ନମୋଙ୍କ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ‘ଓଡ଼ିଶାର ଗାନ୍ଧି’: ଲୋକେ କହିଲେଣି ନନାଙ୍କୁ ବିଦା କରିବାର କାରଣ ହେଉଛି ଏହା...

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ କାହିଁକି ବାଦ୍ ପଡ଼ିଲେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ? ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଖୁସି ନଥିଲେ ନା ୨୪ ନିର୍ବାଚନ ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କ ଭଳି ଜଣେ ଅନୁଭବୀ ନେତାଙ୍କୁ ସାଙ୍ଗଠନିକ ପୁନର୍ବିନ୍ୟାସ କାମ ନିମନ୍ତେ ବିଜେପି ଆବଶ୍ୟକ ମଣିଲା। ଏମିତି କିଛି ପ୍ରଶ୍ନ ବର୍ତ୍ତମାନ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ଆଲୋଚନାକୁ ଖୋରାକ ଯୋଗାଇଛି।
Loading tweet...
କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କୁଆଡ଼େ ମନ୍ତ୍ରିମଣ୍ଡଳରୁ ଓଡ଼ିଶାରୁ ଜଣକୁ ବାଦ୍ ଦେଇ ବଦଳରେ ଆଉ ଦୁଇଜଣଙ୍କୁ ବୋନସ୍ ଆକାରରେ ଦେଇଛନ୍ତି।
ପୁଣି ଆଦିବାସୀ କାର୍ଡ ଖେଳି ମୟୂରଭଞ୍ଜ ସାଂସଦ ଇଞ୍ଜିନିୟର ବିଶ୍ବେଶ୍ବର ଟୁଡୁଙ୍କୁ ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ସାମିଲ କରିଛନ୍ତି। ତେବେ ରାଜନୈତିକ ବିଶ୍ଲେଷକଙ୍କ ମତରେ ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପଛର କାରଣ କିଛି ଭିନ୍ନ।
ଏମିତିରେ ୨୦୨୪ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଅଢ଼େଇ ବର୍ଷ ଥିବାରୁ ତା ପୂର୍ବରୁ ଘର ସଜାଡ଼ିବାକୁ ବିଜେପି ବଡ଼ ବଡ଼ ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ସାଙ୍ଗଠନିକ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଛି।
ଯେଉଁଥି ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକରଙ୍କ ଭଳି ଏକାଧିକ ପୁରୁଖା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବିରାମ ଦିଆଯିବା ସହ ଯୁବ ନେତୃତ୍ବଙ୍କ ଉପରେ ଶାସନତନ୍ତ୍ର ପରିଚାଳନା ଭାର ସମର୍ପିଛନ୍ତି ପ୍ରଧାନମନ୍ତ୍ରୀ।