T-20 World Cup: ବାଂଲଦେଶକୁ ହରାଇ ସେମିଫାଇନାଲରେ ପାକିସ୍ତାନ, ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ପକ୍କା...

PAK vs BAN

ଓଡ଼ିଆ ଗସିପ ବ୍ୟୁରୋ: ୧୨୮ ରନ୍‌ ବିଜୟ ଲକ୍ଷ୍ୟକୁ ପାର କରି ସେମିଫାଇନାଲରେ ପାକିସ୍ତାନ । ବାଂଲାଦେଶ ବିପକ୍ଷରେ ଚାଲିଥିବା ସଂଘଷପୂର୍ଣ୍ଣ ମ୍ୟାଚ୍‌ରେ ବାଜିମାରିନେଲା ପାକିସ୍ତାନ । ବାଂଲାଦେଶ ଟିମ୍‌କୁ ୫ ଓ୍ୱିକେଟ୍‌ରେ ପରାସ୍ତ କରିଛି ପାକିସ୍ତାନ । ଏହାସହିତ ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଛି ବାଂଲାଦେଶ ଟିମ୍‌ ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । କିନ୍ତୁ ଦଳକୁ ଲାଗିଥିଲା ପ୍ରାଥମିକ ଝଟ୍‌କା । ଓପନର ଲିଟନ୍‌ ଦାସ ୧୦ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଲଗାତର ଅନ୍ତରାଳରେ ଓ୍ୱିକେଟ୍‌ ପଡିଚାଲିଥିଲା ।

କିନ୍ତୁ ଗୋଟିଏ ପଟେ କ୍ରିଜ୍‌ରେ ଜମି ରହିଥିଲେ ସାଣ୍ଟୋ । ସେ ୪୮ ବଲ୍‌ରେ ୫୪ ରନ୍‌ କରିଥିଲେ । ଯାହାକି ଦଳ ପକ୍ଷରୁ ସର୍ବାଧିକ ଥିଲା । ଏହାପଛକୁ ଅଫିଫ୍‌ ହୁସେନ୍‌ ୨୪ ରନ୍‌, ସୌମ୍ୟ ସରକାର ୨୦ରନ୍‌ କରିଥିଲେ । ଆଉ କୌଣସି ବ୍ୟାଟସମ୍ୟାନ୍‌ ୨ ଅଙ୍କ ଛୁଇଁପାରିନଥିଲେ ।

ଦଳ ମୋଟ ୨୦ ଓଭରରେ ୮ ଓ୍ୱିକେଟ୍‌ ହରାଇ ୧୨୭ ରନ୍‌ କରିଥିଲା । ପାକିସ୍ତାନ ପକ୍ଷରୁ ସାହିନ୍‌ ଆଫ୍ରିଦି ୪ ଓ୍ୱିକେଟ୍‌ ନେଇଥିବା ବେଳେ ସାଦାଦ ଖାନ୍‌ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ବାକି ହରିଷ ରାଉଫ୍‌ ଓ ଇଫିକାର୍‌ ଅହମ୍ମଦ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।

ସେପଟେ ୧୨୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ପାକିସ୍ତାନୀ ବ୍ୟାଟର୍‌ । ଓପନର ରିଜଓ୍ୱାନ୍‌ ଓ ବାବର ଆଜମ୍‌ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ପ୍ରଥମ ୧୦ ଓଭରରେ ୫୭ ରନ୍‌ କରିଥିଲେ ଉଭୟ ବ୍ୟାଟର୍‌ । ଏହାପରେ ହିଁ ଲାଗିଥିଲା ପାକିସ୍ତାନକୁ ପ୍ରଥମ ଝଟ୍‌କା । ଅଧିନାୟକ ବାବର ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହାପରେ କିଛି ରନ୍‌ ବ୍ୟବଧାନ୍‌ରେ ରିଜଓ୍ୱାନ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । ପାକିସ୍ତାନ ଟିମ୍ ୧୮ ଓଭର ଗୋଟିଏ ବଲ୍‌ରେ ବାଂଲାଦେଶ ଦେଇଥିବା ଟାର୍ଗେଟକୁ ହାସଲ୍‌ କରିନେଇଛି । ଏଥିରେ ମହମ୍ମଦ ହାରିସ୍‌ଙ୍କ ୩୧ ରନ୍‌, ସାନ୍‌ ମସୁଦ୍‌ଙ୍କ ୨୪ ରନ୍‌, ନଓ୍ୱାଜ୍‌ଙ୍କ ୪ରନ୍‌ ରହିଛି । ପାକିସ୍ତାନ ଟିମ୍‌ର ଏହି ବିଜୟ ଯୋଗୁଁ ସେମିଫାଇନାଲ୍‌ ରାସ୍ତା ଏବେ ସଫା ହୋଇଯାଇଛି । ଟିମ୍‌ ଏବେ ସେମିଫାଇନାଲରେ ପ୍ରବେଶ କରିଛି ।

Share this story