ମନ୍ତ୍ରୀ ପଦରୁ ବିଦା ହେବେକି ବିକ୍ରମ! ତୃତୀୟ ମହଲା ର ଆସ୍ଥା ହରାଇଲେଣି ଆରୁଖ, ଏବେ କିଏ ହେବ ସାହା?

Bikram arukh

ଓଡ଼ିଆ ଗସିପ ବ୍ୟୁରୋ: ବର୍ତ୍ତମାନର ସରକାରରେ କିଛି ବିଭାଗରେ ମନ୍ତ୍ରୀଙ୍କର ସେପରି କୌଣସି ଦବ୍‌ଦବା ନାହିଁ। କିନ୍ତୁ ଜଙ୍ଗଲ ଓ ପରିବେଶ ବିଭାଗ କ୍ଷେତ୍ରରେ ଚିତ୍ର ଭିନ୍ନ। କାରଣ ମନ୍ତ୍ରୀ ଶ୍ରୀ ଆରୁଖ ନବୀନ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଭାବେ ଜଣାଶୁଣା। ୨୦୦୯ ମସିହାରୁ ସେ ଲଗାତର ଭାବେ ମନ୍ତ୍ରୀ ରହି ଆସିଛନ୍ତି। ୨୦୧୪ ମସିହାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ସରକାରଙ୍କ ଗୁରୁ ଦାୟିତ୍ବ ସମ୍ଭାଳୁଛନ୍ତି। ୨୦୧୪ ମସିହାରେ ତିନି ବର୍ଷ ପାଇଁ ସେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିଲା ବେଳେ ୨୦୧୯ରେ ପୁଣି ସେହି ବିଭାଗ ପାଇଛନ୍ତି। ତେଣୁ ଏହି ବିଭାଗ ଉପରେ ତାଙ୍କର ଏତେ ଦଖଲ ଯେ ବିଭାଗର ପ୍ରତିଟି କାର୍ଯ୍ୟ ଉଭୟ ମନ୍ତ୍ରୀ ଓ ତାଙ୍କ ପିଏସ୍‌ଙ୍କ ଜାଣତରେ ହିଁ ହୁଏ। ଏପରି ଜଣେ କ୍ଷମତାଶାଳୀ ମନ୍ତ୍ରୀଙ୍କ ପିଏସ୍‌ଙ୍କ ତରବରିଆ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର୍ ଅଭୟ ପାଠକ ଜଙ୍ଗଲ ଓ ପରିବେଶ ବିଭାଗରେ ହିଁ ଦୁର୍ନୀତି କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଛି ଓ ସେ ଦିଗରେ ତଦନ୍ତ ଚାଲିଛି। ପାଠକ ମାମଲା ଏକ ବହୁଚର୍ଚ୍ଚିତ ମାମଲା ହୋଇଥିଲେ ବି ଏଥିରେ ସେହି ବିଭାଗର ମନ୍ତ୍ରୀ ଭାବେ ଶ୍ରୀ ଆରୁଖ କିମ୍ବା ତାଙ୍କ କାର୍ଯ୍ୟାଳୟକୁ ଟଣାଯାଇ ନ ଥିଲା। ଏହି ବିବାଦ ଠାରୁ ସେ ନିରାପଦ ଦୂରତାରେ ଥିଲେ। କିନ୍ତୁ ପିଏସ୍‌ଙ୍କ ବଦଳି ମନ୍ତ୍ରୀଙ୍କୁ ବିବାଦ ଘେରକୁ ଟାଣିଛି। ଗୋଟିଏ ଦୁଇଟି ଘଟଣା ନୁହେଁ, ଲଗାତର ଭାବେ ତାଙ୍କ କାର୍ଯ୍ୟାଳୟର କିଛି କାରବାର ତୃତୀୟ ମହଲାକୁ ଅସନ୍ତୁଷ୍ଟ କରିଛି। ଫଳରେ ବହୁ ବର୍ଷ ଧରି ନବୀନଙ୍କ ନିକଟତର ଥିବା ଶ୍ରୀ ଆରୁଖ ଧୀରେ ଧୀରେ ତୃତୀୟ ମହଲା ଠାରୁ ଦୂରକୁ ଚାଲିଯାଇଥିବା ରାଜନୈତିକ ମହଲରେ ଅନୁମାନ କରାଯାଉଛି। ତାଙ୍କ ଅଜାଣତରେ ପିଏସ୍‌ଙ୍କ ବଦଳି ତୃତୀୟ ମହଲାର କଠୋର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ ଆଭାସ ଦେଉଛି।

ଶ୍ରୀ ବେହେରାଙ୍କ ବଦଳି ପଛରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ସମ୍ପର୍କ ରହିଛି ବୋଲି କିଛି ମହଲରେ ଆଲୋଚନା ହେଉଛି। କାରଣ ମୃତ ସୌମ୍ୟରଞ୍ଜନଙ୍କ ବାପା ଜଙ୍ଗଲ ମନ୍ତ୍ରୀଙ୍କୁ ଏହି ମାମଲାକୁ ଟାଣିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ କି ଭୂମିକା ରହିଛି ସେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ମନ୍ତ୍ରୀଙ୍ଗ ଇଙ୍ଗିତରେ ତଦନ୍ତର ଦିଗ ବଦଳାଯାଉଥିବା ସେ ଆରୋପ ଲଗାଇଛନ୍ତି। ପିଏସ୍‌ଙ୍କ ବଦଳି ପରେ ସମ୍ପୂର୍ଣ୍ଣ ମାମଲାରେ ଏବେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସନ୍ଦେହ ଘେରକୁ ଆସିଛି। ଏହି ମାମଲାରେ ପାରଳାଖେମୁଣ୍ଡି ଡିଏଫ୍‌ଓଙ୍କ ବଦଳି ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ଏହାକୁ ଶକ୍ତ ବିରୋଧ କରୁଥିବା କୁହାଯାଉଛି।

ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍‌ଙ୍କ ବଦଳି ପରେ ସମ୍ପୂର୍ଣ୍ଣ ମନ୍ତ୍ରୀ କରିଡର୍‌ ହଲ୍‌ଚଲ୍‌ ହୋଇଯାଇଛି। ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ‌ହେଉଥିବାରୁ ମନ୍ତ୍ରୀମାନେ ନିଜ ପଦ ରଖିବାକୁ ଲବି କରୁଥିଲେ। ଏବେ ନି‌ଜ ପଦ ସମ୍ଭାଳିବେ ନା ପିଏସ୍‌ଙ୍କୁ ସୁରକ୍ଷା ଦେବେ, ତାହା ସେମାନଙ୍କ ଚିନ୍ତାର କାରଣ ପାଲଟିଲାଣି। ମିଳିଥିବା ସୂଚନା ଅନୁଯାୟୀ ଆହୁରି କିଛି ପିଏସ୍‌ ତୃତୀୟ ମହଲାର ସ୍କାନର୍‌ରେ ଅଛନ୍ତି। କିଛି ବିଭାଗ ପକ୍ଷରୁ ଆସୁଥିବା ପ୍ରସ୍ତାବକୁ ନିର୍ଦ୍ଦିଷ୍ଟ ଦୁଇ ତିନି ଜଣ ପିଏସ୍‌ ମନ୍ତ୍ରୀଙ୍କୁ ପ୍ରଭାବିତ କରି ତାହାକୁ ଭିନ୍ନ ବାଟରେ ନେଇଯାଉଥିବା ଅଭିଯୋଗ ତୃତୀୟ ମହଲାରେ ପହଞ୍ଚିଛି। ତୃତୀୟ ମହଲାର ଗୁଡ୍‌ ବୁକ୍‌ରେ ଥିବା କିଛି ସଚିବ ଏମିତି ଅଭିଯୋଗ ଆଣିଛନ୍ତି।

ଏଥି ପାଇଁ ତିନି ଜଣ ପିଏସ୍‌ଙ୍କ ଉପରେ ଏବେ ଗୁଇନ୍ଦା ନଜର ରହିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପିଏସ୍‌ ଥିଲା ବେଳେ ଜଣେ ରାଷ୍ଟ୍ର ମନ୍ତ୍ରୀଙ୍କ ପିଏସ୍‌ ଅଛନ୍ତି। ସରକାରଙ୍କ ପୂର୍ବ ପାଳିରେ ମଧ୍ୟ ବିଭିନ୍ନ ମନ୍ତ୍ରୀଙ୍କ ପାଖରେ ପିଏସ୍‌ ଭାବେ କାର୍ଯ୍ୟ କରିବାର ସେମାନଙ୍କର ଅଭିଜ୍ଞତା ରହିଛି। ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସବୁ ପିଏସ୍‌ଙ୍କ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବାକୁ ସାଧାରଣତଃ ଓଏଏସ୍‌ ଅଧିକାରୀ ସୁରକ୍ଷିତ ଭାବନ୍ତି। କିନ୍ତୁ ବର୍ତ୍ତମାନର କାର୍ଯ୍ୟାନୁଷ୍ଠାନ ସେମାନଙ୍କୁ ବିବ୍ରତ କରିଦେଇଛି।

Share this story