ଛେନା ପ୍ରସ୍ତୁତ କରୁଛନ୍ତି । ଏହି ଛେନା ଦେଖିବାକୁ କ୍ଷୀର ଛେନା ଭଳି ହୋଇଥିଲେ ମଧ୍ୟ ସ୍ୱାଦ କ୍ଷୀର ଛେନା ଭଳି ଦେଇପାରୁନାହିଁ ।

ଆହୁରି ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ତେବେ ରାଜଧାନୀର ଚାହିଦା ମେଣ୍ଟାଇବାକୁ ଏଭଳି କରାଯାଉଥିବା ଜନୈକ ଛେନାପ୍ରସ୍ତୁତକାରୀ କହିଛନ୍ତି । ତାଙ୍କ କହିବା କଥା ଯେ ରାଜଧାନୀରେ ଉତ୍ପାଦନ ତୁଳନାରେ ଚାହିଦା ପାଖାପାଖି ଦୁଇଗୁଣ । ଏଭଳି ସ୍ଥଳେ କ୍ଷୀର ନମିଳିଲେ ବାଧ୍ୟ ହୋଇ ଦୁଗ୍ଧ ପାଉଡରକୁ ବ୍ୟବହାର କରାଯାଉଛି ।

ତେବେ ଏଭଳି ନିମ୍ନ ମାନର ଖାଦ୍ୟର ଗୁଣବତ୍ତା ଯାଞ୍ଚ ହେବାର ଆବଶ୍ୟକତା ରହିଛି ବୋଲି ଭୁବନେଶ୍ୱରର ସ୍ଥାନୀୟ ଲୋକେ ମତପୋଷଣ କରିଛନ୍ତି । ସେହିଭଳି ଅଭିଯୋଗ ଆସିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଟିମ୍‌‌ ପକ୍ଷରୁ କୁହାଯାଇଛି ।

Share this story

World Odia Language Conferene