ମୋହନ ଚରଣ ମାଝୀ ହେଲେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ; ଆସନ୍ତୁ ଜାଣିବା କିଏ ଏହି ମୋହନ ମାଝୀ ଏବଂ କାହିଁକି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା

Who is this mohan majhi announced as chief minister of odisha

ଓଡ଼ିଆ ଗସିପ ବ୍ୟୁରୋ : ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମରେ ମୋହର ବାଜିଛି । ସେ କାହିଁକି ଓଡିଶା ମାଟିରେ ବିଜେପି ଦଳରୁ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ କିଏ ଏହି ମୋହନ । କ’ଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର୍ । ଆସନ୍ତୁ ପୂରା ଖବର ଜାଣିବା ।

ମୋହନ ଚରଣ ମାଝୀ ୧୯୭୨ ମସିହା ଜାନୁଆରୀ ମାସ ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁନାରାମ ମାଝୀ । ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା ମରାଣ୍ଡି ।

ମୋହନ ମାଝୀଙ୍କ ବିଷୟରେ ପତ୍ନୀ ପ୍ରିୟଙ୍କା ବଡ଼ ସୂଚନା ଦେଇଛନ୍ତି । ସେ ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରିଥିଲେ । ଶିଶୁ ମନ୍ଦିର ଗୁରୁଜୀରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । ପରେ ସରପଞ୍ଚ ପାଇଁ ଲଢିଥିଲେ ଆଉ ବିଜୟୀ ମଧ୍ୟ ହୋଇଥିଲେ । ଏଇଠି ପଡିଥିଲା ତାଙ୍କ ରାଜନୀତିର ମୂଳଦୁଆ ।

୨୦୦୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବାଯାଏଁ କାର୍ଯ୍ୟ କରିଥିଲେ ।

୨୦୦୪ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୫ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସେହିପରି ୨୦୨୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ବିଜେପି ପ୍ରାର୍ଥୀ ଭାବରେ ପୁନର୍ବାର କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଦମଦାର ବିଜୟ ଲାଭ କରିଥିଲେ। ଏହି ନିର୍ବାଚନରେ ମୋହନ ୮୭୮୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ୧୧,୫୭୭ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ଦୀର୍ଘ ଦିନର ସଫଳ ରାଜନୈତିକ କ୍ୟାରିୟର୍ ଆଉ ଦଳ ପ୍ରତି ସମର୍ପିତ ଭାବକୁ ଦେଖି ତାଙ୍କୁ ଦଳର ମୁଖିଆ ଭାବେ ଚୟନ କରାଯାଇଥିବା ଅନୁମାନ କରାଯାଏ । ଆଶା କରାଯାଏ ଆଗାମୀ ୫ ବର୍ଷ ଭିତରେ ସେ ଓଡ଼ିଶାବାସୀଙ୍କ ପାଇଁ କିଛି ନୂଆ କରି ଦେଖେଇବେ।

Share this story