ନବୀନ ନିବାସ ପାଇଁ ସରକାର ସାଜିଲେ ଜମି ଦଲାଲ: କଂଗ୍ରେସ

ନବୀନ ନିବାସ ପାଇଁ ସରକାର ସାଜିଲେ ଜମି ଦଲାଲ: କଂଗ୍ରେସ
ନବୀନ ନିବାସ ପାଇଁ ସରକାର ସାଜିଲେ ଜମି ଦଲାଲ: କଂଗ୍ରେସ

ଭୁବନେଶ୍ୱର: ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ହରାଇଲେ ୧ ଏକର ୬୦୦ ଡିସମିଲ୍ ସରକାରୀ ଜମି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଓ ବେସରକାରୀ ବାସଭବନ ସାମ୍ନା ରାସ୍ତାକୁ କେବଳ ନବୀନ ବାବୁଙ୍କ ବ୍ୟବହାର ପାଇଁ ରାଜ୍ୟ ସରକାର କିଭଳି ଚଂଚକତା କରିଛନ୍ତି ତାହାର ଖୁଲାସା କରିଛି ପ୍ରଦେଶ କଂଗ୍ରେସ ।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ବାବୁଙ୍କର ନଜର ପଡିଥିଲା ଘର ସାମ୍ନା ଦେଇ ଯାଇଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଷ୍ଟାଫ୍ କଲୋନୀ ଛକ ଠାରୁ ପଳାସପଲ୍ଲୀ ଫ୍ଲାଏଓଭର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ । ଶେଷରେ ଏହାକୁ ଘେରାବନ୍ଦୀକୁ ନେବା ପାଇଁ ଆରମ୍ଭ ହେଲା ସରାକରୀ ସ୍ତରରେ ଷଡଯନ୍ତ୍ର । ୩ ଫେବୃଆରୀ ୨୦୧୬ ରେ ସରକାରୀ ରାସ୍ତା ପ୍ରଶସ୍ତିକରଣ ନାଁରେ ସାମ୍ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ ସମାନ ପରିମାଣର ଜମିକୁ ଅଦଳବଦଳ କରିବା ସର୍ତରେ ପ୍ରସ୍ତାବ ଦେଲା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ।

ନବୀନ ନିବାସ ପାଇଁ ସରକାର ସାଜିଲେ ଜମି ଦଲାଲ: କଂଗ୍ରେସ

ସିଭିଲ ଆଭିଏସନ୍ ମନ୍ତ୍ରଣାଳୟ ୭ ଅକ୍ଟୋବର ୨୦୧୬ରେ ଏ ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ପାରିତ କରିବା ପାଇଁ ଲେଖା ଦେଲେ । ଶେଷରେ ୨୭ ଅକ୍ଟୋବର ୨୦୧୬ରେ କେନ୍ଦ୍ର କ୍ୟାବିନେଟ୍ ଓଡିଶା ସରକାରଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଲେ । ଏ ସଂପର୍କରେ ୧୦ ଏପ୍ରିଲ୍ ୨୦୧୭ରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ୱାକ୍ଷରିତ କରାଗଲା । ତଦନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡିସମିଲ୍ ଜମି ଦେଲେ ଓ ପ୍ରତି ବଦଳରେ ସାଧାରଣ ପ୍ରଶାସନ ବିଭାଗ ଦୁଇଟି ପ୍ଲଟ ଯଥା – ୪୯୫/୧୬୬୪ (ପାର୍ଟ) ଏକର ୦.୩୦୭ ଡିସମିଲ୍ ଓ ପ୍ଲଟ ନଂ – ୪୯୩ (ପାର୍ଟ) ୧ ଏକର ୨୯୩ ଡିସମିଲ, ଭୀମପୁର ମୌଜା, ଭୁବନେଶ୍ୱରକୁ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲେ । ଜମି ହାତକୁ ଆସିବା ପରେ ନବୀନ ବାବୁଙ୍କ ପାଇଁ ଆରମ୍ଭ ହେଲା ସରକାରୀ ସ୍ତରରେ ଦଲାଲୀ ।

ରାସ୍ତା ଚଉଡା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବଜା କରାଗଲା ଏବଂ ସୁରକ୍ଷା ଆଳରେ ସମଗ୍ର ରାସ୍ତାକୁ ବନ୍ଦ କରି ରଖାଗଲା । କିନ୍ତୁ ଏହା ଫଳରେ ବାସ୍ତବ ଆଇନଗତ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । ଚଂଚକତା କରି ନବୀନ ନିବାସ ଭଳି ଏକ ବେସରକାରୀ ଘରୋଇ ଜାଗା ପାଇଁ ସରକାର ନିଜ ଖାତାରୁ ୧ ଏକର ୬୦୦ ଡିସମିଲ୍ ଜାଗା ପ୍ରଦାନ କଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ପ୍ରଦେଶ କଂଗ୍ରେସ ଉଠାଇଛି କେତୋଟି ପ୍ରଶ୍ନ ।

ପ୍ରଶ୍ନ ନମ୍ବର ୧: ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ ପ୍ରାଧିକରଣଙ୍କ ସହ ରାଜ୍ୟ ସରକାର ଜମି ଅଦଳବଦଳ କଲେ କିନ୍ତୁ ଉକ୍ତ ଜମିକୁ ନବୀନ ନିବାସର ଏକଚାଟିଆ ବ୍ୟବହାର ପାଇଁ କାହିଁକି ଜମିକୁ ଘେରାବନ୍ଦୀରେ ରଖାଗଲା?

ପ୍ରଶ୍ନ ନମ୍ବର ୨: ରାସ୍ତା ପ୍ରଶସ୍ତିକରଣର ଅର୍ଥ କ’ଣ ନବୀନ ନିବାସ ଗେଟ୍ ଠାରୁ ଆରମ୍ଭ ଓ ପାଚେରୀ ପାଖରେ ଶେଷ?

ପ୍ରଶ୍ନ ନମ୍ବର ୩: ରାଜ୍ୟ ସରକାର ଯେଉଁ ୧ ଏକର ୬୦୦ ଡିସମିଲ୍ ଜମି ଏୟାରପୋର୍ଟ ଅଥରିଟିଙ୍କୁ ଦେଲେ ତାକୁ ରାଜ୍ୟ କ୍ୟାବିନେଟକୁ ଜଣା ଯାଇଥିଲା ନା ନାହିଁ?

ପ୍ରଶ୍ନ ନମ୍ବର ୪: ଏୟାରପୋର୍ଟ ଅଥରିଟି କେନ୍ଦ୍ର କ୍ୟାବିନେଟରେ ଜମି ଦେବା ନିଷ୍ପତିକୁ ପାରିତ କଲେ କିନ୍ତୁ ନବୀନ ବାବୁ କାହିଁକି ରାଜ୍ୟ କ୍ୟାବିନେଟରେ ପକାଇଲେ ନାହିଁ?

ପ୍ରଶ୍ନ ନମ୍ବର ୫: କାହା ଭୟରେ ଓ କାହାକୁ ଲୁଚାଇବାକୁ ଯାଇ ନବୀନ ବାବୁ କ୍ୟାବିନେଟରେ ଏ ପ୍ରସ୍ତାବକୁ ଉଠାଇଲେ ନାହିଁ?

ଅତ୍ୟନ୍ତ ଚତୁରତାର ସହିତ ଏହି ଜମି ଘୋଟାଲାକୁ ରାଜ୍ୟ ସରକାର ଜଣେ ବ୍ୟକ୍ତି ବିଶେଷଙ୍କ ପାଇଁ ଲୁଚାଇବାର ବ୍ୟର୍ଥ ପ୍ରୟାସ କରିଛନ୍ତି । ପ୍ରଦେଶ କଂଗ୍ରେସର ଦାବି ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଏହାର ଜବାବ ରଖନ୍ତୁ ଓ ଘେରାବନ୍ଦୀରେ ଥିବା ଜମିକୁ ସର୍ବସାଧାରଣଙ୍କ ନିମନ୍ତେ ତୁରନ୍ତ ଖାଲି କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Share this story