ପୁଣି ଟ୍ରେନ୍ ଦୁର୍ଘଟଣା, ୧୪ ମୃତ, ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା
ଓଡ଼ିଆ ଗସିପ୍ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୩୯ ଟି ଟ୍ରେନ୍କୁ ବାତିଲ ବାତିଲ କରିଛି ରେଳ ବିଭାଗ।
ଏଥିସହ ୨୨ଟିର ରୁଟ୍ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍ଏମ୍ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ପୁରୁଷ ଓ ୧୧ ମହିଳା ରହିଛନ୍ତି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ପିଏମ୍ଏନ୍ଆର୍ଏଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି। ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଅନ୍ୟପକ୍ଷରେ ରେଳମନ୍ତ୍ରୀ ବୈଷ୍ଣବ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହିତ କଥା ହେବାସହ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ, ଗୁରୁତର ଆହତଙ୍କ ଲାଗି ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି।
ସେହିପରି ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ସମ୍ପର୍କୀୟଙ୍କ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ପ୍ରତ୍ୟେକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ସେ ରାଜ୍ୟର ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଅନ୍ୟ ରାଜ୍ୟରୁ ମୃତକଙ୍କ ପରିବାର ପାଇଁ ସେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଆହତମାନଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଭିଜୟାନଗରମ ଜିଲ୍ଲାର କାନ୍ତକପାଲ୍ଲୀରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ଏସଆରସି ଏବଂ ରାୟଗଡ଼ା ଓ କୋରାପୁଟର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ରାୟଗଡ଼ା (୦୮୫୦୪) ଆସୁଥିବା ପାସେଞ୍ଜର ଟ୍ରେନ୍ ସିଗ୍ନାଲ ନ ପାଇବାରୁ ଆଲ୍ମଣ୍ଡା ନିକଟରେ ଅଟକି ରହିଥିଲା। ଏହି ରୁଟ୍ରେ ପଲାସାରୁ ବିଶାଖାପାଟଣା (୦୮୫୩୨) ଆସୁଥିବା ଅନ୍ୟ ଏକ ପାସେଞ୍ଜର ଟ୍ରେନ୍ (୦୮୫୦୪)କୁ ଧକ୍କା ଦେଇଥିଲା। ଏଥିଯୋଗୁଁ ତିନୋଟି ବଗି ଲାଇନଚ୍ୟୁତ୍ ହୋଇ ଯାଇଥିଲା। ଏହି ସମୟରେ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ପାସେଞ୍ଜର ଟ୍ରେନ୍ର ବଗି ଉପରେ ଚଢ଼ି ଯାଇଥିଲା। ମାନବିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପୂର୍ବତଟ ରେଲବାଇ (ଇସିଓଆର) ପକ୍ଷରୁ କୁହାଯାଇଛି। ଲୋକ ପାଇଲଟ ସିଗ୍ନାଲକୁ ଲକ୍ଷ୍ୟ କରି ନ ଥିଲେ। ରେଳ ମନ୍ତ୍ରାଳୟର ୱାର୍ ରୁମ୍ ଘଟଣା ଉପରେ ନଜର ରଖିଛି ବୋଲି କୁହାଯାଇଛି।
ଅଧିକ ପଢ଼ନ୍ତୁ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭରେ ଟିଉସନ ସାରଙ୍କ ପିଲା, ତଦନ୍ତ ପରେ ବାନ୍ଧିଲା ପୋଲିସ