ଅନଭିଜ୍ଞ ଆଫ୍‌ଗାନିସ୍ତାନ ସହ ଆଜିର ମ୍ୟାଚ ଜିତି ପାରିବ ତ ଟିମ୍ ଇଣ୍ଡିଆ; ନ ହେଲେ ଲଜ୍ୟା

sports

ଓଡ଼ିଆ ଗସିପ୍ ବ୍ୟୁରୋ: ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ‌ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଆଫ୍‌ଗାନିସ୍ତାନ ରୂପରେ ଆଉ ଏକ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ପ୍ରତିପକ୍ଷକୁ ଭେଟିବ। ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି। ତା’ ଛଡ଼ା ଏହି ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍‌ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା‌ ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍‌ର ପଞ୍ଚମ ସ୍ଥାନରେ ରହିଛି। ତା ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି।

ଏପରିକି ‌ଭାରତୀୟ ଖେଳାଳିଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏହି ଲଜ୍ଜା‌ଜନକ ପ୍ରଦର୍ଶନ ପାଇଁ ଧମକ ଚମକ ମିଳୁଛି। ଫଳରେ ଭାରତୀୟ ଖେଳାଳିଙ୍କ ମାନସିକ ସ୍ଥିତି ସେତେଟା ଭଲ ନାହିଁ। ଏଭଳି ସ୍ଥିତିରେ ବୁଧବାର ପୁଣି ଥରେ ଭାରତୀୟ ଦଳ ଘୋର ଚାପରେ ଥାଇ ପଡ଼ିଆକୁ ଓହ୍ଲାଇବ। ଦଳ ଯାହା ପରୀକ୍ଷା ନିରୀକ୍ଷା କରିଛି ସବୁ ଏକପ୍ରକାର ବିଫଳ ହୋଇଛି। ସେଥିପାଇଁ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ହେବ ଏବଂ ଓପନିଂ କିଏ କରିବ, ସେ ପ୍ରଶ୍ନ ସମର୍ଥକଙ୍କୁ ଆନ୍ଦୋଳିତ କରୁଛି। ଦୁଇଟି ବଡ଼ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ଏକ ପ୍ରକାର ମଉଳି ଯାଇଛି।

ତଥାପି ଗାଣିତିକ ହିସାବ ଅନୁସାରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଖେଳିବାର ସମ୍ଭାବନା ସଂପୂର୍ଣ୍ଣ ଦୂର ହୋଇନି। ଏଭଳି ସ୍ଥିତିରେ କେବଳ ବଡ଼ ଧରଣର ଚମତ୍କାର ହିଁ କୋହଲି ବାହିନୀକୁ ସେମିଫାଇନାଲ୍ ନେଇ ପାରିବ। କାରଣ ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ବି ଭାରତକୁ ଆଫ୍‌ଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ। ହେଲେ ଆଫଗାନିସ୍ତାନ ୨୦୧୯ ଏକଦିବସୀୟ ବିଶ୍ବକପ୍‌ରେ ଭାରତକୁ ପୂରା ପାଣି ପିଆଇ ଦେଇଥିଲା। ଅବଶ୍ୟ ଭାରତ ୨୦୧୦ ଓ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନକୁ ହରାଇଥିଲା। ଏବେ ଆଫ୍‌ଗାନିସ୍ତାନ ପାଇଁ ଭାରତକୁ ପ୍ରଥମ ଥର ହରାଇବାର ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି।

ଆଫ୍‌ଗାନିସ୍ତାନ ଦଳରେ ମହମ୍ମଦ ନବି ଏବଂ ରସିଦ ଖାନଙ୍କ ଭଳି ଖେଳାଳି ଅଛନ୍ତି। ଏମାନେ ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ଦୋହଲି ଯାଇଥିବା ଆତ୍ମବଳରୁ ଫାଇଦା ନେବାକୁ ‌ଚେଷ୍ଟା କରିବେ। ସେପଟେ ଅଧିନାୟକ କୋହଲି ସମ୍ଭବତଃ ନିଜ ଟ୍ବେଣ୍ଟି-୨୦ ନେତୃତ୍ବ ଜୀବନର ଶେଷ ୩ ମ୍ୟାଚ୍ ଖେଳିବା ବାକି ରହିଛି। ପୁଣି ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ଦଳରେ ନେବା ଏବଂ ତାଙ୍କୁ ବେଞ୍ଚ୍‌ରେ ବସାଇବା ନେଇ ବିବାଦ ଦେଖା ଦେଇଛି। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସ୍ଥାନ ବଦଳାଇବାକୁ ନେଇ କୋହଲି ପୂର୍ବତନ ଭାରତୀୟ କ୍ରିକେଟରଙ୍କଠାରୁ ତୀବ୍ର ସମାଲୋଚନାର ସମୁଖୀନ ହୋଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ କୋହଲି କିମ୍ବା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ନଆସିବା ନେଇ କିଛି ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ଦଳ ଏବେ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଥିବାର ଖବର ବି ଆସୁଛି। ଏସବୁ ଗୋଳମାଳିଆ ପରିସ୍ଥିତିରେ ଆଫ୍‌ଗାନିସ୍ତାନଠାରୁ ଜିତି ପ୍ରଶଂସକଙ୍କ ମନରେ କିଛିଟା ଆନନ୍ଦ ଉଲ୍ଲାସ ଭରିବା କୋହଲି ବାହିନୀ ପାଇଁ ଆଦୌ ସହଜ ହେବାର ସମ୍ଭାବନା ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଅସଗର ଆଫଗାନ ଅବସର ନେବା ଆଫଗାନିସ୍ତାନ ପାଇଁ ବଡ଼ ଝଟ୍‌କା ହୋଇଛି। ତାଙ୍କ ସ୍ଥାନରେ ସରଫଉଦ୍ଦିନ ଅସ୍ରଫଙ୍କୁ ଆଫ୍‌ଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜ ବିଶ୍ବକପ୍ ଏକାଦଶରେ ସାମିଲ କରିଛି। ଅସ୍ରଫ ହେଉଛନ୍ତି ଜଣେ ବୋଲିଂ ଅଲରାଉଣ୍ଡର।

Share this story