ନାକ ନ କଟିଲେ ହେଲା! ବିଜୟୀ ହୋଇ ସମ୍ମାନ ରଖ ନହେଲେ ବେଇଜତ ହେବ

T20

ଓଡ଼ିଆ ଗସିପ ବ୍ୟୁରୋ: ରାଜକୋଟରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ହେବବ। ପାଞ୍ଚ ଟିକିଆ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଥିବାରୁ ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ‘କର ବା ମର’ ସ୍ଥିତିରେ ରହିବ। କାରଣ ଏହି ମ୍ୟା‌ଚ୍‌ରେ ପରାଜିତ ହେଲେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ତା’ ନାଁରେ କରିନେବ। ଅନ୍ୟପକ୍ଷରେ ଭାରତ ବିଜୟୀ ହେଲେ ଶୃଙ୍ଖଳାକୁ ୨-୨ ସ୍ତରକୁ ଆଣି ପାରିବ।

ଦିଲ୍ଲୀ ଓ କଟକରେ ପରାଜିତ ହେବା ପରେ ବିଶାଖାପାଟଣାରେ ବିଜୟୀ ହୋଇ ଭାରତ ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାକୁ ଜୀବନ୍ତ ରଖିପାରିଥିଲା। ତିନିଟି ଯାକ ମ୍ୟାଚ୍‌ରେ କିନ୍ତୁ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବ ଶୈଳୀ ତଥା ବ୍ୟକ୍ତିଗତ ଫର୍ମ ଆଶାନୁରୂପ ନଥିଲା। ଅଧିନାୟକ ଭାବେ ସଠିକ୍ ଭାବେ ସେ ଗୋଟିଚାଳନା କରିପାରିନଥିଲେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଥିଲେ।

ସେହିଭଳି ବ୍ୟାଟିଂରେ ଅନାବଶ୍ୟକ ବୈଷୟିକ ତ୍ରୁଟି କରି ନିଜ ୱିକେଟ୍ ଫିଙ୍ଗି ଦେଉଥିବାର ଅପଯଶ ବି ତାଙ୍କ ମୁଣ୍ଡରେ ଲାଗିଥିଲା। ଏଣୁ ଶୁକ୍ରବାର ଭାରତୀୟ କ୍ରିକେଟ୍ ଦଳ ସହ ପନ୍ତ ବ୍ୟକ୍ତିଗତ ଭାବେ ଯୁଗଳ ପରୀକ୍ଷାରେ ରହିବେ। ତାଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ।

ଆୟୋଜକ ସହର ରାଜକୋଟରେ ପୂର୍ବରୁ ତିନିଟି ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଗୋଟିଏ ମ୍ୟାଚ୍ ଜିତିଛି। ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଏଠାରେ ସର୍ବୋଚ୍ଚ ଦଳଗତ ସ୍କୋର ୨୦୨/୪ (ଭାରତ) ଥିଲା ବେଳେ ସର୍ବନିମ୍ନ ଦଳଗତ ସ୍କୋର ରହିଛି ୧୯୬/୨ (ନ୍ୟୁଜିଲାଣ୍ଡ)। ଏଣୁ ଏଠାରେ ଶୁକ୍ରବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ସମ୍ଭାବ୍ୟ ଭାରତ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ ରକ୍ଷକ, ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେସ ଖାନ୍, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’କକ୍/ରେଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା (ଅଧିନାୟକ), ରସେ ଭାନଡର ଦୁସେନ, ଡେଭିଡ୍ ମିଲର, ହେନରିକ୍ କ୍ଲାସେଁ, ଡ୍ବାନ୍ ପ୍ରିଟୋରିଅସ୍, ୱେନ୍ ପାର୍ନଲ, କାଗିସୋ ରବାଦା, କେଶବ ମହାରାଜ, ଅନରିକ ନର୍ଖିୟା, ତବ୍ରାଇସ୍ ସାମସୀ।

Share this story