ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା, କାହିଁକି ହୁଏ ହନୁମାନ ଜୟନ୍ତୀ, କିଛି ଏପରି ରହିଛି ବଡ଼ କାରଣ...

why we celebrate pana shankranti

ଓଡ଼ିଆ ଗସିପ ବ୍ୟୁରୋ: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ହେବା ସହ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ ।

ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ । ସୁତରାଂ ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହୁଏ । ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।

କିପରି ହୁଏ ପାଳନ: ମହାବିଷୁବ ସଂକ୍ରାନ୍ତି ଦିନ ବୃନ୍ଦାବତୀଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ । ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା’ ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କହାଯାଏ ।

ଆହୁରି ପଢ଼ନ୍ତୁ : ଏକୁଟିଆ ବେଳେ ଛାତ୍ରୀଙ୍କୁ ଡାକୁଥିଲେ ରସିକିଆ ପ୍ରିନ୍ସିପାଲ୍; ନିର୍ଯାତନାର କାହାଣୀ ବଖାଣିଲେ ଦୁଇ ଛାତ୍ରୀ

ଏହି ଦିନ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି ।

ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଟକୁ ଏହି ଦିନ ଶେଷ କରାଯାଏ । ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

ବୈଜ୍ଞାନିକ ଦୃଷ୍ଟିକୋଣ: ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ ।

ପରିବେଶର ତାପମାତ୍ରା ବଢିବା ସହିତ ଶରୀରରେ ମଧ୍ୟ ଅତ୍ୟଧିକ ତାପଶକ୍ତି ବଢିଥାଏ । ଏହା ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ରହିଛି । ତେଣୁ ଏହି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି ।

ଆହୁରି ପଢ଼ନ୍ତୁ : ଘଟଗାଁ ମା’ ତାରିଣୀଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଇତି ପର୍ବ; ଆଜିଠୁ ସାତ ଦିନ ସୁନାବେଶରେ ଦର୍ଶନ ଦେବେ ମା’

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ଏହି କାରଣରୁ ଏହାକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ ।

ଅନ୍ୟାନ୍ୟ ଦୃଷ୍ଟିକୋଣ: ସୂର୍ଯ୍ୟ ତାପ ବଢୁଥିବାରୁ ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ଶୋଷ ମେଣ୍ଟେଇବା ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତା’ ତଳେ ସରୁ କଣାକରି ଜଳଦାନ କରାଯାଇଥାଏ ।

ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ ।

Share this story