ବର୍ଷା ବାଟରେ ବାତ୍ୟା ‘ବିପର୍ଯ୍ୟୟ’ ବାଧକ : ଲଘୁଚାପ ନ ହେଲେ ରଜ ସୁଦ୍ଧା ଆସିବନି ମୌସୁମୀ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର...

another low depression to form

ଓଡ଼ିଆ ଗସିପ ବ୍ୟୁରୋ: ଯଦି ଠିକ୍ ସମୟରେ ମୌସୁମୀ ଓଡ଼ିଶା ଆସିଥାନ୍ତା ତେବେ ଏତେବେଳକୁ ବର୍ଷା ହୁଅନ୍ତାଣି । ଗରମ ଗୁଳୁଗୁଳିରୁ ବି ଆଶ୍ବସ୍ତି ମିଳିସାରନ୍ତାଣି । କିନ୍ତୁ ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ଯ୍ୟୟ’ । ଆରବସାଗରରେ ବର୍ତ୍ତମାନ ଏକ ଅବପାତ ରହିଛି । ଏହା ବାତ୍ୟା ‘ବିପର୍ଯ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି ।

ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ ମୌସୁମୀ କେରଳ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି । ସେହିପରି ମୌସୁମୀ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସ୍ୱାଭାବିକ ଭାବେ ଜୁନ୍‌‌ ୧ରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଜୁନ୍‌‌ ୯ ପୂର୍ବରୁ ଏହି ସମ୍ଭାବନା କମ୍‌‌ ରହିଛି ।

ମୌସୁମୀ କେରଳ ଛୁଇଁଲେ ଏହି ସମୟରେ ନିର୍ଦ୍ଦିଷ୍ଟ କିଛି ମାନଦଣ୍ଡ ପୂରଣ ହୋଇଥାଏ । ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାତାର ଦୁଇ ଦିନ ଅତିକମ୍‌‌ରେ ୨.୫ ମିମି ବର୍ଷା ନ ହେବା ଓ ‘ଆଉଟ ଗୋଇଙ୍ଗ ଲଙ୍ଗ୍‌‌ୱେଭ୍‌‌ ରେଡିଏସନ୍‌‌’ ଅଧିକ ରହୁଛି । ଯାହାକି ଆସନ୍ତା ୩ ଦିନ ପୂର୍ବରୁ ଅନୁକୂଳ ହେବାର ସମ୍ଭାବନା କମ୍‌‌ ରହିଛି ।

ଅଧିକ ପଢ଼ନ୍ତୁ : ବାଙ୍କୀ ଚର୍ଚ୍ଚିକାରୁ ଘଟଗାଁ ତାରିଣୀ ପୀଠ ମାନସିକ ପୂରଣ ଲାଗି ୨ ଶହ କିମି ପଦଯାତ୍ରା କଲେ ଏହି ବୟସ୍କ ବ୍ୟକ୍ତି...

ଅନ୍ୟପଟେ ଆରବ ସାଗରରେ ‘ବିପର୍ଯ୍ୟୟ’ ବାତ୍ୟା ଦେଶର ପଶ୍ଚିମ ଉପକୂଳକୁ ଯିବାର ସମ୍ଭାବନା ଥିବାରୁ ୩ ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହେଲେ ମଧ୍ୟ ତାହା ଦୁର୍ବଳ ରହିବ । ଏହାହିତ ବଙ୍ଗୋପସାଗରୀୟ ଶାଖା ସକ୍ରିୟା ହେବାରେ ମଧ୍ୟ ବାତ୍ୟାର ପ୍ରତିକୂଳ ପ୍ରଭାବ ପଡ଼ିବ । ବର୍ତ୍ତମାନର ମୌସୁମୀରେ ୪ଟି ଗୁଣ ପରିଲକ୍ଷିତ ହେଉଛି । ମନ୍ଥର ଅଗ୍ରଗତି, ବଳମ୍ବିତ ପ୍ରବେଶ, ଦୁର୍ବଳ ପ୍ରାରମ୍ଭ ଓ ନିଅଣ୍ଟିଆ ବର୍ଷା ଆଦି ଦିଗକୁ ଇଙ୍ଗିତ କରୁଛି ।

ବଙ୍ଗୋପସାଗରରେ ପୂର୍ବ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ (ମିଆଁମାର, ଥାଇଲାଣ୍ଡ, ବଙ୍ଗଲାଦେଶ ଓ ଉତ୍ତର-ପୂର୍ବ ଭାରତ) ଜୁନ୍‌‌ ତୃତୀୟ ସପ୍ତାହରେ ଭାରି ବର୍ଷା ହେବାର ସମ୍ଭବନା ରହିଛି । ଓଡ଼ିଶାରେ ରଜ ସମୟରେ ବିକ୍ଷିପ୍ତ ହାଲୁକା ବର୍ଷା ଏବଂ ରଜ ପରେ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । କୌଣସି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ନ ହେଲେ ଆସନ୍ତା ୧୮ ପର୍ଯ୍ୟନ୍ତ ରାଜ୍ୟକୁ ମୌସୁମୀ ସମ୍ଭାବନା କମ୍‌‌ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଅଧିକ ପଢ଼ନ୍ତୁ : ସେଲ୍ଫି ନେବା ହେଲା କାଳ, ଗୋଡ଼ ଖସି ଯିବାରୁ ୧୦୦ ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ସେପଟେ ମୌସୁମୀର ଦେଖା ନ ଥିବା ବେଳେ ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ମଙ୍ଗଳବାର ରାଜ୍ୟର ୧୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୩ ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ି ୯ ଓ ୧୧ ମଧ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣର କେତେକ ସ୍ଥାନରେ ୪୫ ଡିଗ୍ରୀରୁ ଅଧିକ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଭୁବନେଶ୍ୱର ସମେତ ଉପକୂଳରେ ଏହି ସମୟରେ ତାପମାତ୍ରା ୪୦ରୁ ଅଧିକ ହେବାକୁ ଥିବା ବେଳେ ୧୩ ଓ ୧୪(ରଜ)ରେ ୪୩ ଡିଗ୍ରୀ ତାପମାତ୍ରା ସହିତ ଗୁଳୁଗୁଳି ବଡ଼ିବ ବୋଲି ସେ କହିଛନ୍ତି ।

Share this story