ମନର କଥା କହିଲେ ମନ୍ମଥ; ବିଜେପି ରାଜ୍ୟ ସଭାପତିଙ୍କୁ ଜବାବ୍, ମୋତେ କାହିଁକି ବହିଷ୍କାର କଲ କାରଣ କୁହ

manmath-mallick

ଓଡ଼ିଆ ଗସିପ ବ୍ୟୁରୋ: ବିଜେପି ନେତା ମନ୍ମଥ ମଲ୍ଲିକଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଦଳରୁ ବହିଷ୍କାର କରିବା ପରେ ସେ କାହିଁକି ଓ କେଉଁ କାରଣ ପାଇଁ ବହିଷ୍କୃତ ହୋଇଛନ୍ତି ତାର ଜବାବ୍ ମାଗିଛନ୍ତି। ବିନା କାରଣରେ ରାଜ୍ୟ ସଭାପତି କିପରି ଦଳର ଜଣେ ଆଗଧାଡ଼ିର ସଂଗଠକକୁ ବିଦା କରିପାରିଲେ ତାର ଉତ୍ତର ରାଜ୍ୟ ସଭାପତି ଦିଅନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସୋମବାର ଓୟୁଜେ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟ ସହ ସଂଗଠନ ସମ୍ପାଦକ ମନ୍ମଥ ମଲ୍ଲିକ କହିଛନ୍ତି ଯେ, ମୁଁ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ବ ସଂଘ ପରିବାର ଏବଂ ୨୬ବର୍ଷ ଧରି ବିଜେପି ପାଇଁ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ କାର୍ଯ୍ୟ କରୁଥିଲି। କିନ୍ତୁ ଜୁନ୍‌ ୧୪ରେ ବିଜେପି ମିଡିଆ ସେଲ୍‌ ପକ୍ଷରୁ ବିନା ଦସ୍ତଖତରେ ଏକ ପ୍ରେସ୍‌ ରିଲିଜ୍ ଜାରି କରାଗଲା ଯେ, ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ନେତା ମନ୍ମଥ ମଲ୍ଲିକଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଦଳରୁ ବହିଷ୍କାର କରିଛନ୍ତି।

ଏହା ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ମୁଁ କାହିଁକି ଦଳରୁ ବହିଷ୍କାର ହେଲି ଜାଣିପାରନଥିଲି। ତେଣୁ ମୋତେ ବହିଷ୍କାର କରିବାର କାରଣ କଣ ଜଣାଇବାକୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ୧୨ଦିନ ତଳେ ଲିଖିତ ଭାବେ ଏବଂ ଇ-ମେଲ୍‌ରେ ପଚାରିଥିଲି। ହେଲେ ଏପର୍ଯ୍ୟନ୍ତ କିଛି ଉତ୍ତର ପାଇଲିନି। ଏପରିକି ଜଣେ ମିସ୍‌ଡକଲ ସଦସ୍ୟଙ୍କୁ ବହିଷ୍କାର କରିବା ଦଳର କେଉଁ ନିୟମ ଓ ଧାରା ଭିତରେ ଆସୁଛି ତାହା ରାଜ୍ୟ ସଭାପତି ଜଣାଇବା ଦରକାର।

ଯଦି ମୋତେ ଦଳରୁ ବହିଷ୍କାର କରିବା ନେଇ ସଭାପତିଙ୍କ ପାଖରେ କୌଣସି ଯଥାର୍ଥ ଓ ସନ୍ତୋଷଜନକ କାରଣ ନାହିଁ ତେବେ ମୋର ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Share this story