ମୋଦି-2.0 କ୍ୟାବିନେଟ୍ ରେ କାହିଁକି ବାଦ୍ ପଡ଼ିଲେ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ବଳି ପଡ଼ିବା ପଛରେ ଅଲଗା କିଛି କଥା ମଧ୍ୟ ଚର୍ଚ୍ଚା ହେଉଛି। କରୋନା ପ୍ରଥମ ଲହର ସମୟରେ ତାଙ୍କର ଭୂମିକା ଓ ବୟାନକୁ ନେଇ ସେ ବିବାଦୀୟ ହୋଇ ପଡ଼ିଥିଲେ। ଯେଉଁ ସମୟରେ ଲୋକେ ତାଙ୍କ ସହଯୋଗ ଆବଶ୍ୟକ କରୁଥିଲେ, ଠିକ ସେହି ସମୟରେ ଦିଲ୍ଲୀରେ ରହିଲେ ଶ୍ରୀ ଷଡ଼ଙ୍ଗୀ। ଏମିତିକି କେନ୍ଦ୍ରମନ୍ତ୍ରୀ ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ କଟାକ୍ଷ କରିବା ସହ ସହରର କାନ୍ଥବାଡ଼ରେ ପୋଷ୍ଟର ମାରିବାକୁ ପଛେଇନଥିଲେ।
Earlier in the day, PM @narendramodi sharing a few moments with his cabinet colleagues pic.twitter.com/nDI1ahrVsf
— Payal Mehta/પાયલ મેહતા/ पायल मेहता/ পাযেল মেহতা (@payalmehta100) July 7, 2021
ଏମିତି ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କର ଏକ ବୟାନ ଆସିଥିଲା। ‘ଦେଶର ମନ୍ତ୍ରୀ ଭାବେ ଦେଶ କଥା ଆଗ ବୁଝିବି, ନା ବାଲେଶ୍ବର କଥା ବୋଲି କହିଥିଲେ।’ ଏହାଛଡ଼ା ମତ୍ସ୍ୟ ଓ ପଶୁ ସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ଗୋସମ୍ପଦ ତଥା ଏମ୍ଏସ୍ଏମ୍ଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ପାଇଥିଲେ ହେଁ ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ସେମିତି ଉତ୍ସାହଜନକ ନଥିଲା।
୨ ବର୍ଷ କାଳ କେନ୍ଦ୍ରମନ୍ତ୍ରୀ ରହିବା ଭିତରେ ମତ୍ସ୍ୟ ପ୍ରକଳ୍ପ ଭଳି ହାତଗଣତି ୨/୩ଟି ପ୍ରକଳ୍ପକୁ ବାଦ୍ ଦେଲେ ନିଜ ନିର୍ବାଚନମଣ୍ଡଳୀକୁ କିଛି ଆଖିଦୃଶିଆ କାମ ଆଣିପାରିନଥିଲେ। ଏସବୁ ଭିତରେ ୨୦୨୦ ବାଲେଶ୍ବର ସଦର ଆସନ ଉପନିର୍ବାଚନ ତାଙ୍କ ନେତୃତ୍ବ ପରାକାଷ୍ଠା ଉପରେ ଆଙ୍କି ଦେଇଥିଲା ପ୍ରଶ୍ନଚିହ୍ନ। ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ସଂସଦୀୟ କ୍ଷେତ୍ର ସହ ସଦର ଓ ନୀଳଗିରି ଆସନକୁ ଶାସକ ବିଜେଡି ହାତରୁ ଛଡ଼ାଇ ଆଣିଥିଲା ବିଜେପି।
ପରବର୍ତ୍ତୀ ସମୟରେ ବାଲେଶ୍ବର ସଦର ବିଧାୟକଙ୍କ ମୃତ୍ୟୁ ପରେ ୨୦୨୦ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଷଡ଼ଙ୍ଗୀଙ୍କ ପାଇଁ ସମ୍ମାନ ଓ ପତିଆରାର ପ୍ରଶ୍ନ ହୋଇଥିଲେ ମଧ୍ୟ ବିଜେଡି ଏହି ଆସନକୁ ଅକ୍ତିଆର କରିନେଇଥିଲା। ଯାହାକୁ ହଜମ୍ କରି ପାରିନଥିଲେ ବିଜେପିର ଶୀର୍ଷ ନେତୃବୃନ୍ଦ। ରାଜ୍ୟ ରାଜନୀତିରେ ଶ୍ରୀ ଷଡ଼ଙ୍ଗୀଙ୍କର ଗୌଣ ପ୍ରଭାବ, ସର୍ବୋପରି କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କ ରିପୋର୍ଟ କାର୍ଡକୁ ନେଇ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଖୁସି ନଥିଲେ ବୋଲି ଗୋଟିଏ ମହଲରେ ଚର୍ଚ୍ଚା ହେଉଛି।
ପ୍ରକାଶଥାଉକି, ବାଲେଶ୍ବର ଜିଲ୍ଲା ନୀଳଗିରି ଆସନରୁ ୨ ଥର ବିଧାୟକ ନିର୍ବାଚିତ ହେବା ପରେ ୨୦୧୪ରେ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଶ୍ରୀ ଷଡ଼ଙ୍ଗୀ। ୨୦୧୯ରେ ପୁଣି ଥରେ ବାଲେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡିର ତତ୍କାଳୀନ ସାଂସଦ ତଥା ହେଭିୱେଟ୍ ନେତା ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ। ଆରଏସ୍ଏସ୍ ବିଚାରଧାରା, ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତଥା ସମର୍ପିତ ଜୀବନଶୈଳୀ ଯୋଗୁଁ ମୋଦୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। ସଂସଦ ଭିତରେ ସଂସ୍କୃତ, ଇଂରାଜୀ ସମେତ ଏକାଧିକ ଭାଷାରେ ତାଙ୍କର ପାଣ୍ଡିତ୍ୟ ତଥା ଓଜସ୍ବିନୀ ଭାଷଣ ଯୋଗୁଁ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅନେକ ପ୍ରଶଂସା ସାଉଁଟିଥିଲେ ଶ୍ରୀ ଷଡ଼ଙ୍ଗୀ।