ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତା ଉଦ୍ଯାପିତ, ପ୍ରଥମ ସ୍ଥାନ ହାସଲ କଲେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳ


ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଦଶଦିନ ଧରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଶେଷ ଦିନର ଖେଳ ଶେଷ ମ୍ୟାଚ୍ ପରେ ସର୍ବାଧିକ ପୟଣ୍ଟ ପାଇ ପାନପୋଷ କ୍ରୀଡ଼ା ଛାତ୍ରାବାସ ଦଳ ପ୍ରଥମ ସ୍ଥାନ ହାସଲ କରିଥିଲା ।
ଖେଳର ଶେଷ ଦିନରେ ପ୍ରଥମ ମ୍ୟାଚ୍ ସେଲ୍ ହକି ଏକାଡେମୀ ଓ ଜାତୀୟ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେଲ୍ ହକି ଏକାଡେମୀ ଦଳ ୪-୩ ଗୋଲ୍ରେ ବିଜୟୀ ହୋଇଥିଲା । ସେହିଭଳି ଉଦ୍ଯାପନୀ ଦିବସର ଶେଷ ଖେଳ ଭୋପାଳ ହକି ଏକାଡେମୀ ଓ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ହୋଇଥିଲା । ଏଥିରେ ଭୋପାଳ ଦଳ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା । ଦୁଇଟିଯାକ ଖେଳକୁ ସୁମନ ଚୌଧୁରୀ, ଆକାଶ ଏକ୍କା, ବିରାଜ ଟପ୍ନୋ, ଆକାଶ କୁଜୁର ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ ।
ଉଦ୍ଯାପନୀ ଦିବସରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ଆନ୍ତର୍ଜାତୀୟ ହକି ପ୍ରଶିକ୍ଷକ ଏମ କେ କୌଶିକ ଓ ନରେନ୍ଦ୍ର ସିଂହ ସାଇନି ଯୋଗ ଦେଇଥିଲେ । ଅତିଥିମାନେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ହଲି ଲିଗ୍ ମାଧ୍ୟମରେ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଏକ ଉତ୍ତମ ଖେଳୁଆଡ଼ ମନୋଭାବ ସୃଷ୍ଟିରେ ସହାୟକ ହେବ ବୋଲି କହିଥିଲେ ।
ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜାତୀୟ ମହିଳା ହକି ଅଧିନାୟିକା ସୁଭଦ୍ରା ପ୍ରଧାନ, ପୂର୍ବତନ ଆନ୍ତର୍ଜାତୀୟ ମହିଳା ହକି ଖେଳାଳି ସରିତା ଲାକ୍ରା, ରୋଜାଲିନ୍ ଡୁଙ୍ଗ୍ଡୁଙ୍ଗ୍, ପୂର୍ବତନ ଜାତୀୟ ମହିଳା ହକି ଖେଳାଳି ନିଲ୍ ଅପରାଜିତା ମାଝି, ପୂର୍ବତନ ପୁରୁଷ ଆନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ୍ ଭିକ୍ଟର ମିଞ୍ଜ ପ୍ରମୁଖ ଯୋଗ ଦେଇଥିଲେ । ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ପୂର୍ବତନ ଖେଳାଳିମାନଙ୍କୁ ଡାକି ସମ୍ମ୍ନାନୀତ କରାଯିବା ହକି ଖେଳ ଓ ଖେଳାଳିମାନଙ୍କ ପାଇଁ ଏକ ଭଲ ପରମ୍ପରା ବୋଲି ଏହି ଖେଳାଳିମାନେ କହିଥିଲେ।