ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇଲା ହାଇଦ୍ରାବାଦ

ଓଡ଼ିଆ ଗସିପ୍ ବ୍ୟୁରୋ: ପରାଜୟ ଧାରାରେ ରହି ପ୍ଲେ ଅଫ୍ ସୁଯୋଗ ହାତଛଡ଼ା ହେବା ପରେ ଦୁଇ ଥର ବିଜେତା ସନ୍ରାଇଜର୍ସ ହାଇଦ୍ରାବାଦ ସୋମବାର ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ହରାଇ ଦେଇଛି। ତେବେ କେନ୍ ୱିଲିୟମସନ୍ଙ୍କ ଦଳ ଦଶମ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ପାଇଥିବାରୁ ଶେଷ ସ୍ଥାନରୁ ଉପରକୁ ଉଠିବାରେ ସକ୍ଷମ ହୋଇନାହିଁ।
ଅନ୍ୟପକ୍ଷରେ ପୁଣି ଥରେ ଅଧିନାୟକ ସଞ୍ଜୁ ସାମସନ୍ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ବିଜୟରେ ଏହା ଲାଗି ପାରିନାହିଁ। ରାଜସ୍ଥାନ ଦଶମ ମ୍ୟାଚ୍ରୁ ଷଷ୍ଠ ପରାଜୟ ବରଣ କରି ପୂର୍ବ ଭଳି ସପ୍ତମରେ ରହିଛି। ରାଜସ୍ଥାନ ଦେଇଥିବା ୧୬୫ ରନ୍ ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୯ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା।
ଜାସନ୍ ରୟ (୬୦) ଭଲ ମୂଳଦୁଆ ପକାଇବା ପରେ ଅଧିନାୟକ କେନ୍ ୱିଲିୟମ୍ସନ୍ (୫୧*) ଏବଂ ଅଭିଷେକ ଶର୍ମା (୨୧*) ମ୍ୟାଚ୍ ଶେଷ କରିଥିଲେ। ମିଚେଲ ମାର୍ସଙ୍କ ବଦଳ ଖେଳାଳି ଭାବେ ହାଇଦ୍ରାବାଦରେ ଯୋଗ ଦେଇଥିବା ଜାସନ୍ ରୟ ନିଜ ପ୍ରଥମ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ବିବେଚିତ ହୋଇଛନ୍ତି। ପୂର୍ବରୁ ସେ ଗୁଜରାଟ ଓ ଦିଲ୍ଲୀ ପାଇଁ ଖେଳି ୮ ମ୍ୟାଚ୍ରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ପ୍ରଥମ ଓଭରରେ ୧୧ ରନ୍ ଆଦାୟ କରିଥିଲା। କିନ୍ତୁ ଭୁବନେଶ୍ବର କୁମାର ନିଜର ପ୍ରଥମ ବଲ୍ରେ ଏଭିନ୍ ଲୁଇସଙ୍କୁ ଆଇଟ୍ କରିବା ପରେ ସଞ୍ଜୁ ସାମସନଙ୍କୁ ସଅଳ ଆସିବାକୁ ପଡ଼ିଥିଲା। ୪୧ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ଠିକଣା ସହଯୋଗ ପାଇନଥିଲେ ସେ।
ଶେଷ ଓଭରରେ ସଞ୍ଜୁ ୮୨ ରନ୍ କରି ଆଉଟ୍ ହୋଇଥିଲେ। ୫୭ ବଲ୍ ଖେଳି ସେ ୭ ଚୌକା ଓ ୩ ଛକା ମାରିଥିଲେ। ଗତ ମ୍ୟାଚ୍ରେ ୭୦* ରନ୍ କରିଥିଲେ ମଧ୍ୟ ଦିଲ୍ଲୀ ବିପକ୍ଷରେ ଦଳକୁ ବିଜୟୀ କରିପାରିନଥିଲେ। ବିଶ୍ବକପ୍ ଦଳରୁ ବଞ୍ଚିତ ସଞ୍ଜୁ ଏହି ପାଳି ସହିତ ଚଳିତ ଆଇପିଏଲ୍ର ଅଗ୍ରଣୀ ରନ୍ ସ୍କୋରର୍ (୪୩୩ ରନ୍) ହୋଇ ଅରେଞ୍ଜ୍ କ୍ୟାପ୍ ପାଇଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧାୱନ (୪୩୦)ଙ୍କୁ ପଛରେ ପକାଇଛନ୍ତି।
ସଞ୍ଜୁଙ୍କ ବାଦ୍ ରାଜସ୍ଥାନ ପାଇଁ ସୋମବାର ଅନ୍ୟମାନଙ୍କ ମଧ୍ୟରୁ କେବଳ ଦୁଇ ଜଣ (ଯଶସ୍ବୀ ଜୟସ୍ବାଲ-୩୬, ମହିପାଲ୍ ଲୋମରୋର୍-୨୯*) ଦୁଇ ଅଙ୍କ ସ୍କୋର୍ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ୍ (୨/୩୬) ସଫଳ ବୋଲର ଥିଲେ। ସନ୍ଦୀପ ଶର୍ମା, ଭୁବନେଶ୍ବର କୁମାର, ରସିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମଙ୍ଗଳବାର ଲିଗ୍ରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। କୋଲକାତା ନାଇଟ୍ ରାଇଡର୍ସକୁ ଦିଲ୍ଳୀ କ୍ୟାପିଟାଲ୍ସ (ଅପରାହ୍ଣ ୩.୩୦) ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଜାବ କିଙ୍ଗ୍ସ (ରାତି ୭.୩୦)ରେ ଭେଟିବ।