ସିଏମ୍ ସିଟ୍ କେମିତି ବଞ୍ଚାଇବେ ବଙ୍ଗ ବାଘୁଣୀ? ଘାଣ୍ଟିବେ କି ମୋଦି-ଶାହ?

ଗଣମାଧ୍ୟମକୁ ବିବୃତି ଦେଇ ଦିଦି କହିଛନ୍ତି, ‘ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର ଆୟତରେ ଅଛି । ଲୋକମାନଙ୍କୁ ନିଜ ଭୋଟ ଦେବାର ଅଧିକାର ରହିଛି । ସେଥିପାଇଁ ନିର୍ବାଚନ କମିସନରଙ୍କୁ ଉପ ନିର୍ବାଚନ ପାଇଁ ଘୋଷଣା କରିବା ଆବଶ୍ୟକ । ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବଞ୍ଚିତ କରିବା ଉଚିତ ନୁହେଁ ।’
ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିଥିଲେ । ଫଳାଫଳ ଆଶ୍ଚର୍ଯ୍ୟାନ୍ବିତ ଭାବେ ଶୁଭେନ୍ଧୁ ଅଧିକାରୀଙ୍କ ପଟକୁ ଯାଇଥିଲା । ଦିଦିଙ୍କୁ ପ୍ରଥମ ଥର ପାଇଁ ହରାଇଥିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ପରାଜୟ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଭଳି ପରିସ୍ଥିତିରେ ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଉପ ନିର୍ବାଚନ କରାଯାଇ ଲୋକମାନଙ୍କ ଦ୍ବାରା ପୁନଶ୍ଚ ନେତା ଚୟନ ହେବା କଥା ।
ଦିଦିଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ମାସରେ ଶେଷ ହେବାକୁ ଯାଉଛି । ତେଣୁ ଏହାରି ମଧ୍ୟରେ ହିଁ ଉପ ନିର୍ବାଚନ କରାଯାଇ ମମତା ବାନାର୍ଜୀଙ୍କୁ ନିର୍ବାଚିତ ହୋଇ ବିଧାନସଭାକୁ ଯିବାକୁ ପଡିବ । ନଚେତ୍ ମୁଖ୍ୟମନ୍ତ୍ରୀ ଚୌକି ଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଦି ଯଥାଶୀଘ୍ର ନିର୍ବାଚନ କରାଇବାକୁ ଭାରତୀୟ ନିର୍ବାଚନ କମିସନରଙ୍କୁ ଅପିଲ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ମୋଟ ୨୯୪ଟି ଆସନରୁ ୨୧୩ଟିରେ ଜିତି ବହୁମତ ସହ ସରକାର ଗଢିବାକୁ ଦାବିଦାର ହୋଇଥିଲା । ଟିଏମ୍ସି ସରକାର ଗଢିଥିଲା କିନ୍ତୁ ଦଳର ମୁଖିଆ ମମତା ବାନାର୍ଜୀ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ ।
ସମ୍ବିଧାନର ଧାରା ୧୬୪(୪) ଅନୁସାରେ, ଯଦି କୌଣସି ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ନଥାଇ ମନ୍ତ୍ରୀ ପଦ ପାଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା କିମ୍ବା ବିଧାନ ପରିଷଦ ଯଦି ସାଂସଦ ହୋଇଥିବେ ତେବେ ସଂସଦର ଉଭୟ ଗୃହରେ କୌଣସି ଗୋଟିଏ ଗୃହକୁ ଲୋକମାନଙ୍କ ଦ୍ବାରା ନିର୍ବାଚିତ ହେବାକୁ ପଡିବ । ଯଦି ଏହା ନହୁଏ ତେବେ ୬ ମାସ ପରେ ତାଙ୍କ ପଦବୀ ଚାଲିଯାଇଥାଏ । ତେଣୁ ଦିଦିଙ୍କୁ ଆସନ୍ତା ନଭେମ୍ବର ୮ ତାରିଖ ସୁଦ୍ଧା ବିଧାୟକ ହେବାକୁ ପଡିବ ନଚେତ ଚୌକି ଯିବାର ସମ୍ଭାବନା ଦେଖାଯିବ ।