ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଟିମ୍‌ ଇଣ୍ଡିଆକୁ ଝଟକା, ଜାଡେଜାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

Action on rabindra jadeja

ଓଡ଼ିଆ ଗସିପ ବ୍ୟୁରୋ: ନାଗପୁର ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଗୋଟିଏ ଇଂନିସ ଓ ୧୩୨ ରନରେ ହରାଇ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତର ପ୍ରଥମ ଇନିଂସ ୪୦୦ ରନ୍‌ରେ ଶେଷ ହେବା ପରେ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ।

ହେଲେ ପ୍ରଥମ ଇନିଂସରେ ଖରାପ ଖେଳିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଆହୁରି ଖରାପ ଖେଳିଥିଲା । ଭାରତ ୨୨୩ ରନ୍‌ର ଲିଡ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସରଙ୍କୁ ରବୀନ୍ଦ୍ର ଜାଡ଼େଜା ଧରାଶୟୀ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେମାନେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରି ପାରି ନଥିଲେ ।

ଦଳର କୌଣସି ବ୍ୟାଟ୍ସର ଭାରତୀୟ ବୋଲରଙ୍କୁ ଚେକ୍ ଦେବାରେ ସଫଳ ହୋଇ ନଥିଲେ । ପ୍ରଥମ ଟେଷ୍ଟରେ ମୋଟ୍‌ ୭ଟି ୱିକେଟ୍ ନେବା ସହ ୭୦ ରନ୍ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ‘ମ୍ୟାନ୍ ଅଫ ଦ ମ୍ୟାଚ୍’ ପୁରସ୍କାର ଦିଆଯାଇଛି ।

ତେବେ ମ୍ୟାଚ ପରେ ଭାରତକୁ ଲାଗିଛି ବଡ଼ ଝଟକା । ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ସମୟରେ ଆଇସିସି ଆଚରଣ ସଂହିତାର ଲେବଲ୍‌- 1 କୁ ଉଲଘଂନ କରିଥିବାରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି ।

ରବିନ୍ଦ୍ର ଜାଡେଜା ଖେଳାଳି ଏବଂ ପ୍ଲେୟାର ସପୋର୍ଟ ପର୍ସନାଲଙ୍କ ପାଇଁ ଆଇସିସି ଆଚରଣ ସଂହିତା ର ଧାରା ୨.୨୦ ଉଲ୍ଲଂଘନ କରିଥିବା ଜଣାପଡିଛି ।

କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟର ଉଦଘାଟନୀ ଦିନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ ପଦର୍ଶନ କରିଥିଲେ । ଅଷ୍ଟ୍ରେଲିଆର ୫ଟି ୱିକେଟ ନେଇ ଦଳକୁ ଧରାଶାୟୀ କରିଦେଇଥିଲେ । ତେବେ ପ୍ରଥମ ଇନିଂସର ୪୬ ତମ ଓଭରରେ ଜାଡେଜା ତାଙ୍କ ଆଙ୍ଗୁଠିରେ କଷ୍ଟ ଲାଘବ (ପେନ୍‌ ରିଲିଫ୍‌) କ୍ରିମ୍‌ ଲଗାଉଥିଲେ ।

ଭିଡିଓ ଫୁଟେଜରେ ବାମହାତୀ ସ୍ପିନର ଜାଡେଜା ମହମ୍ମଦ ସିରାଜଙ୍କ ପାପୁଲିରୁ କିଛି ପଦାର୍ଥ ନେଇ ବାମ ହାତର ଆଙ୍ଗୁଠିରେ ଘଷୁଥିବା ଦେଖିବାକୁ ମିଳିଥିଲା । ଅନ-ଫିଲ୍ଡ ଅମ୍ପାୟାରଙ୍କ ବିନା ଅନୁମତିରେ ଏହା କରାଯାଇଥିଲା, ଯେଉଁଥିପାଇଁ ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜଙ୍କ ଏହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମ ଭାଇରାଲ ହେବା ସହ କିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହାକୁ ବଲ୍‌କୁ ଟାମ୍ପରିଂ କରୁଥିବାର ଅଭିଯୋଗ ଆଣିଥିଲେ ।

ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶୁକ୍ରବାର ମ୍ୟାଚ୍‌ ରେଫରିଙ୍କୁ ସଫେଇ ଦିଆଯାଇ କୁହାଯାଇଥିଲା ଯେ ବଲ୍‌ ଟାମ୍ପରିଂ ନୁହେଁ, ଜାଦେଜା ତାଙ୍କ ଆଘାତ ଆଙ୍ଗୁଠିରେ କଷ୍ଟ ଲାଘବ (ପେନ୍‌ ରିଲିଫ୍‌) କ୍ରିମ୍‌ ବୋଳୁଥିଲେ । ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ୍‌ ମ୍ୟାଚ୍‌ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ କହି ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତ କରିଥିଲେ ।

Share this story