ରାଞ୍ଚି ଟେଷ୍ଟରେ ଶତକ ମାରିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ


ରାଞ୍ଚି: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ୮୩ ରନ୍ କରିଥିବା ରାହଣେ ଆଜି ଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ୧୬୯ ବଲ୍ରୁ ଗୋଟିଏ ଛକା ଓ ୧୪ ଚୌକା ସହାୟତାରେ ସେ ଏହି ଶତକ ହାସଲ କରିଛନ୍ତି ।
ଟେଷ୍ଟ୍ ମ୍ୟାଚ୍ରେ ଏହା ହେଉଛି ରାହାଣେଙ୍କ ଏକାଦଶ ଶତକ । ସେହିପରି ୨୬ଟି ଇନିଂସ୍ ପରେ ସେ ଟେଷ୍ଟ୍ ମ୍ୟାଚ୍ରେ ତିନି ଅଙ୍କ ଛୁଇଁଛନ୍ତି । ତେବେ ଶତକ ହାସଲ କରିବା ପରେ ସେ କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନ ଥିଲେ । ଆଉ ୧୫ ରନ୍ କରି ଅର୍ଥାତ୍ ୧୧୫ ରନ୍ରେ ସେ ଆଉଟ୍ ହୋଇଥିଲେ ।
୧୯୨ଟି ବଲ୍ରୁ ୧୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି । ସୂଚନାଯୋଗ୍ୟ, ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ସିରିଜ କବଜା କରିସାରିଛି । ଦଳ ଏହି ମ୍ୟାଚ୍କୁ ଜିତି ସିରିଜ୍କୁ ୩-୦ରେ ହାତେଇବାକୁ ଲକ୍ଷ୍ୟ ରଖିଛି ।
