ମହାରାଷ୍ଟ୍ରରେ 'ଚପଲ ମାଡ଼' ରାଜନୀତି; ଗିରଫ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ମୁହଁ ଖୋଲିଲେ ଯୋଗୀ ଅଦିତ୍ୟନାଥ

Yogi udhhav

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ନାସକ ପୋଲିସ ଗତକାଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ରତ୍ନଗିରି ଜିଲ୍ଲାରୁ ଗିରଫ କରିଛି । ଜନ ଆଶୀର୍ବାଦ ଯାତ୍ରା କରୁଥିବା ବେଳେ ତାଙ୍କୁ ପୋଲିସ ହେପାଜତକୁ ନେବା ସହିତ ତାଙ୍କୁ ସଙ୍ଗମେଶ୍ବର ଥାନାକୁ ନିଆଯାଇଥିଲା । ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ନାରାୟଣ ରାଣେଙ୍କ ଯେଉଁ ମନ୍ତବ୍ୟକୁ ନେଇ ମାମଲା ରୁଜୁ କରିଥି​‌ଲେ ଏବଂ କୋର୍ଟଙ୍କ ଆଶ୍ରୟ ନେଇ ତାଙ୍କୁ ଗିରଫ କରାଇଛନ୍ତି ଏବେ ସେହି ମାମଲାରେ ସେ ନିଜେ ଛନ୍ଦି ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଯେଉଁ ମନ୍ତବ୍ୟକୁ ନେଇ ତାଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି, ଠିକ ସେହିଭଳି ବିବାଦୀୟ ମନ୍ତବ୍ୟ ଉଦ୍ଧବ ଠାକରେ ଏକ ରାଲି ବେଳେ ଖୋଲାଖୋଲି ଭାବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କହିଥିଲେ । ରାଲିବେଳେ ଯୋଗୀ ଆଦିତ୍ୟନାଥଙ୍କୁ ଚପଲରେ ମାରିବାକୁ କହିଥିଲେ ଉଦ୍ଧବ ଠାକରେ । ଏହି ଘଟଣା ୨୦୧୮ ମସିହା ମେ ମାସର । ମହାରାଷ୍ଟ୍ରର ପାଲଘରରେ ନିର୍ବାଚନ ପ୍ରଚାର ବେଳେ ଏଭଳି କହିଥିଲେ ଉଦ୍ଧବ । ମହାରାଜା ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣକୁ ନେଇ ଯୋଗୀଙ୍କ ଉପରେ ଭଡକିଥିଲେ ଉଦ୍ଧବ ଠାକରେ । ସେ କହିଥିଲେ, ‘ଏ ଯୋଗୀ ଗୋବର ଗ୍ୟାସ୍‌ ଭଳି, ଯିଏକି କେବଳ ପବନରେ ଉଡିବା ହିଁ ଜାଣିଛି । ଆସିଲା ଏବଂ ସିଧା ଚପଲ ପିନ୍ଧି କହାରାଜଙ୍କ ପାଖକୁ ଚାଲିଗଲା । ଇଚ୍ଛା ହେଉଛି ସେହି ଚପଲ ଖୋଲି ତାକୁ ମାରିବାକୁ ।’

ଉଦ୍ଧବ ଠାକରେଙ୍କ ଏଭଳି ବୟାନକୁ ନେଇ ଯୋଗୀ ମଧ୍ୟ ପାଲଟା ଜବାବ ଦେଇଥିଲେ । ସେ କହିଥିଲେ, ମୋ ମନରେ ତାଙ୍କଠାରୁ ଅଧିକ ଶିଷ୍ଟାଚାର ରହିଛି ଏବଂ ମୁଁ ଜାଣିଛି କିଭଳି ଶ୍ରଦ୍ଧାଞ୍ଜଳି ଦିଆଯାଏ । ମୋତେ ତାଙ୍କ ଠାରୁ ଅଧିକ କିଛି ଶିଖିବା ଆବଶ୍ୟକ ନାହିଁ ।’

ନାସିକ ପୋଲିସ ଉଦ୍ଧବଙ୍କୁ ଥାପ୍ପଡ ମାମଲାରେ ନାରାୟଣ ରାଣେଙ୍କୁ ଗିରଫ କରିବା ପରେ ଗଣମାଧ୍ୟମରେ ତାଙ୍କର ପ୍ରଥମ  ପ୍ରତିକ୍ରିୟା ଆସିଛି। ମୁଁ କିଛି ଭୁଲ କହିନାହିଁ ବୋଲି ରାଣେ କହିଛନ୍ତି। ଏଥିରେ ସେ ତାଙ୍କ ବୟାନ ଦୋହରାଇଛନ୍ତି ’ମୁଁ ଯଦି ସେଠାରେ ଥାନ୍ତି ଥାପ୍ପଡ ମାରିଦେଇଥାନ୍ତି’ । ‘ସେଦିନ ଥିଲେ, ଏମିତି କରିଥାନ୍ତି’। ମୁଁ ବର୍ତ୍ତମାନ କାଳରେ ଏହା କହି ନଥିଲି, ଗିରଫଦାରୀ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଟ୍ବିଟ୍‌ କରି କହିଛନ୍ତି, ‘ମହାରାଷ୍ଟ୍ର ସରକାର ଦ୍ବାରା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ ସାମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନକୁ ନା ଆମେ ଡରିବୁ ନ ଦବିବୁ । ଜନ ଆଶୀର୍ବାଦ ଯାତ୍ରାରେ ବିଜେପିକୁ ମିଳୁଥିବା ଅପୂର୍ବ ସମର୍ଥନକୁ ଦେଖି ଏମାନେ ସମେସ୍ତ ବିଚଳିତ ହୋଇପଡିଛନ୍ତି । ଆମେ ଲୋକତାନ୍ତ୍ରିକ ଢଙ୍ଗରେ ଲଢିବୁ ଏବଂ ଯାତ୍ରା ଜାରି ରଖିବୁ ।’

ରାଣେଙ୍କ ଗିରଫକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି, ‘ପ୍ରତିଶୋଧ ପରାୟଣ ହୋଇ ଏପରି କରିଛନ୍ତି । ଆମେ ପୋଲିସ ଫୋର୍ସର ଅପବ୍ୟବହାର ହେଉଥିବାରୁ ଏହାକୁ ଦୃଢ ବିରୋଧ କରୁଛୁ । ସରଜୀଲ ଉସମାନୀ ବାହାରେ ବୁଲୁଛନ୍ତି ଅଥଚ ନାରାୟଣ ରାଣେଙ୍କୁ ଗିରଫ କରାଯାଉଛି ! ଏହା କଣ ତାଙ୍କର ହିନ୍ଦୁତ୍ବ ଏବଂ ମହାରାଷ୍ଟ୍ରର ଚିତ୍ର ଏହି ଭଳି !’

ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ‘କେନ୍ଦ୍ର କ୍ୟାବିନେଟ୍‌ର ଜଣେ ମନ୍ତ୍ରୀଙ୍କୁ ଗିରଫ କରିବା ମହାରାଷ୍ଟ୍ର ଇତିହାସରେ ପ୍ରଥମ ଥର ପାଇଁ ହେଉଛି । ଏହା କ୍ଷମତାର ଦୁରୁପଯୋଗ । ଆମେ ଏହାକୁ ସହ୍ୟ କରିପାରବୁ ନାହିଁ । ଜଣେ ସାଂସଦଙ୍କ କିଛି ଅଧିକାର ରହିଛି କିନ୍ତୁ ଏଠି ତାହାକୁ କ୍ଷୁର୍ଣ୍ଣ କରାଯାଉଛି । ଘଟଣାକୁ ନେଇ ଲୋକସଭା ଅଧ୍ୟକ୍ଷ ଏବଂ ରାଜ୍ୟସଭାର ସଭାପତିଙ୍କୁ ଏହି ମାମଲାରେ ଆମର ସମସ୍ତ ସାଂସଦ ଅଭିଯୋଗ ପତ୍ର ଦେବେ ।’

Share this story