କଂଗ୍ରେସ ପଲିଟିକ୍ସରେ ଏଣ୍ଟ୍ରି ମାରିବେ ପ୍ରଶାନ୍ତ କିଶୋର; ବିଦେଶୀ ବୋହୂ ସୋନିଆ ମାରିବେ ମୋହର 

prashant-kishor

ଓଡ଼ିଆ ଗସିପ୍ ବ୍ୟୁରୋ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସ ଦଳରେ ଯୋଗଦାନକୁ କେନ୍ଦ୍ରକରି ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ଏହି ଘଟଣାକୁ କେନ୍ଦ୍ରକରି ଦଳ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ଦଳ ଏବେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇପଡ଼ିଛି।

କାରଣ କଳ୍ପନାଜଳ୍ପନା ଚାଲିଛି ଯେ ପ୍ରଶାନ୍ତ କିଶୋର ଯଦି ଦଳରେ ଯୋଗ ଦିଅନ୍ତି ତେବେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବଡ଼ ପଦବୀ ସହ ଅସାଧାରଣ ମାନ୍ୟତା ମିଳିପାରେ। ସେଥିପାଇଁ, କଂଗ୍ରେସରେ ତାଙ୍କର ଯୋଗଦାନକୁ ଗୋପନ ରଖାଯିବା ସହ ଗାନ୍ଧୀ ପରିବାର ମଧ୍ୟରେ ହିଁ ସୀମିତ ରଖାଯାଇଛି। ତେବେ, ନିକଟ ଅତୀତରେ ପ୍ରଶାନ୍ତ କିଶୋର ଆସି କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଓ ପ୍ରିୟଙ୍କାଙ୍କୁ ସାକ୍ଷାତ କରିଯିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏ ପ୍ରସଙ୍ଗରେ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।

କଂଗ୍ରେସ ଦଳର ସଂଗଠନକୁ ପୁନର୍ଗଠିତ କରି ଦଳକୁ ସୁଦୃଢ଼ କରିବାକୁ ଗତବର୍ଷ ଯେଉଁ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଚିଠିଲେଖି ଜି-୨୩ ଭାବେ ପରିଚିତ ହୋଇଥିଲେ ସେମାନେ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ସପକ୍ଷରେ ନାହାନ୍ତି।

ଏତିକି ନୁହେଁ ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ଘଟଣାକୁ କଂଗ୍ରେସ ଦଳର ଆଉ ଏକ ବଡ଼ ଗୋଷ୍ଠୀ ମଧ୍ୟ ବିରୋଧ କରିବା ସହ ଜି-୨୩ ଗୋଷ୍ଠୀଙ୍କ ସହ ସାମିଲ ହୋଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ଘଟଣାକୁ ବିରୋଧ କରୁଥିବା ଗୋଷ୍ଠୀ ନିକଟରେ ବରିଷ୍ଠ କଂଗ୍ରେସ ନେତା କପିଲ ଶିିବଲଙ୍କ ବାସଭବନରେ ଏକତ୍ରିତ ହୋଇ ଏହାକୁ କିପରି ବିରୋଧ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ କଂଗ୍ରେସର ଅନ୍ୟ ଏକଗୋଷ୍ଠୀ ନିର୍ବାଚନ ରଣନୀତିଜ୍ଞ ପ୍ରାଶନ୍ତ କିଶୋରଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ସପକ୍ଷରେ ଅଛନ୍ତି। ଏମାନଙ୍କ ଦାବି ହେଲା ପ୍ରଶାନ୍ତ କିଶୋରଙ୍କ ଯୋଗଦାନ ଦଳକୁ ସୁଦୃଢ଼ କରିବ। କାରଣ ରାଜନୈତିକ ଦଳଗୁଡିକୁ ନିର୍ବାଚନରେ ଜିତାଇବାରେ ପ୍ରଶାନ୍ତ କିଶୋରଙ୍କର ଏକ ଚମତ୍କାର ଟ୍ରାକ୍‌ ରେକର୍ଡ ରହିଛି। ସଦ୍ୟସମାପ୍ତ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଯୋଗୁ ହିଁ ଟିଏମ୍‌ସି ଓ ଡିଏମ୍‌କେ କ୍ଷମତାକୁ ଆସିପାରିଲେ।

ତେବେ, କଂଗ୍ରେସ ଦଳ ଭିତରେ ପ୍ରଶାନ୍ତ କିଶୋରଙ୍କୁ ନେଇ ମୁଖ୍ୟ ବିବାଦୀୟ ପ୍ରସଙ୍ଗ ହେଉଛି ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ ଏକ ପୃଥକ ନିର୍ବାଚନ ଅଭିଯାନ କମିଟି ରହିବ ନା ସେ ବର୍ତ୍ତମାନର ବ୍ୟବସ୍ଥା ମଧ୍ୟରେ ରହି କାର୍ଯ୍ୟ କରିବେ?

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ, ୨୦୧୭ ୟୁପି ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହ କାମ କରିସାରିଛନ୍ତି। ତେବେ, ପ୍ରଶାନ୍ତ କିଶୋରଙ୍କ ଦଳରେ ଯୋଗଦାନକୁ କେନ୍ଦ୍ରକରି ଦଳ ଏବେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇପଡ଼ିଥିବା ବେଳେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହାଇକମାଣ୍ଡ ସୋନିଆ ଗାନ୍ଧୀ ହିଁ ନେବେ ବୋଲି ଜାଣିବାକୁ ମିଳିଛି।

Share this story