ସୁଶାନ୍ତଙ୍କ ନିଧନରେ ଅବାକ ଭାରତୀୟ କ୍ରିକେଟ୍ ଜଗତ; ସହିପାରିଲେନି ବିରାଟ କୋହଲୀ


ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଧୋନୀଙ୍କୁ ହରାଇ ଶୋକରେ ବୁଡ଼ିଛି ଭାରତୀୟ କ୍ରିକେଟ ଜଗତ । କୋହ ସମ୍ଭାଳି ନପାରି ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, “ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ ।”

କ୍ରିକେଟ ଦୁନିଆର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, “ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ଓ ଦୁଖିତଃ ମଧ୍ୟ । ସେ ଜଣେ ଦକ୍ଷ ଅଭିନେତା । ସୁଶାନ୍ତଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”
ସ୍ପିନର ହରଭଜନ ସିଂହ ଟ୍ୱିଟ୍ କରି ଲେଖିଛନ୍ତି, ଦୟାକରି ମତେ କୁହନ୍ତୁ ଏହା ହେଉଛି ମିଥ୍ୟା ଖବର, ମୁଁ ବିଶ୍ୱାସ କରିପାରୁନି ସୁଶାନ୍ତ ଆଉ ନାହାଁନ୍ତି । ତାଙ୍କ ପରିବାର ପ୍ରତି ମୋର ସମେବଦନା । ବହୁତ ଦୁଃଖ ଖବର ।

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଟ୍ୱିଟ୍ କରି ଲେଖିଛନ୍ତି, “ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତାଙ୍କ ପରିବାରକୁ ମୋର ସମବେଦନା । ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ ତାଜ୍ ହୋଟଲରେ କଥା ହୋଇଥିଲି । ସେଠାରେ ମୁଁ ତାଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲି, ସୁଶାନ୍ତ ମୋତେ କହିଥିଲେ ଯେ, ଭାଇ ମୋ ଫିଲ୍ମ ଛିଛୋରେ ଦେଖିବ ।”
