ସେଦିନର ପ୍ରଭାବଶାଳୀ ଆଜି ପ୍ରଭାବହୀନ: ଅସହାୟ ହୋଇ ହସ୍ପିଟାଲରେ ପଡିଛନ୍ତି ଲୁଲୁ ମହାପାତ୍ରଙ୍କ ପତ୍ନୀ

ସେଦିନର ପ୍ରଭାବଶାଳୀ ଆଜି ପ୍ରଭାବହୀନ: ଅସହାୟ ହୋଇ ହସ୍ପିଟାଲରେ ପଡିଛନ୍ତି ଲୁଲୁ ମହାପାତ୍ରଙ୍କ ପତ୍ନୀ
ସେଦିନର ପ୍ରଭାବଶାଳୀ ଆଜି ପ୍ରଭାବହୀନ: ଅସହାୟ ହୋଇ ହସ୍ପିଟାଲରେ ପଡିଛନ୍ତି ଲୁଲୁ ମହାପାତ୍ରଙ୍କ ପତ୍ନୀ

ଦିନ ଥିଲା ତାଙ୍କ ନାଁ ଶୁଣିଲେ ଛାତି ଥରି ଓଠୁଥିଲା । ତାଙ୍କ ନାଁ କହିଲେ ବଡ଼ ବଡ଼ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହେଉଥିଲା । କିନ୍ତୁ ଆଜି ସେଭଳି ଜଣେ ହସ୍ତୀଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ନିଃସହାୟ ।

ଆମେ କହୁଛୁ ଓଡ଼ିଶାର ଚର୍ଚ୍ଚିତ କଂଗ୍ରେସ ‌ନେତା ତଥା ବ୍ରହ୍ମଗିରିରୁ ତିନି ଥର ବିଧାୟକ ହୋଇଥିବା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ କଥା । ତାଙ୍କ ଧର୍ମପତ୍ନୀ ନମିତା ସାହୁ( ମହାପାତ୍ର) ଆଜିକୁ ଦୁଇ ମାସ ତଳୁ ଅସୁସ୍ଥ ଥିବା ଜଣାପଡ଼ିଛି । ଶ୍ରୀମତୀ ମହାପାତ୍ର ଦୁଇମାସ ହେବ ଭୁବନେଶ୍ବରର କିମ୍‌ସ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ତେବେ ଶ୍ରୀମତୀ ମହାପାତ୍ରଙ୍କ ଅସୁସ୍ଥତା ‌ଯେତିକି ଚିନ୍ତାଜନକ ନୁହେଁ, ହସ୍ପିଟାଲ ଭିତରେ ତାଙ୍କ ଅସହାୟତା ଓ ନିସଙ୍ଗତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ମେଡିକାଲ ୱାର୍ଡରେ ନମିତା ଏକା ଏକା ଦିନ କାଟୁଛନ୍ତି । ଆ‌ହା ପଦେ କହିବାକୁ ତାଙ୍କ ପାଖରେ କେହି ନାହାନ୍ତି । ବିନା ଆଟେଣ୍ଡାଣ୍ଟରେ ରହି ଚିକିତ୍ସିତ ହେଉଛନ୍ତି । ବିଳାସରେ ଦିନ କାଟୁଥିବା ନମିତା ଏବେ ପରିସ୍ଥିତିର ଦାସ ହୋଇପଡ଼ିଛନ୍ତି । ହସ୍ପିଟାଲରେ ରୋଗୀଙ୍କ ଦିଆ ଯାଉଥିବା ଖାଦ୍ୟ ହିଁ ତାଙ୍କ ଜୀବନ ଆଧାର ହୋଇଛି । ଭଲ, ମନ୍ଦ ବୁଝିବାକୁ ପରିବାର ଲୋକ ମଧ୍ୟ ତାଙ୍କ ପାଖକୁ ଆସୁନାହାନ୍ତି ।

ଏ ପ୍ରସଙ୍ଗରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଶ୍ବଶୁର ତଥା ପୂର୍ବତନ ସାଂସଦ ନାରାୟଣ ସାହୁ କହିଛନ୍ତି, ଝିଅର ଦେହ ଖରାପ ଅଛି । ଅତ୍ୟାଧିକ ସୁଗାର ବଢ଼ିଯାଇଛି । ତାଙ୍କ ଝିଅଙ୍କ ସହିତ ସେ କଥା ହେଉଛନ୍ତି । ‌ହେଲେ ତାଙ୍କ ପାଖକୁ ଯାଇପାରିନାହାନ୍ତି । ତାଙ୍କ ଝିଅ ଅସହାୟତା ପ୍ରକାଶ କରିଛନ୍ତି । ଖାଲି ଏତିକି କହୁଛନ୍ତି, ସେ ଆଉ ଘରକୁ ଫେରିବାକୁ ଚାହୁଁନାହାନ୍ତି । ଘରେ ରହିଲେ ତାଙ୍କୁ ଅଣନିଶ୍ବାସୀ ଲାଗୁଛି । ଏହି ହସ୍ପିଟାଲରେ ହିଁ ତାଙ୍କୁ ଶାନ୍ତି ମିଳୁଥିବା ସେ କହିଛନ୍ତି ।

ଶ୍ରୀ ସାହୁ ଆହୁରି କହିଛନ୍ତି, ନମିତା ଜଣେ ରାଜନୈତିକ ପରିବାର ଲୋକ । ତେଣୁ ସେ ଅଧିକ କିଛି କହିବାକୁ ଚାହୁଁନାହ‌ାନ୍ତି । ନମିତାଙ୍କର ରାଜନୀତିରେ ରୁଚି ଥିଲା । ସେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ସଭାନେତ୍ରୀ ଥିଲେ । ଲୁଲୁଙ୍କୁ ବିବାହ କଲେ । ସେ ରାଜନୀତି କରୁ ଚାହୁଁଥିଲେ । ମାତ୍ର ତାଙ୍କୁ ଲୁଲୁ ସୁଯୋଗ ଦେଇ ନ ଥିଲେ । ଏବେ ସେ ମାନସିକସ୍ତରରେ ଭାଂଗିପଡ଼ିଛି । କ‌ାହିଁକି ତ‌ା’ର ଏ ଅବସ୍ଥା ତାହ‌ା ଆପଣମାନେ ଖୋଜନ୍ତୁ ବୋଲି ଶ୍ରୀ ସାହୁ ଓଲଟା କହିଥିଲେ । ତେବେ ଶ୍ରୀମତୀ ମହାପାତ୍ରଙ୍କ ଏ ଅବସ୍ଥା ହଠାତ୍ କାହିଁକି ‌ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

Share this story