ମ୍ୟାଚ କିଛି ଏପରି ଥିଲା: ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଇଂଲଣ୍ଡ ଜିତିଲା ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨, ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକ ଦେଲା ବିଜୟୀ

England beats Pakistan in T20 World Cup 2022 final

ଓଡ଼ିଆ ଗସିପ ବ୍ୟୁରୋ: ଫାଇନାଲ୍‌ ମ୍ୟାଚ୍‌ରେ ବେନ ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ । ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଇଂଲଣ୍ଡକୁ କରାଇଲେ ଚାମ୍ପିଅନ । ଦ୍ଵିତୀୟ ଥର କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ର ବିଶ୍ଵ କପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି ବଟଲର ବାହିନୀ ।

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ବୋଲର ଏବଂ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ଦମରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି ଇଂଲଣ୍ଡ। ପାକିସ୍ତାନର ଦ୍ଵିତୀୟ ଥର ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି ।

୨୦୧୦ ଟି-୨୦ ବିଶ୍ଵ କପ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା । ଇଂଲଣ୍ଡ ତୃତୀୟ ଥର ଫାଇନାଲ୍‌ ଖେଳିଥିବା ବେଳେ ଟି-୨୦ ବିଶ୍ଵ କପ୍ ୨୦୨୨କୁ ମିଶାଇ ଦୁଇ ଥର ଚାମ୍ପିଅନ ହୋଇଛି । ୨୦୧୬ରେ ଇଂଲଣ୍ଡ ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜ ନିକଟରୁ ହାରିଥିଲା ।  ଅନ୍ୟପଟେ ୨୦୦୯ ଟି-୨୦ ବିଶ୍ଵ କପ୍ ବିଜେତା ଦଳ ପାକିସ୍ତାନ ତୃତୀୟ ଥର ଫାଇନାଲ୍‌କୁ ପ୍ରବେଶ କରିଥିଲେ ହେଁ ଦୁଇ ଥର ନିରାଶ ହେବାକୁ ପଡିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା । ଦଳ ପକ୍ଷରୁ ମାସୁଦ ସର୍ବାଧିକ ୩୮ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୨ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ସାମ କରନ ମାତ୍ର ୧୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ । ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ବେନ ଷ୍ଟୋକ୍ସଙ୍କ ଅପରାଜିତ  ୫୨ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । ଅଧିନାୟକ ଜୋସ୍ ବଟଲର ୨୬ ରନ କରିଥିଲେ ।

୧୩୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା । ଆଲେକ୍ସ  ହେଲ୍ସ(୧) ବିଦାୟ ନେଇଥିଲେ। ପାକିସ୍ତାନ ବୋଲର ଇଂଲଣ୍ଡର ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ । ୩୨ ରନ ସ୍କୋରରେ ଇଂଲଣ୍ଡ ଫିଲ ସଲ୍ଟ(୧୦)ଙ୍କ ରୂପେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା ।

ଭଲ ବ୍ୟାଟିଂ କରୁଥିବା ଅଧିନାୟକ ବଟଲର ଆଉଟ୍ ହେବା ଇଂଲଣ୍ଡକୁ ବଡ ଝଟକା ଲାଗିଥିଲା । ବଟଲର ୧୭ ବଲ୍‌ରୁ ୩ ଚୌକା ଏବଂ ୧ ଛକା ସହ ୨୬ ରନ କରି ପାଭିଲିୟନ ଫେରିଥିଲେ । ବେନ ଷ୍ଟୋକ୍ସ ଏବଂ ହାରି ବ୍ରୁକ କିଛି ସମୟ ଇନିଂସ ସମ୍ଭାଳିଥିଲେ । ତେବେ ବ୍ରୁକ ବ୍ୟକ୍ତିଗତ ୨୦ ରନରେ ଆଉଟ୍ ହୋଇଥିଲେ ।

ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି । ୧୯ ଓଭରରେ ଇଂଲଣ୍ଡ ୫ ଓ୍ଵିକେଟ୍ ହରାଇ ୧୩୮ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଷ୍ଟୋକ୍ସ ୪୯ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହ ୫୨ ରନର ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ପାକିସ୍ତାନ ପକ୍ଷରୁ ହାରିସ ରାଉଫ ୨୩ ରନରେ ୨ ସଫଳତା ପାଇଥିବା ବେଳେ ସାହିନ ଶାହ ଆଫ୍ରିଦି, ଶାଦାବ ଖାନ ଏବଂ ମହମ୍ମଦ ଓ୍ଵାସିମ ଜୁନିୟର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।

Share this story