ଟାର୍ଗେଟରେ ନେତା: ଚରମସୀମାରେ ରାଜନୈତିକ ହିଂସା

ଟାର୍ଗେଟରେ ନେତା: ଚରମସୀମାରେ ରାଜନୈତିକ ହିଂସା
ଟାର୍ଗେଟରେ ନେତା: ଚରମସୀମାରେ ରାଜନୈତିକ ହିଂସା

ଭୁବନେଶ୍ୱର: ମଝିରେ ଆଉ ଗୋଟିଏ ଦିନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗ୍ରହଣ ହେବ ମତଦାନ । ହେଲେ ଏହା ପୂର୍ବରୁ ରାଜନୈତିକ ହିଂସା ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରି ରଖିଛି । ପ୍ରଥମେ ଖୋର୍ଦ୍ଧାରେ ଜଣେ ରାଜନେତାଙ୍କୁ ହତ୍ୟା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆଉ ଏବେ ଖୋଦ୍ ରାଜ୍ୟର ରାଜଧାନୀରେ ନେତାଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୁତ୍ତ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଦୁର୍ବୁତ୍ତ ।

ଭୁବନେଶ୍ୱର ଡେଲଟା ଛକ ନିକଟରେ ପ୍ରଚାର ସାରି ଫେରୁଥିବା ସମୟରେ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏହି ଆକ୍ରମଣ ଡେଲଟା କଲୋନୀ ଭିତରେ ଥିବା ବିଜେପି ଅଫିସ ସମ୍ମୁଖରେ ଘଟିଛି । ଗାଡିର କାଚ ଭାଙ୍ଗିଯାଇଥିବା ବେଳେ ଜଗନ୍ନାଥ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ବିଜେଡିର କିଛି ଗୁଣ୍ଡା ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କିଛିଦିନ ତଳେ ସେ ପ୍ରଚାର କରୁଥିବା ସମୟରେ ୟୁନିଟ ୮ ଅଞ୍ଚଳରେ ତାଙ୍କ ଉପରକୁ ଟେକାମାଡ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ ଆଣିଥିଲେ ।

ସେହିଭଳି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବି ଆକ୍ରମଣ ହୋଇଛି । ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ିକୁ ଟେକା ପଥର ମାଡ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଷିପୁରା ନିକଟରେ । ଆକ୍ରମଣରେ ପିସିସି ସଭାପତି ଆହତ ହୋଇଛନ୍ତି । ଏଥିସହ ପର୍ଯ୍ୟବେକ୍ଷକ ତଥା ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ସହ ୧୫ରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମୁତାବକ ଘସିପୁରା ନିର୍ବାଚନମଣ୍ଡଳୀରେ ପିସିସି ସଭାପତି ପ୍ରଚାର ସାରି ଫେରୁଥିବା ସମୟରେ ରାମଚନ୍ଦ୍ରପୁର ଥାନା ନହଙ୍ଗି ଛକ ଠାରେ ରାସ୍ତା ଅବରୋଧ କରି ଶତାଧିକ ବିଜେଡି କର୍ମୀ ଆକ୍ରମଣ କରିଥିବା ନିରଞ୍ଜନ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ରାମଚନ୍ଦ୍ରପୁର ଥାନା ଅଧିକାରୀ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏନେଇ ରାମଚନ୍ଦ୍ରପୁର ଥାନାରେ ବିଜେଡି କର୍ମୀଙ୍କ ନାମରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଆହତମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।  କଂଗ୍ରେସ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଛି । ବିଜେଡି କର୍ମୀ ଏହି ଆକ୍ରମଣ କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

Share this story