ଭଉଣୀଙ୍କ ମୃତ୍ୟୁ ଖବର ପାଇ ଆଇପିଏଲ ବାୟୋବବଲରୁ ବାହାରିଲେ ଆରସିବିର ଦ୍ରୁତ ବୋଲର ହର୍ଷଲ

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିକେଟର ହର୍ଷଲ ପଟେଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଆଇପିଏଲ ଖେଳୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ଭଉଣୀଙ୍କ ଦେହାନ୍ତ ହେବା ପରେ ସେ ଆଇପିଏଲକୁ ଅଧାରୁ ଛାଡ଼ି ଘରକୁ ଫେରିଥିବା ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଖେଳ ପରେ ପରିବାରରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ହର୍ଷଲ। ଏହା ପରେ ସେ ଆଇପିଏଲ ବାୟୋବବଲରୁ ବାହାରିବା ସହ ନିଜ ଘରକୁ ଫେରିଛନ୍ତି। ତେବେ ସେ କିଛି ଦିନ ପାଇଁ ଘରକୁ ଯାଇଥିବା ବେଳେ ସେଠାରୁ ଆସିବା ପରେ ପୁନର୍ବାର ଦଳରେ ଯୋଗଦେବେ ବୋଲି କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ହର୍ଷଲଙ୍କ ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଚିକିତ୍ସା ଚାଲିଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ହର୍ଷଲ ତୁରନ୍ତ ଘରକୁ ଫେରିଛନ୍ତି।
The sister of Harshal Patel passed away, he has gone back home from Pune, stay strong Harshal and the whole family. (Source - Abhishek Tripathi from Dainik Jagran)
— Johns. (@CricCrazyJohns) April 10, 2022
ଉଲ୍ଲେଖଯୋଗ୍ୟ, ଶନିବାର ଆରସିବି ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳିଥିଲା। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୭ତମ ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା। ଚଳିତ ଆଇପିଏଲରେ ଏହା ଥିଲା ମୁମ୍ବାଇର ୪ର୍ଥ ପରାଜୟ ।
ଏହି ମ୍ୟାଚରେ ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୫୨ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ବାଙ୍ଗାଲୋର ପକ୍ଷରୁ ଅନୁଜ ରାଓ୍ବତ ୬୬ ରନ ଓ ବିରାଟ କୋହଲି ୪୮ ରନ କରିଥିଲେ।
ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଭଲ ଆରମ୍ଭ କରିଥିଲେ ବି ପରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ୨୬ ରନ ଲେଖାଏଁ କରିଥିଲେ ।
ମାତ୍ର ଡେଓ୍ବାଲଡ ବ୍ରେଓ୍ବିସ, ତିଲକ ବର୍ମା ଓ ପୋଲାର୍ଡ ଓ ରମନଦୀପ ସିଂ ଶୀଘ୍ର ଆଉଟ୍ ହେବାରୁ ଦଳ ସଂକଟରେ ପଡ଼ିଥିଲା । ତେବେ ଅନ୍ୟପଟେ ଥିବା ସୂର୍ୟ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ୬୮ ରନ କରିଥିଲେ ।