Odisha Assembly: ଆଜି ବି ଅଚଳାବସ୍ଥା, ବିରୋଧୀଙ୍କ ସ୍ଲୋଗାନ 'ସ୍ୱାସ୍ଥ୍ୟମନ୍ତ୍ରୀ ତୁମେ ଇସ୍ତଫା ଦିଅ'
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ଆଜି ବି ଚାଲିପାରୁନି ବିଧାନସଭା । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ଗୃହ ସାଢେ ୧୧ ଯାଏଁ ମୁଲତବି କରିଥିଲେ ବାଚସ୍ପତି । ପୋଷ୍ଟର ଧରି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ତେବେ ହଟ୍ଟଗୋଳର ମୁଖ୍ୟ କାରଣ ଥିଲା ଆୟୁଷ୍ମାନ ପ୍ରସଙ୍ଗ । ଏହି ପ୍ରସଙ୍ଗଉଠାଇ ନାରାବାଜି କରିଥିଲେ ବିରୋଧୀ ।
ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ଦାବି ସହ ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ ।
ଅନ୍ୟପଟେ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ରାଜ୍ୟ ସଂଘ ରାସ୍ତାରେ ଶୋଇଛି । ତିନି ମାସ ହେଲା ଦରମା ମିଳିନି । ତୁରନ୍ତ ଦରମା ପ୍ରଦାନ ଦାବି କରୁଛି ସଂଘ । ସମାନ କାମକୁ ସମାନ ଦରମା ଦେବାକୁ ଦାବି କରିଛି ।
ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ମୃତ୍ୟୁକାଳୀନ ସହାୟତା ରାଶି ଏକ ଲକ୍ଷ ଟଙ୍କା ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ରାଜରାସ୍ତାରେ ସହ ସହ ପାଚିକା ବସିଛନ୍ତି । ତାଙ୍କ ଦାବି ପୂରଣ ସହ ସେମାନଙ୍କୁ ଭେଟିବାକୁ ମଧ୍ୟ ଦାବି ଉଠିଛି।

